କାଶ୍ମୀର କେବଳ ଭାରତର ନୁହେଁ, ପୂରା ବିଶ୍ୱର ନନ୍ଦନବନ। ଆଦ୍ୟ ଶଙ୍କରାଚାର୍ଯ୍ୟଙ୍କ ମତାନୁସାର କାଶ୍ମୀର ହେଉଛି କଶ୍ୟପଙ୍କ ଭୂମି। କେବଳ ଏତିକି ନୁହେଁ ଏହା ମଧ୍ୟ କାବ୍ୟ ଓ କଳାର ଉର୍ବର ଭୂମି ଅଟେ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ସଜ୍ଜିତ ଏହି ଭୂମି ବାସ୍ତବରେ ନନ୍ଦନବନ ଅଟେ। କାଶ୍ମୀରର ସୌନ୍ଦର୍ଯ୍ୟ ଦେଖିଲେ ଆମ ଆଖି ଖୁସିରେ ଭରି ଉଠେ।
କାଶ୍ମୀରର ଘାଟି ପଶ୍ଚିମ ଦିଗରେ ପୀର ପଞ୍ଜାଲ ଓ ଭବ୍ୟ ହିମାଳୟର ପର୍ବତ ଶୃଙ୍ଖଳାରେ ଅବସ୍ଥିତ। ସମୁଦ୍ର ପତନରୁ ଏହାର ଉଚ୍ଚତା ୧୬୦୦ ମିଟର।
କଶ୍ୟପ ଋଷିଙ୍କ ନାମରେ ଏହାର ନାମକରଣ କାଶ୍ମୀର ହୋଇଛି। କାଶ୍ମୀରର ମୂଳ ଅଧିବାସୀ ହିନ୍ଦୁ। କାଶ୍ମୀର ପଣ୍ଡିତ ମାନଙ୍କର ସଂସ୍କୃତି ୫୦୦୦ ବର୍ଷର ପୁରୁଣା। ହିନ୍ଦୁ ହିଁ କାଶ୍ମୀରର ମୂଳ ଅଧିବାସୀ ଥିଲେ। ରାଜ ତରଙ୍ଗିଣୀ ଓ ନିଲମ ପୁରାଣରେ କାଶ୍ମୀରର ଆଧ୍ୟାତ୍ମିକ ସଂସ୍କୃତି ବିଷୟରେ ସବୁ ଉଲ୍ଲେଖ ଅଛି।
ପ୍ରାଚୀନ କାଳରେ କାଶ୍ମୀରରେ ହିନ୍ଦୁ ଓ ବୌଦ୍ଧ ସଂସ୍କୃତିର ଅସ୍ତିତ୍ୱ ଥିଲା। ସେ ସମୟ ଅନୁସାରେ ସେଠାରେ ପ୍ରଚଳିତ ଅଛି ଯେ କାଶ୍ମୀରର ସୁଜଳା ସୁଫଳା ଭୂମିରେ ସାକ୍ଷାତ ଭଗବାନ ଶିବଙ୍କ ପତ୍ନୀ ମାତା ସତୀଙ୍କ ନିବାସ ଥିଲା। ଏହି ଭୂମିରେ ଜଳର ମାତ୍ରା ଅଧିକତର ଥିଲା। ଏହି ଭୂଭାଗର ବହୁତ ବଡ଼ ଅଞ୍ଚଳ ଜଳମଗ୍ନ ରହୁଥିଲା। ୠଷି କଶ୍ୟପ ଓ ମାତା ସତୀ ଦୁହେଁ ମିଶି ସେଠିକାର ରାକ୍ଷସନାଗକୁ ହରାଇଥିଲେ ଓ ସବୁ ଜଳ ଝେଲମ ନଦୀରେ ପ୍ରବାହିତ କରାଇଥିଲେ। ସେବେଠାରୁ ଏ ଭୂଭାଗର ନାମ ସତୀସରରୁ କାଶ୍ମୀର ହୋଇଯାଇଛି। ଏହିପରି ରାକ୍ଷସକୁ ବଦ୍ଧ କରି କଶ୍ୟପ ୠଷି ସବୁ ହ୍ରଦକୁ ଜଳଶୁନ୍ୟ କରି ଏହି ଭୂମିକୁ ନନ୍ଦନବନରେ ପରିଣତ କରିଦେଲେ। ସେବେଠାରୁ ଏଇ ଭୂମି କଶ୍ୟପ ୠଷିଙ୍କ ଭୂମି ବା କାଶ୍ମୀର ବୋଲି ପରିଚିତ ହେଲା। ଏବଂ ଏହି ସ୍ଥଳ କାଶ୍ମୀର ଘାଟି ନାମରେ ପ୍ରସିଦ୍ଧ ହେଲା।
କାଶ୍ମୀରର ପ୍ରାଚୀନ ଐତିହାସିକ କାଲଖଣ୍ଡରେ ଯେଉଁ ରାଜାମାନେ ଶାସନ କରିଥିଲେ ସେମାନେ ହେଲେ ରାଜା ମୌର୍ଯ୍ୟ, ରାଜା କୁଣରଣ, ରାଜା ହୁଠା, କାରକୋଟ, ଲୋହରା, ମୁଗଲ, ଆଫଗାନ, ଶିଖ ଓ ଡୋଗରା।
କାଶ୍ମୀର ରାଜ୍ୟର ଆଧ୍ୟାତ୍ମିକ ମହତ୍ତ୍ୱ ହେଉଛି ଶାରଦା ପୀଠ। ଏ ପୀଠ ବିଷୟରେ ପୂର୍ବରୁ ଆଲୋଚନା ହୋଇଛି। ୫୨ ଶକ୍ତିପୀଠ ମଧ୍ୟରୁ ଏହା ଏକ ଅଟେ। ଯାହା ପାକିସ୍ତାନ ଅଧୀନରେ ଅଛି। ସତୀଙ୍କ ଡାହାଣ ହାତ ଏଠାରେ ପଡ଼ି ଥିଲା। ଏହା ଶାରଦା ପୀଠ ନାମରେ ବିଖ୍ୟାତ ହେଲା। ଏହିପୀଠ ସମୁଦ୍ରପତନ ଠାରୁ ୧୧୦୦୦ ଫୁଟ ଉଚ୍ଚରେ ଅବସ୍ଥିତ।
ଏହି ମନ୍ଦିରର ଦକ୍ଷିଣ ଦ୍ୱାର ବହୁ ବର୍ଷରୁ ବନ୍ଦ ଥିଲା। ଆଦ୍ୟ ଶଙ୍କରାଚାର୍ଯ୍ୟ ଏହି ଦ୍ୱାର ଖୋଲିଲେ। ଯେତେବେଳେ ଶଙ୍କରାଚାର୍ଯ୍ୟ ତାଙ୍କ ଅନୁଯାୟୀ ମାନଙ୍କ ସାଙ୍ଗରେ ଭାରତବର୍ଷର ଦିଗବିଜୟ ଯାତ୍ରାରେ ବାହାରିଲେ ସେତେବେଳେ ବୈଦିକ ହିନ୍ଦୁ ଧର୍ମର ପତାକା ଭାରତରେ ସେ ଉଡ଼ାଇ ଚାଲିଲେ। ଭାରତର ବିବିଧତା ସମ୍ବନ୍ଧରେ ସେ କହୁଥିଲେ ଯେ ଭାରତବାସୀ ଏକ ଧର୍ମସୂତ୍ରରେ ବାନ୍ଧିହୋଇଛନ୍ତି। ସେହି ଧର୍ମସୂତ୍ର ହେଲା ବିଶ୍ୱକଲ୍ୟାଣ କରୁଥିବା ବେଦ ଦ୍ୱାରା କୁହାଯାଇଥିବା ବୈଦିକ ଧର୍ମ। ଧର୍ମର ଧ୍ୱଜା ଉଡ଼ାଇ ଉଡ଼ାଇ ସେ କାଶ୍ମୀରରେ ପହଞ୍ଚିଲେ। କାବ୍ୟ ସାହିତ୍ୟକୁ ଭଲ ପାଉଥିବା କାଶ୍ମୀର ଜନତା ତାଙ୍କୁ ସ୍ୱାଗତ କରିବାପାଇଁ ଛିଡ଼ା ହୋଇଥିଲେ।
ବିବିଧ ବାଦ୍ୟ ବଜାଇ, ଫୁଲ ହାର ନେଇ ସେମାନେ ଆଚର୍ଯ୍ୟଙ୍କ ସମ୍ମୁଖକୁ ଆସିଲେ। ସେମାନଙ୍କ ଗହଣରେ ସେ ଶାରଦା ପୀଠ ଆଡ଼କୁ ଆଗେଇ ଚାଲିଲେ। ଆଦ୍ୟ ଶଙ୍କରାଚାର୍ଯ୍ୟଙ୍କ ଜ୍ଞାନ, କାର୍ଯ୍ୟ କୁଶଳତା, ଧର୍ମ ପ୍ରସାର ସହ ଲୋକମାନେ ଭଲଭାବେ ପରିଚିତ ଥିଲେ। ଗୈରିକ ବସ୍ତ୍ର ବିମଣ୍ଡିତ ଏଇ ମହାନ ବିଭୁତି ସ୍ଵଛ ନିର୍ମଳ ପୋଖରୀ ବନ୍ଧ ପାର କରି ଶାରଦା ପାହାଡ଼ ଆଡ଼କୁ ଆଗେଇ ଚାଲିଥିଲେ। ଏହି ରମଣୀୟ ଜାଗାରେ ବିଦ୍ୟାଦେବୀ ମାଆ ଶାରଦା ବିରାଜମାନ କରିଥିଲେ। ପୂଜା ଅର୍ଚ୍ଚନା ଚାଲିଲା । ଦକ୍ଷିଣ ଦ୍ୱାର ଖୋଲା ରହିବା ଦରକାର। ଜ୍ଞାନର ପ୍ରତୀକ ମାଆ ଶାରଦା ଦେବୀ। ତେଣୁ ଜ୍ଞାନର ସବୁ ଦ୍ୱାର ଖୋଲା ରହିବା ଦରକାର। ଏଥିପାଇଁ ତାଙ୍କୁ ସବୁ ବିତର୍କ ଓ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିିଥିଲା। ମହାମହା ପଣ୍ଡିତଙ୍କୁ ପରାସ୍ତ କରି ସେ ବିଧିବଦ୍ଧ ଭାବେ ପୂଜା ଅର୍ଚ୍ଚନା କରି ଦକ୍ଷିଣ ଦ୍ୱାର ଖୋଲିଦେଲେ।
ସେତିକିବେଳେ ଆକାଶବାଣୀ ଶୁଣାଗଲା ଯେ ଆଜିଠାରୁ ଆପଣ ଏ ସାରା ଭାରତବର୍ଷର ଜଗଦଗୁରୁ ହେଲେ। ଏଇଭଳି ଭାବେ ସମ୍ମାନର ସହ ବାଦ୍ୟର ଜୟ ଘୋଷରେ ସେ ଜଗଦଗୁରୁ ଆସନରେ ଅଧିଷ୍ଠିତ ହେଲେ। ସମସ୍ତ ଜ୍ୟେଷ୍ଠ ଶ୍ରେଷ୍ଠ ଲୋକ ସର୍ବସମ୍ମତି କ୍ରମେ ତାଙ୍କୁ ଜଗଦ୍ଗୁରୁ ପଦରେ ଅଧିଷ୍ଠିତ କରାଇଲେ। ସେହିଦିନ ଠାରୁ ସେ ଜଗଦ୍ଗୁରୁ ଆଦ୍ୟ ଶଙ୍କରାଚାର୍ଯ୍ୟ ନାମରେ ପ୍ରସିଦ୍ଧ ହେଲେ। ସେହି କ୍ଷଣରୁ ସେହି ଜାଗାର ନାଁ ଶଙ୍କରାଚାର୍ଯ୍ୟ ଟିଲା ବୋଲି କୁହାଗଲା। ସେହି ସ୍ଥାନ ଭାରତବର୍ଷର ଆଧ୍ୟାତ୍ମିକତାର ଶୀର୍ଷ ବିନ୍ଦୁ ବୋଲି ପରିଗଣିତ ହେଲା। ଆଜି ସେହି ପୀଠ 'ପି.ଓ.କେ' ରେ ଅଛି।
ଜ୍ଞାନୀମାନେ କୁହନ୍ତି ସବୁ ଯୁଗରେ ଜ୍ଞାନୀ ପୁରୁଷ ଜନ୍ମ ନିଅନ୍ତି। ସତ୍ୟରେ କପିଳ ମୁନି, ତ୍ରେତୟାରେ ଦତ୍ତାତ୍ରେୟ, ଦ୍ୱାପରରେ ମହର୍ଷି ବ୍ୟାସ ଓ କଳିଯୁଗରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଜନ୍ମ ହୋଇଥିଲେ। ସେହି ସେହି ଯୁଗରେ ତାଙ୍କ ସମକକ୍ଷ ଆଉ କେହି ହୋଇ ନଥାନ୍ତି।

No comments:
Post a Comment