ବୁଢ଼ା ଅମରନାଥ (ପୁଂଛ-ରାଜୌରୀ) ଯାତ୍ରା
ଜମ୍ମୁ କାଶ୍ମୀର ପ୍ରଦେଶର ରାଜୌରୀ ଓ ପୁଂଛ ଜିଲ୍ଲା ପାକିସ୍ତାନର ସୀମାକୁ ଲାଗିଛି। ପୀରପଞ୍ଜାଲ ପର୍ବତ ଶ୍ରେଣୀ ପାର ହେଲେ କାଶ୍ମୀର ଘାଟି ପଡ଼େ। ପୁଂଛରେ ୮୮ ପ୍ରତିଶତ ଓ ରାଜୌରୀର ପୁଂଛ ଜିଲ୍ଲାକୁ ଲାଗିଥିବା ଦୁଇଟି ତହସିଲରେ ୬୨ ପ୍ରତିଶତ ମୁସଲିମ ବହୁଳ। ଜମ୍ମୁରୁ ସଡ଼କ ମାର୍ଗରେ ରାଜୌରୀ ସହର ପାର ହେବା ପରେ ସେଠାରୁ ପୁଂଛ ପାଖାପାଖି ୬୦ କି. ମି. ହେବ। ଜମ୍ମୁରୁ ରାଜୌରୀ ୧୫୦ କି.ମି. ଲମ୍ବା ହିନ୍ଦୁ ବହୁଳ କ୍ଷେତ୍ର ତଥା ଦୁର୍ଗମ ପାହାଡ଼ି କ୍ଷେତ୍ର ଅଟେ।
ନଦୀ ନାଳ ତଥା ଜଳର ବହୁଳତା କାରଣରୁ ସେ ଅଞ୍ଚଳ ସବୁବେଳେ ସୁଜଳା ସୁଫଳା ଓ ଶଶ୍ୟ ଶ୍ୟାମଳା। କିନ୍ତୁ ଏବେ ଏହି ସମୟରେ ସେ ଅଞ୍ଚଳ ଘୋର ଆତଙ୍କବାଦ ଗ୍ରସ୍ତ। ଅନେକ ସାମୂହିକ ଅମାନବୀୟ ହିଂସା ଯଥା - ଆଖି ତାଡ଼ି ଦେବା, ସ୍ତନ କାଟି ନେବା, ଗଳା କାଟି ମାରିବା ଆଦି ଘଟଣାକୁ ଆତଙ୍କବାଦୀମାନେ ସାକାର ରୂପ ଦେଇ ସାରିଛନ୍ତି।
୧୦-୧୨ ପ୍ରତିଶତ ହିନ୍ଦୁ ଏହି କ୍ରୁର ଆତଙ୍କବାଦ ଓ ଭୟଗ୍ରସ୍ତ ବାତାବରଣରେ ମଧ୍ୟ ବିଚଳିତ ନ ହୋଇ ମନକୁ ଦୃଢ଼ କରି ସେହି ସ୍ଥାନରେ ରହି ଏ ସବୁର ସମ୍ମୁଖୀନ ହେଉଥିବାବେଳେ ଧୀରେ ଧୀରେ ଅନ୍ୟ ମାନେ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଶ୍ରେୟ ମଣିଲେ। ଏଇ ଅତ୍ୟାଚାର କେବଳ ଯେ ହିନ୍ଦୁମାନଙ୍କ ଉପରେ ହେଉଛି ଏପରି ନୁହେଁ, ମୁସଲମାନମାନେ ମଧ୍ୟ ଏହାର ଶୀକାର ହୋଇ ଝିଅ ବୋହୁଙ୍କ ଇଜ୍ଜତ ଓ ନିଜର ରକ୍ଷା ପାଇଁ ସେ ସ୍ଥାନ ଛାଡ଼ି ଦେଉଛନ୍ତି। ସେଠାରେ ଜୀବନ ଜୀଇଁବା ବଡ଼ ଦୁଷ୍କର । ଏଇ ସମୟରେ ସେଠାରେ ଏକ ମାତ୍ର ଆଶାର କିରଣ ଭଗବାନ ଶିବ।
ପୁଂଛ ଜିଲ୍ଲାର ମଣ୍ଡି ଲୋରେନ ଗ୍ରାମରେ ବୁଢ଼ା ଅମରନାଥ ନାମରେ ସେ ପୂଜା ପାଉଛନ୍ତି। ସେହି ତୀର୍ଥକୁ ରକ୍ଷା କରିବା ପାଇଁ ସନାତନ ଧର୍ମ ସଭା ସହିତ ବର୍ତ୍ତମାନର ସେନା ମଧ୍ୟ କାମରେ ଲାଗିଛି।
ସ୍ଥାନୀୟ ହିନ୍ଦୁ ବହୁ ସଂଖ୍ୟାରେ ଓ ଅଳ୍ପ ସଂଖ୍ୟାରେ ମୁସଲମାନ ମଧ୍ୟ ପୂଜା କରିବା ପାଇଁ ମନ୍ଦିରକୁ ଆସୁଛନ୍ତି। କିନ୍ତୁ ଏହି ତୀର୍ଥସ୍ଥଳୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛି ବୋଲି ଅନେକ ସମୟରେ ଖବର ଆସୁଛି।
ପୁଂଛ, ମହାବଳୀ ରାବଣର ନାତି ପୁଲସ୍ତ୍ୟ ଋଷିଙ୍କ ସାଧନା ଓ ଗବେଷଣାର ସ୍ଥଳୀ ଅଟେ। ପୁଲସ୍ତ୍ୟ ନାମର ଅପଭ୍ରଂଶ ହୋଇ ଧୀରେ ଧୀରେ ପୁଂଛ ହୋଇଯାଇଛି। ପୁଲସ୍ତ୍ୟ ଋଷି ପ୍ରତି ମାସ ବାବା ଅମରନାଥଙ୍କ ଜଳାଭିଷେକ ପାଇଁ ଆସନ୍ତି। ଯେତେବେଳେ ସେ ବୃଦ୍ଧ ହୋଇଗଲେ ତଥା ବାବା ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ଯିବା କଠିନ ହୋଇଗଲା ସେତେବେଳେ ସେ ଭଗବାନ ଶିବଙ୍କୁ ପ୍ରାର୍ଥନା କଲେ ତାଙ୍କ ପାଖକୁ ଯିବା ପାଇଁ। କିମ୍ବଦନ୍ତୀ କୁହେ ଭଗବାନ ଶିବ ଏହି ସ୍ଥାନରେ ଅର୍ଥାତ ଏବେ ଯେଉଁଠି ଅଛନ୍ତି, ପ୍ରକଟ ହେଲେ। ଏବେ ତାଙ୍କୁ ହିଁ ବୁଢ଼ା ଅମରନାଥ କୁହାଯାଏ। ଜମ୍ମୁ କ୍ଷେତ୍ରରେ ଏହି ତୀର୍ଥର ପ୍ରଚାର ପ୍ରତ୍ୟକ୍ଷ ସ୍ୱୟଂସେବକଙ୍କ ସହିତ ସନାତନ ଧର୍ମସଭା ଓ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନମାନେ କରୁଛନ୍ତି। ଧୀରେ ଧୀରେ ଯାତ୍ରୀମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛିI। ସେନା ଓ ପ୍ରଶାସନ ଏଥିରେ ସହଯୋଗ କରୁଛନ୍ତି। ୨୦୦୫ ରେ ଏହି ହିନ୍ଦୁ ସଙ୍ଗଠନମାନଙ୍କ ଆହ୍ୱାନ କ୍ରମେ ୩୦୦୦୦ ଶ୍ରଦ୍ଧାଳୁ ସାରା ଦେଶରୁ ସେଠାରେ ପହଞ୍ଚି ଥିଲେ। ସେବେଠାରୁ ଏହି ଯାତ୍ରାକୁ ଅଖିଳ ଭାରତୀୟ ସ୍ୱରୂପ ପ୍ରାପ୍ତ ହୋଇଛି। ଗତ ୧୫ ବର୍ଷ ଭିତରେ ପାକିସ୍ତାନ ଆତଙ୍କବାଦୀମାନେ ରାଜୌରୀ ଓ ପୁଂଛ ଅଞ୍ଚଳର ଲୋକମାନଙ୍କୁ ହତ୍ୟା, ଭୟ ଓ ଗରିବି ଦେଇଛନ୍ତି। ତା ଠାରୁ ବହୁତ ଭଲ ଭଗବାନ ଶିବ ଓ ହିନ୍ଦୁମାନେ ଯେଉଁମାନେ ଏଥିରୁ ମୁକ୍ତ ହେବାର ବାଟ ଦେଖାଇଲେ, ପ୍ରଶାସନକୁ ସହଯୋଗ କଲେ ଓ ସେନାରେ ବିଶ୍ୱାସ ଯୋଗାଇଲେ। ଯେଉଁଥି ପାଇଁ ଆତଙ୍କବାଦର ଭୟ ଲୋକଙ୍କ ମନରୁ ଦୂର ହେବାରେ ଲାଗିଛି। ବଞ୍ଚିବାର ନୂଆ ଆଶା ଜାଗିଛି। ଜମ୍ମୁରୁ ସାତ ଆଠ ଘଣ୍ଟା ସଡ଼କ ମାର୍ଗରେ ଗଲେ ଏଇ ତୀର୍ଥରେ ପହଞ୍ଚି ହେଉଛି। ଏବେ ତ ବର୍ଷ ଭରି ଏଇ ତୀର୍ଥରେ ଭିଡ଼ ଜମୁଛି। ପୂରା ଅଞ୍ଚଳରେ ଓଁ ନମଃ ଶିବାୟ ଓ ବାବା ବୁଢ଼ା ଅମରନାଥ କି ଜୟ ଧ୍ୱନି ନିନାଦିତ ହେଉଛି। ଜମ୍ମୁରୁ ପୁଂଛ ଯିବା ବାଟରେ ଅନ୍ୟ ତୀର୍ଥ ସ୍ଥାନ ଅଖନୁର, ମଙ୍ଗଳାମାତା, ପୀର ବଡ଼େସର ଆଦି ଅଞ୍ଚଳକୁ ଯାତ୍ରୀମାନେ ମଧ୍ୟ ଯିବା ଆରମ୍ଭ କରିଛନ୍ତି।
୧୫. ୧୦. ୧୭

No comments:
Post a Comment