Saturday, 7 October 2017

*ନିଷ୍ଠା ଓ ସାମର୍ଥ୍ୟର ପରୀକ୍ଷା*

  ୧୬୯୯ ମସିହା ବୈଶାଖୀ ଦିନ ଗୁରୁଗୋବିନ୍ଦ ସିଂହ ସଙ୍ଗଠନ ଶକ୍ତି ନିର୍ମାଣ ପାଇଁ ଏକ ନରମେଧ ଯଜ୍ଞ କଲେ। ବିଶାଳ ସମ୍ମେଳନ ହୋଇଥିଲା। ସେଠାରେ ଗୁରୁଗୋବିନ୍ଦ ସିଂହ ଘୋଷଣା କଲେ ଯେ ଦେଶ ସ୍ୱାଧୀନତା ପାଇବା ପାଇଁ ବିଦେଶୀ ବିଧର୍ମୀଙ୍କ ଠାରୁ ମୁକ୍ତ ହେବା ପାଇଁ ମାଆ ଭବାନୀ ବଳି ଚାହୁଁଛନ୍ତି। ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରସ୍ତୁତ ଅଛ ?

ବଳି ଚଢ଼ିବା ପାଇଁ କାହାର ବା ସାହସ ହେବ ?

ତେଣୁ ସଭାରେ କିଛି ସମୟ ନୀରବତା ଛାଇଗଲା।

କିନ୍ତୁ ଏହା ତ ଭାରତବର୍ଷ। ବୀର ପ୍ରସବିନୀ ଭାରତ ଜନନୀ ପ୍ରତ୍ୟେକ କାଳଖଣ୍ଡରେ ଅନେକ ଶୂର ବୀରଙ୍କୁ ଜନ୍ମ ଦେଇଆସିଛି। ସେତେବେଳେ ସେହି ସଭାରେ ଦୟାରାମ ନାମକ ଜଣେ ଯୁବକ ଆଗେଇ ଆସିଲେ। ଗୁରୁଗୋବିନ୍ଦ ସିଂହ ତାଙ୍କୁ ନେଇ ସଭାମଞ୍ଚ ପଛରେ ଥିବା ବଳି ବେଦୀରେ ଖଣ୍ଡା ଚଳାଇ ଦେଲେ। ରକ୍ତର ଧାର ବହିଗଲା; ଲୋକେ ଭୟଭୀତ ହୋଇ ଉଠିଲେ। ଗୁରୁଗୋବିନ୍ଦ ସିଂହ ପୁନଃ ସାମ୍ନାକୁ ଆସିଲେ ଏବଂ ପୁନଃ ଏବେ କିଏ ବଳିଦାନ ଦେବ ଆସ। ଏହିପରି ସଭା ସ୍ଥଳରେ ଆହ୍ୱାନ କରିଚାଲିଲେ। ଦୟାରାମ ପରେ ଧର୍ମଦାସ, ମୋହକମ ଚନ୍ଦ୍ର, ହିମ୍ମତ ରାୟ ଓ ସାହେବ ଚନ୍ଦ୍ର ଆସିଲେ। ସମସ୍ତଙ୍କ ବଳିଦାନ ହୋଇସାରିଥିଲା।

ତାପରେ ଆଉ କେହି ଆସିବାକୁ ପ୍ରସ୍ତୁତ ହେଲେ ନାହିଁ।

ଏବେ ଏ ରହସ୍ୟକୁ ବୁଝାଇବା ପାଇଁ ଗୁରୁଗୋବିନ୍ଦ ସିଂହ ସଭାମଞ୍ଚ ପଛରେ ଥିବା ପରଦା ଖୋଲିଦେଲେ । ଦେଖାଗଲା ପାଞ୍ଚ ଜଣଯାକ ଜୀବିତ ଛିଡ଼ା ହୋଇଛନ୍ତି। ପାଞ୍ଚଟି ଛେଳିଙ୍କ ମୁଣ୍ଡ କଟା ଯାଇଛି।

ଏ ଦୃଶ୍ୟ ଦେଖିବା ପରେ ସଭା ଭିତରୁ ଉଚ୍ଚ ସ୍ୱର ଶୁଭିଲା । ଅନେକ ଲୋକ ଆଗେଇ ଆସିଲେ ଏବଂ କହିଲେ,  "ମୁଁ ମଧ୍ୟ ବଳିଦାନ ଦେବାକୁ ପ୍ରସ୍ତୁତ।"

ଗୁରୁଗୋବିନ୍ଦ ସିଂହ ହସି ହସି କହିଲେ, "ଏହି ପାଞ୍ଚ ଜଣ ହିଁ ତୁମଭଳି ପାଞ୍ଚ ହଜାର ସହ ସମାନ। ଯେଉଁମାନଙ୍କ ଭିତରେ ନିଷ୍ଠା ଓ ସଂଘର୍ଷର ଶକ୍ତି ନ ଥିବ, ସେହିପରି ହଜାର ହଜାର ବ୍ୟକ୍ତିଙ୍କ ଠାରୁ ନିଷ୍ଠାବାନ ପାଞ୍ଚଜଣ ଉତ୍ତମ। ଇତିହାସ କହୁଛି ଏହି ପଞ୍ଚ ପ୍ୟାରେ ହିଁ ଶିଖ ସଙ୍ଗଠନକୁ ଶକ୍ତିଶାଳୀ କରିଥିଲେ।

୭.୧୦.୧୭

No comments: