Tuesday, 3 October 2017

ଜି. ଏମ. ସଇଦ

    ଧର୍ମକୁ ଆଧାର କରି ରାଷ୍ଟ୍ର ଗଠନ କରିବା ଭୁଲ ସିଦ୍ଧାନ୍ତ ଅଟେ। ଯଦି ଧର୍ମ ରାଷ୍ଟ୍ର ଗଠନର ଭିତ୍ତି ଭୂମି ହୋଇଥାନ୍ତା ତେବେ କୋଉଥିପାଇଁ ୪୫ ଟି ଅଲଗା ଅଲଗା ମୁସଲିମ ରାଷ୍ଟ୍ର ମିଳିତ ଜାତିସଂଘର ସଦସ୍ୟ ଅଛନ୍ତି ?  ପାକିସ୍ତାନରେ ଯେତିକି ମୁସଲିମ ଅଛନ୍ତି ତା ଠାରୁ ଅଧିକ ଅଛନ୍ତି ଭାରତରେ। ଯଦି ଭାରତ ଭଳି ହିନ୍ଦୁ ବହୁଳ ଦେଶରେ ମୁସଲମାନ ସୁଖରେ ରହିଆସୁଥିଲେ ତେବେ ପାକିସ୍ଥାନ ଆନ୍ଦୋଳନ ସମୟରେ ଦ୍ଵିରାଷ୍ଟ୍ର ସିଦ୍ଧାନ୍ତର କଣ ଆବଶ୍ୟକତା ଥିଲା ?

ଜି. ଏମ. ସଇଦ ଅର୍ଥାତ ଗୁଲାମ ମୂର୍ତ୍ତୁଜା ସଇଦ ସିନ୍ଧୁର ରାଜନେତା ଥିଲେ। ୧୭ ଜାନୁଆରୀ ୧୯୦୪ ରେ ସେ ଜନ୍ମ ହେଇଥିଲେ ଓ ୨୫ ଅପ୍ରେଲ ୧୯୯୪ରେ ତାଙ୍କର ମୃତ୍ୟୁ ହୋଇଥିଲା। ସିନ୍ଧ 'ଜିଏ ସିନ୍ଧ' ଆନ୍ଦୋଳନର ସେ ଜନକ ଥିଲେ । ତାଙ୍କୁ ସିନ୍ଧୁ ରାଷ୍ଟ୍ରବାଦର ଜନକ ବୋଲି କୁହାଯାଉଛି। ସେ ନେସନାଲ ଆବାମୀ ପାର୍ଟିର ସକ୍ରିୟ କର୍ମକର୍ତ୍ତା ଥିଲେ। ପରେ ସେ ମୁସଲିମ ଲିଗର୍ ସମର୍ଥକ ହୋଇଗଲେ। ପାକିସ୍ତାନ ନିର୍ମାଣ ହେବା ପୂର୍ବ ପର୍ଯ୍ୟନ୍ତ ସେହି ସିଦ୍ଧାନ୍ତକୁ ଜୋରଦାର ସମର୍ଥନ କରିଥିଲେ। ୧୯୭୧ ରେ ବଙ୍ଗଳା ଦେଶ ନିର୍ମାଣ ହେବା ପରେ ତାଙ୍କର ସେହି ସିଦ୍ଧାନ୍ତରୁ ମୋହ ଭଙ୍ଗ ହେଲା। ସେ 'ଜିଏ ସିନ୍ଧ'ର ସ୍ଲୋଗାନ ଦେଲେ। ସିନ୍ଧୁ ସ୍ଥାନ ତଥା ସିନ୍ଧୁ ଦେଶର ଦାବି କଲେ। ଏଥିପାଇଁ ପାକିସ୍ଥାନର ନେତାମାନେ ତାଙ୍କୁ ୩୦ ବର୍ଷ କାରାଗାରରେ ରଖିଲେ। ତାଙ୍କ ଘରେ ତାଙ୍କୁ ନଜର ବନ୍ଦୀକରି ରଖାଯାଇଥିଲା। ସେଠାରେ ହିଁ ତାଙ୍କର ମୃତ୍ୟୁ ହେଲା।

ଜି ଏମ ସଇଦ ନେଲସନ ମାଣ୍ଡାଲାଙ୍କ ଠାରୁ ମଧ୍ୟ ଅଧିକ ଦିନ କାରାବାସରେ ରହିଥିଲେ। ସେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସିନ୍ଧୁ ଦେଶ ପାଇଁ ଲଢ଼େଇ କଲେ। ତାଙ୍କର ଅନୁଯାୟୀମାନେ ତାଙ୍କ ସ୍ମୃତିକୁ ଜୀବିତ ରଖିଛନ୍ତି। ତାଙ୍କ ନାମରେ ମଧ୍ୟ ପୁରସ୍କାର
ଦିଆଯାଉଛି। ତାଙ୍କର ବିଚାର 'ଦ କେସ ଅଫ ସିନ୍ଧ' ଓ 'ଏ ନେସନ ଇନ ଚେନ' ପୁସ୍ତକରେ ପ୍ରକାଶିତ ହୋଇଛି। ସେଥିରେ ସେ କହିଛନ୍ତି ଯେ ଧର୍ମର ଆଧାରରେ ଭାରତର ବିଭାଜନ ଏକ ମସ୍ତବଡ଼ ଭୁଲ ଥିଲା। ତାଙ୍କ ମନରେ ସିନ୍ଧୁ ପାଇଁ ଗର୍ବ ଥିଲା। ସେ କହୁଥିଲେ ଯେ ସିନ୍ଧୁ ନଦୀ କୂଳରେ ଆମର ପ୍ରାଚୀନ ସଂସ୍କୃତିର ବିକାଶ ହୋଇଛି। ଆମ ସଂସ୍କୃତି ଅତି ମହାନ ସଂସ୍କୃତି ଅଟେ। ଅନ୍ୟ ପକ୍ଷରୁ ଦେଖିଲେ ପାକିସ୍ତାନର କିଛି ଇତିହାସ ନାହିଁ। ସେ ଏ କଥା କହିବାକୁ ଭୁଲି ନାହାନ୍ତି ଯେ ହିନ୍ଦୁ ମୁସଲିମ ଭିତରେ ସବୁଦିନ ପାଇଁ ଏକ ବିଚ୍ଛେଦ ରହୁ ଇଂରେଜ ମାନେ ଏଇ ଚକ୍ରାନ୍ତ କରି ପାକିସ୍ତାନ ନିର୍ମାଣ କରିଛନ୍ତି।

ଜି ଏମ ସଇଦଙ୍କ ଦୃଷ୍ଟିରୁ ଭାରତରୁ ଆସିଥିବା ମୁହାଜିର ଓ ପଞ୍ଜାବୀ ମୁସଲମାନ ସିନ୍ଧୁକୁ ନିଜର ଦାସୀ କରିଦେଇଛନ୍ତି। ସେମାନଙ୍କଠାରୁ ମୁକ୍ତ ହେବାପାଇଁ ସିନ୍ଧୁ ଦେଶ ନିର୍ମାଣ କରି ନିଜ ରାଜନୈତିକ ଅସ୍ତିତ୍ୱର ରକ୍ଷା ସିନ୍ଧି ମାନଙ୍କୁ କରିବାକୁ ପଡ଼ିବ। ମୁହାଜିର ଓ ପଞ୍ଜାବୀମାନେ ନିଜ ସିଦ୍ଧାନ୍ତ ଆଧାରରେ ଲୋକମାନଙ୍କୁ ଫସେଇବା ଓ ସେମାନଙ୍କୁ ମୂର୍ଖ କରେଇବାର ଧନ୍ଦା ଆରମ୍ଭ କରିଦେଇଛନ୍ତି।
ସେମାନଙ୍କ ମିଥ୍ୟା ପ୍ରଚାରର ନମୁନା ହେଲା -

୧. ପାକିସ୍ତାନରେ ରହୁଥିବା ଲୋକ ଏକ ରାଷ୍ଟ୍ର ଅଟନ୍ତି।
୨. ଭାରତୀୟ ଉପଖଣ୍ଡରେ ରହୁଥିବା ସମସ୍ତ ଅଧିବାସୀଙ୍କ ପାଇଁ ପାକିସ୍ତାନ ତିଆରି ହେଇଛି।
୩. ବିଶ୍ୱର ସମସ୍ତ ମୁସଲମାନଙ୍କୁ ଏକାଠି କରିବା ପାଇଁ ପାକିସ୍ତାନ ତିଆରି ହୋଇଛି।
୪. ପାକିସ୍ତାନ ଏକ ଆଦର୍ଶ ମୁସଲମାନ ରାଷ୍ଟ୍ର ହେବ।
୫. ଇସଲାମ ଓ ମୁସଲମାନଙ୍କ ରକ୍ଷା ପାକିସ୍ତାନ ହିଁ କରିବ।

ଜି ଏମ ସଇଦ ଉପରୋକ୍ତ ସମସ୍ତ ପ୍ରଚାର ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି ଧର୍ମ ଆଧାରରେ ମୁସଲିମ ରାଷ୍ଟ୍ର ବିଶ୍ୱରେ କେଉଁଠି ବି ହୋଇନାହିଁ। ଇସଲାମ ରାଷ୍ଟ୍ରୀୟତାର ଆଧାର କେବେ ବି ହୋଇ ପାରିବ ନାହିଁ। କାରଣ ଇସ୍ଲାମରେ ଅନେକ ପନ୍ଥ ଅଛି ଏବଂ ଗୋଟିଏ ପନ୍ଥ ଅନ୍ୟ ପନ୍ଥକୁ ନର୍କକୁ ଯିବାକୁ କହିଥାଏ।

ତାଙ୍କ ମତରେ ପାକିସ୍ତାନରେ ଆଦର୍ଶ ଶାସନ ଆସିବା ଅସମ୍ଭବ। ଆଦର୍ଶ ଶାସନ ଆଣିବା ପାଇଁ ଉଚ୍ଚ ନୈତିକତା ଥିବା ରାଜନେତାର ଆବଶ୍ୟକତା ରହିଛି। ନୀଚ ମନ ଓ ନୀଚ ବ୍ୟକ୍ତି କେବେ ବି ବଡ଼ ହୋଇପାରେ ନାହିଁ।

ତାଙ୍କ କହିବା କଥା ହେଲା ସିନ୍ଧି ମାନଙ୍କ ପାଇଁ ପାକିସ୍ତାନ ସୁନା ପିଞ୍ଜୁରୀ ହୋଇଯାଇଛି। ଶାହା ଲତିଫ
ସିନ୍ଧର କବି ଥିଲେ। ସେ ତାଙ୍କ କବିତାରେ ଲେଖିଛନ୍ତି ଯେ ହେ ଭଗବାନ ! ମୁଁ ଏଇ କାରାଗୃହର ଚାରି କାନ୍ଥ ଭିତରେ କଣ ପାଇଁ ବନ୍ଦୀ ହୋଇଛି ? ହେ ଭଗବାନ! ଏ କାନ୍ଥ ସବୁକୁ ଭାଙ୍ଗି ଦେ ଓ ମୋତେ ଉଦ୍ଧାର କର।
ଆମେ ମଧ୍ୟ ମୁହାଜିର ଓ ପଞ୍ଜାବୀଙ୍କ ଜେଲ ଭିତରେ ବନ୍ଦୀ ଅଛୁ। ତାଙ୍କ ପାଇଁ ପାକିସ୍ତାନ ସ୍ୱର୍ଗ ହୋଇଥାଇ ପାରେ, କିନ୍ତୁ ଆମକୁ ସ୍ୱାଧୀନତା ଆବଶ୍ୟକ ଓ ସେଥିପାଇଁ ଆମେ ନର୍କକୁ ଯିବାପାଇଁ ମଧ୍ୟ ପ୍ରସ୍ତୁତ।

ଏହିପରି ସିନ୍ଧର ବିଧାନ ସଭାରେ ଜିନ୍ନାର ସାଥି ବାସ୍ତବିକତାକୁ ବୁଝିବା ପରେ ଏ ସବୁ କଥା କହିଯାଇଛନ୍ତି ।

୪. ୧୦. ୧୭

No comments: