Sunday, 15 October 2017

*କାଶ୍ମୀରରେ ତୀର୍ଥଯାତ୍ରା - ୫*

ମାତା ବୈଷ୍ଣୋ ଦେବୀ

ଶ୍ରୀ ଜଗମୋହନ ପ୍ରଥମ ଥର ୧୯୮୬ ଓ ଦ୍ଵିତୀୟ ଥର ୧୯୯୦ରେ ଜମ୍ମୁ କାଶ୍ମୀରର ରାଜ୍ୟପାଳ ହୋଇଥିଲେ।ସେତେବେଳେ ସେ ମାଆ  ବୈଷ୍ଣୋ ତୀର୍ଥ ସ୍ଥାନକୁ ଅଧିଗ୍ରହଣ କରି ତାର ବିକାଶର ଯୋଜନା କରିଥିଲେ ଏବଂ ସେଠାରେ ଧାର୍ମିକ ବାତାବରଣ ପ୍ରସ୍ଥାପିତ କରିଥିଲେ। ତା ଦ୍ୱାରା ଯାତ୍ରୀମାନଙ୍କର ସଂଖ୍ୟା ବଢ଼ିଲା। ଉଦ୍ଧମପୁର ଜିଲ୍ଲାର ରିୟାସି ତହସିଲ ଅନ୍ତର୍ଗତ କଟରା ଠାରୁ ୧୩ କି.ମି. ପାଦରେ ଚାଲି ଚାଲି ଗଲା ପରେ ଦେଖିବାକୁ ପାଇବା ତ୍ରିକୁଟ ପର୍ବତ ଉପରେ ମାଆ ବୈଷ୍ଣୋ  ଭବ୍ୟ ରୂପରେ ବିରାଜିତ। ଏହି ତୀର୍ଥସ୍ଥଳୀ ମଧ୍ୟ ଉଭୟ ପଟୁ ଆତଙ୍କବାଦୀ ଗତିବିଧିରେ ପରିପୂର୍ଣ୍ଣ।

ଏଥିରୁ ମୁକ୍ତିଲାଭ ପାଇଁ ଶ୍ରୀ ଜଗମୋହନଙ୍କ ଉଦ୍ୟମ ପ୍ରଶଂସନୀୟ। ମାଆଙ୍କ ମନ୍ଦିର ଠାରୁ ୬୦-୭୦ କି.ମି. ପର୍ଯ୍ୟନ୍ତ ଚାରିପଟେ ଅନେକ ଧାର୍ମିକ ସ୍ଥଳର ବିକାଶ ସେ କରିଯାଇଛନ୍ତି। କଟରାରେ ଶଙ୍କରାଚାର୍ଯ୍ୟ ପାହାଡ଼ି, ଦେବା ମାଈ, ବାବା ଜିତୋ, ରିୟାସିରେ ଜେନେରାଲ ଜୋରାବର ସିଂହଙ୍କ ଦୁର୍ଗ, ଭଗବାନ ଶିବଙ୍କ ଗୁମ୍ଫା, ଉଦ୍ଧମପୁରରେ ଦେବକା, ଚନୈନିରେ ଶୁଦ୍ଧମହାଦେବ ଓ ମାନତଲାଇ, ଜମ୍ମୁରେ ମୋହମାୟା ଆଦି ମନ୍ଦିର ସବୁ ଏହି ସମୟରେ ଭବ୍ୟ ସ୍ୱରୂପ ପ୍ରାପ୍ତ କରିଛି। ମାଆ ବୈଷ୍ଣୋ  ଦର୍ଶନରେ ଆସୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଏ ସବୁ ତୀର୍ଥସ୍ଥଳୀକୁ ମଧ୍ୟ ଯିବା ଆରମ୍ଭ କଲେଣି। ଏହି ସବୁ ତୀର୍ଥ ମୁଖ୍ୟତଃ ହିନ୍ଦୁ ବହୁଳ କ୍ଷେତ୍ରରେ ଅବସ୍ଥିତ। ଏହି ସବୁ ତୀର୍ଥଗୁଡ଼ିକର ବିକାଶ ହେବା ଦ୍ୱାରା ସେହି କ୍ଷେତ୍ରରେ କଣ ସବୁ ବିକାଶ ହୋଇଛି ତାହା ଏକ ଅଧ୍ୟୟନର ବିଷୟ ଅଟେ।

ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରା ତ ଜମ୍ମୁ କ୍ଷେତ୍ରର ଆତ୍ମା ଅଟେ। ଏହା ହିଁ ଜମ୍ମୁ କ୍ଷେତ୍ରର ଜୀବନ ରେଖା ଅଟେ। ପ୍ରତି ବର୍ଷ ଭଲ ଆୟ ଏହି ଯାତ୍ରାରୁ ହୋଇଥାଏ। ସୁରକ୍ଷା ଓ ସମ୍ବର୍ଦ୍ଧନ ଦୃଷ୍ଟିରୁ ଏହି ଯାତ୍ରା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଭକ୍ତିରେ ହିଁ ଶକ୍ତି ଅଛି, ତାହା ଏଠାରେ ପ୍ରମାଣିତ। କଟରାବାସୀଙ୍କ ଦ୍ୱାରା ମାତା  ବୈଷ୍ଣୋ ଲୋକ ସଂସ୍ଥାନ ନିର୍ମାଣ ହୋଇଛି। ଏହି ସଂସ୍ଥା ଦ୍ୱାରା କେଶବ ଆଶ୍ରମ ଧର୍ମଶାଳା ନିର୍ମାଣ ହୋଇଛି। ଜମ୍ମୁରେ ତ୍ରିକୁଟା ଯାତ୍ରୀ ନିବାସର ନିର୍ମାଣ ଚାଲିଛି। ଅନେକ ସେବାମୂଳକ ଓ ଧାର୍ମିକ କାର୍ଯ୍ୟରେ ଏହି ସଂସ୍ଥା ସହଯୋଗ କରୁଛି। ଏହି ସବୁ କ୍ଷେତ୍ରରେ ଆମେ ସବୁ ଅଲଗା ଅଲଗା ପନ୍ଥର ହେଲେ ମଧ୍ୟ ଆମର ପୂର୍ବଜ ଏକ - ଏହି ସତ୍ୟର ଉଦ୍ ଘୋଷ ଶୁଣିବାକୁ ମିଳିଲାଣି। ଅନେକ ମୁସଲିମ ପରିବାର ପାଇଁ ମଧ୍ୟ ମାତା ବୈଷ୍ଣୋ କୁଳଦେବୀ ଅଟନ୍ତି।

୧୬. ୧୦. ୧୭

No comments: