Tuesday, 31 October 2017

*ବୌଦ୍ଧ ଚିନ୍ତନ*

ବୌଦ୍ଧ କାଳଖଣ୍ଡରେ ( ଖ୍ରୀଷ୍ଟପୂର୍ବ ୬୦୦ ରୁ ଖ୍ରୀଷ୍ଟାବ୍ଦ ୨୦୦ ) ଭାରତରେ ରାଜନୈତିକ ଗତିବିଧି ତୀବ୍ର ଥିଲା। ଏହି ସମୟରେ ଗଣତନ୍ତ୍ର ମଧ୍ୟ ପ୍ରଚଳିତ ଥିଲା। ବୈଶାଳୀ ଓ ଲିଛବୀର ଗଣତନ୍ତ୍ର ପ୍ରସିଦ୍ଧ ଥିଲା। ପାଲି ଓ ସଂସ୍କୃତରେ ଲେଖାଯାଇଥିବା ତତ୍କାଳୀନ ସାହିତ୍ୟରେ ଏହି ଗଣତନ୍ତ୍ର ସର୍ବବ୍ୟାପୀ ହୋଇଥିବାର ଵର୍ଣ୍ଣନା କରାଯାଇଛି।  ଗଣତନ୍ତ୍ରକୁ  ସଙ୍ଘତନ୍ତ୍ର କୁହାଯାଉଥିଲା। ସେହି ସ୍ୱରୂପର ଆଧାରରେ ତାଙ୍କର ବ୍ୟକ୍ତି ଚୟନ ହେଉ ଥିଲା। ଜୈନମାନଙ୍କ ଭଳି ବୌଦ୍ଧମାନଙ୍କର ଆଧ୍ୟାତ୍ମିକ ପୃଷ୍ଠଭୂମି ଉପରେ ସଙ୍ଘ ଗଠିତ ହେଉଥିଲା। ଆଚାର୍ଯ୍ୟ ତାର ପ୍ରମୁଖ ହେଉଥିଲେ। ତାଙ୍କଠାରୁ ସେମାନେ (ରାଜା ଓ ପ୍ରଜା) ପରାମର୍ଶ ପାଉଥିଲେ।

ବୌଦ୍ଧ ଚିନ୍ତନ ବ୍ୟକ୍ତିକୁ କୌଣସି ପରଲୌକିକ ଶକ୍ତି ଅପେକ୍ଷା ନିଜ ଉପରେ ଅଧିକ ବିଶ୍ୱାସ କରିବା ପାଇଁ କୁହେ । ତାହାର ତିନୋଟି ପ୍ରମୁଖ ସୂତ୍ର ଅଛି -- ବୁଦ୍ଧ, ଧର୍ମ ଓ ସଙ୍ଘ।

ବୁଦ୍ଧତ୍ବ ଜାଗୃତି, ଜ୍ଞାନ, ପ୍ରକାଶ, ବିଦ୍ୟା,
ଧର୍ମ ଆଚାର-ବିଚାର ଓ କର୍ତ୍ତବ୍ୟକୁ ପରିଭାଷିତ କରିଥିବାବେଳେ ସଙ୍ଘ ବ୍ୟକ୍ତି, ସମାଜ, ଶାସନ ଅର୍ଥାତ ରାଜ୍ୟ ବ୍ୟବସ୍ଥା ଆଡ଼କୁ ଇଙ୍ଗିତ କରିଥାଏ।

ବୁଦ୍ଧ ଦୁଃଖରୁ ମୁକ୍ତି ପାଇବାପାଇଁ ଚାରୋଟି ଆର୍ଯ୍ୟ ସତ୍ୟ ବିଷୟରେ କହିଛନ୍ତି --
(୧) ଦୁଃଖ ସର୍ବତ୍ର ରହିଛି, (୨) ଦୁଃଖର ଆରମ୍ଭ କାମନାରୁ ହୋଇଥାଏ, (୩) କାମନାର ବିନାଶରେ ଦୁଃଖର ବିନାଶ, (୪) ଦୁଃଖର ବିନାଶ ପାଇଁ ଅଷ୍ଟାଙ୍ଗ ମାର୍ଗ ରହିଛି।

ସେହି ଅଷ୍ଟାଙ୍ଗ ମାର୍ଗ ଗୁଡ଼ିକ ହେଲା -

ସମ୍ୟକ ଦୃଷ୍ଟି, ସମ୍ୟକ ସଂକଳ୍ପ, ସମ୍ୟକ ବାଣୀ, ସମ୍ୟକ କର୍ମ, ସମ୍ୟକ ଜୀବିକା, ସମ୍ୟକ ଚେଷ୍ଟା, ସମ୍ୟକ ସ୍ମୃତି ଓ ସମ୍ୟକ ସମାଧି। ମାନସିକ ଏଵଂ ନୈତିକ ବିକାଶ ପାଇଁ ପ୍ରତିବଦ୍ଧତା, ହାନିକାରକ କଥା, ହାନିକାରକ କର୍ମ, ହାନିକାରକ ବ୍ୟାପାର ନ କରିବା, ମିଥ୍ୟା ନ କହିବା, ନିଜକୁ ସୁଧାର କରିବା, ସ୍ପଷ୍ଟ ଜ୍ଞାନ ଦ୍ୱାରା ଦେଖିବାର ମାନସିକ ଯୋଗ୍ୟତା ପାଇବା ଓ ଶେଷରେ ନିର୍ବାଣ ପ୍ରାପ୍ତ କରିବା।

ଦୁଃଖର ମୂଳରେ ବ୍ୟକ୍ତିର କାମନା, ଯାହା ଦ୍ୱାରା ବ୍ୟକ୍ତି ଓ ସମାଜରେ ଦୁର୍ନୀତି ବ୍ୟାପିଥାଏ ଏବଂ ଯାହାକୁ ଶାସନ କିଛି ମାତ୍ରାରେ ନିୟନ୍ତ୍ରଣ କରିଥାଏ। ବୈଦିକ ଧର୍ମରେ ମଧ୍ୟ ଆସକ୍ତିକୁ ଦୋଷ ବୋଲି କୁହାଯାଇଛି।
ଏଥିପାଇଁ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଫଳ ପ୍ରାପ୍ତିର ଆଶା ବିଷାଦର କାରଣ ହୋଇଥାଏ। ସମ୍ୟକ ଶବ୍ଦର ପ୍ରୟୋଗ କରି ବୁଦ୍ଧ ବିବେକ ଉପରେ ବଳ ଦେଇଛନ୍ତି। ଏହି ବିବେକ ରାଜ୍ୟ ଶାସନରେ ମଧ୍ୟ ଅନିବାର୍ଯ୍ୟ।

ଦ୍ଵିତୀୟ ଶତାବ୍ଦୀର ବୌଦ୍ଧ ଚିନ୍ତକ ନାଗାର୍ଜୁନ କହିଛନ୍ତି ବୁଦ୍ଧଙ୍କ ଶାନ୍ତି ମାର୍ଗରେ ହିଁ ତାଙ୍କ ରାଜନୈତିକ ଚିନ୍ତନର
ପରିଚୟ ମିଳେ, ଯାହାର ଆଧାର ହେଉଛି ସରଳତା, ବିନମ୍ରତା ଓ ଦୟା। ବୁଦ୍ଧ କହିଛନ୍ତି ଯେ ବ୍ୟକ୍ତି ଭିତରେ ସମ୍ୟକ ପରିବର୍ତ୍ତନ କରି ସାମାଜିକ ନ୍ୟାୟ ସ୍ଥାପିତ ହୋଇଥାଏ। ଏହାଦ୍ୱାରା ଅହିଂସା ଓ ଶାନ୍ତି ସ୍ଥାପିତ ହୋଇଥାଏ। ବୁଦ୍ଧ ଚିନ୍ତନର ରାଜନୈତିକ ଦିଗଦର୍ଶନ ପଞ୍ଚଶୀଳ ନୀତିରେ ମଧ୍ୟ ପରିଲକ୍ଷିତ ହୋଇଅଛି।

୧. ୧୧. ୧୭

No comments: