Wednesday, 11 October 2017

*ଶାରଦା ଦେଶ*

    ଏବେ ଜମ୍ମୁ କାଶ୍ମୀର ରାଜ୍ୟର ରାଜଭାଷା ଉର୍ଦ୍ଦୁ। ସେଠାରେ ହିନ୍ଦୀ ଓ ସଂସ୍କୃତର ସ୍ଥିତି କଣ ହୋଇଥିବ ତାହା ସହଜରେ ଅନୁମାନ କରିହେବ। ତଥାପି ଇତିହାସରୁ ଜାଣିହେବ ଏହି ପ୍ରଦେଶ ସଂସ୍କୃତ, କାବ୍ୟ, ଦର୍ଶନ ତଥା ଇତିହାସ ପଣ୍ଡିତମାନଙ୍କ କର୍ମଭୂମି ଥିଲା।

କବି ବିଲହନ ତାଙ୍କ କାବ୍ୟ ବିକ୍ରମାଙ୍କ ଦେବ ଚରିତରେ କାଶ୍ମୀରକୁ 'ଶାରଦା ଦେଶ' ବୋଲି କହିଛନ୍ତି ଓ ପ୍ରକୃତରେ କେସର ଉତ୍ପନ୍ନ କରୁଥିବା ଏହି ଭୂମି ଏକ ସମୟରେ ସଂସ୍କୃତ ବିଦ୍ୟାର କେନ୍ଦ୍ର ଥିଲା। ଏଠିକାର ଆଚାର୍ଯ୍ୟମାନେ କାବ୍ୟର ଆତ୍ମାର ନିର୍ଦ୍ଧାରଣ କରିବାବେଳେ ରସ, ବକ୍ରୋକ୍ତି, ଧ୍ୱନି ଆଦିର ପ୍ରବର୍ତ୍ତନ କରିଥିଲେ। ଏଠାରେ ଉଚ୍ଚକୋଟିର କାବ୍ୟ ରଚନା କରିଥିଲେ। ପ୍ରତ୍ୟଭିଜ୍ଞା ଶୈବ ଦର୍ଶନର ଜନ୍ମ ଏଠାରେ ହୋଇଥିଲା। ଧ୍ୱନି ସମ୍ପ୍ରଦାୟର ଗ୍ରନ୍ଥ ଧ୍ଵନ୍ୟାଲୋଗ ଉପରେ ଲୋଚନ ନାମକ ଟୀକା ବିଶଦ ଭାବରେ ଏଠାରେ ଲେଖାଯାଇଛି। ଏଠିକାର ସଂସ୍କୃତ ଲେଖକମାନଙ୍କର ନାମ ମଧ୍ୟ ସହଜରେ ଆମ ଧ୍ୟାନ ଆକର୍ଷିତ କରିଥାଏ। ଗୋଟିଏ ପଟେ ଆମେ କଲହଣ, ବିଲହଣ, ଜଲହଣ, ଶିଲଡ଼ଣ ଆଦି 'ଣ'ରେ ସମାପ୍ତ ହେଉଥିବା ନାମର ଲେଖକ ପାଇବା ବେଳେ ଅନ୍ୟପଟେ କୈୟଟ, ରୁଦ୍ରଟ, ସମ୍ମଟ ଆଦି 'ଟ'ରେ ସମାପ୍ତ ହେଉଥିବା ଲେଖକଙ୍କ ନାଁ ପାଇଥାଉ।

ଏଠାକାର କବିମାନେ ପ୍ରସିଦ୍ଧ ଥିଲେ। ସଂସ୍କୃତରେ ଯୋଗବାସିଷ୍ଠ ଏକ ପ୍ରସିଦ୍ଧ ଗ୍ରନ୍ଥ। ଏହାର ସାର ନେଇ ଗୌଡ଼ ଅଭିନନ୍ଦ ପାଞ୍ଚ ହଜାର ଶ୍ଲୋକରେ ଲଘୁ ଯୋଗବାସିଷ୍ଠ କାବ୍ୟ ଲେଖିଛନ୍ତି। ଏହି ଗ୍ରନ୍ଥ ମୂଳ ଗ୍ରନ୍ଥର ପଦ୍ୟାତ୍ମକ ରୂପ ଅଟେ, ଯେଉଁଥିରେ ଅଦ୍ୱୈତ ବେଦାନ୍ତର ସରଳ ବ୍ୟାଖ୍ୟା କରାଯାଇଛି।

ନବସାହସାଙ୍କ ଚରିତର ଲେଖକ ନଦମ ଗୁପ୍ତ ତାଙ୍କ ଆଶ୍ରୟଦାତାର ଯଶ ବର୍ଣ୍ଣନାରେ ସେହି କାବ୍ୟ ରଚନା କରିଥିଲେ। ଏହା ଚରିତ୍ର ଶୈଳୀର ଉତ୍କୃଷ୍ଟ କାବ୍ୟ ଅଟେ। କାଶ୍ମୀରର ରାଜା ଜୟାଦିତ୍ୟଙ୍କ ପ୍ରଧାନ ଅମାତ୍ୟ ଦାମୋଦର ଗୁପ୍ତ ବାର ବନିତାଙ୍କ ହାସ୍ୟ-ବିଳାସକୁ ନେଇ  ନିଜ କଟଟଣି ମତ ନାମକ କାବ୍ୟ ଲେଖିଛନ୍ତି, ଯାହା ବିଷୟ ଓ ଶୈଳୀ ଦୃଷ୍ଟିରୁ ସଂସ୍କୃତରେ ବିଶିଷ୍ଟ ସ୍ଥାନ ଅଧିକାର କରିଛି। ଭର୍ତ୍ରୁମେଷ୍ଠ ନାମକ ଜଣେ କବି 'ହୟଗ୍ରୀବ ବଧ'ର ପୌରାଣିକ ଆଖ୍ୟାନକୁ ନେଇ ଯେଉଁ କାବ୍ୟ ଲେଖିଛନ୍ତି ସେଥିରେ ବକ୍ରୋକ୍ତିର ଚିତ୍ରଣ ହୋଇଛି ଯାହାର ପ୍ରଶଂସା ଆଚାର୍ଯ୍ୟ ରାଜଶେଖର ତାଙ୍କ କାବ୍ୟ-ମୀମାଂସା ନାମକ ଗ୍ରନ୍ଥରେ କରିଛନ୍ତି।

କ୍ଷେମେନ୍ଦ୍ର ନାମକ ଜଣେ ଆଚାର୍ଯ୍ୟ ଯେଉଁଠି କାବ୍ୟର ମୂଳ ତତ୍ତ୍ୱକୁ ମାନି ବିଚାର ଚର୍ଚ୍ଚା ନାମରେ ଗୋଟିଏ ଶାସ୍ତ୍ର-ଗ୍ରନ୍ଥ ଲେଖିଛନ୍ତି, ସେଇଠି ତାଙ୍କର ଲେଖକୀୟ ପ୍ରତିଭା ରାମାୟଣ ମଞ୍ଜରୀ, ଭାରତ ମଞ୍ଜରୀ ତଥା ବୃହତକଥା ମଞ୍ଜରୀ କାବ୍ୟରେ ସ୍ପଷ୍ଟ ହୋଇଛି, ଯାହାକୁ ସେସମୟରେ ସରସ କାବ୍ୟ ବୋଲି କୁହାଯାଇଛି। କାବ୍ୟଲେଖନ ବ୍ୟତୀତ ଏଠି ଉପଦେଶାତ୍ମକ କାବ୍ୟ ମଧ୍ୟ ଲେଖାଯାଇଛି। 'କବି କଣ୍ଠାଭରଣ' ତଥା 'ସୁବୃତ୍ତ' ଏହିପରି କାବ୍ୟ ଅଟେ।

ଭଗବାନ ଶିବଙ୍କ ଦ୍ୱାରା ତ୍ରିପୁରାସୁର ବଧର ପୌରାଣିକ ଆଖ୍ୟାକୁ ନେଇ ଶ୍ରୀକଣ୍ଠ ଚରିତ ଲେଖା ଯାଇଛି।  ବିକ୍ରମାଙ୍କଦେବ ଚରିତର ଲେଖକ ବିଲହଣଙ୍କ କୀର୍ତ୍ତି ଏହି କାବ୍ୟ ଦ୍ୱାରା ପ୍ରାସାରିତ ହୋଇଥିଲା। ତାଙ୍କ ଅନୁସାରେ ଶାରଦା ଦେଶ(କାଶ୍ମୀର) ପ୍ରକୃତରେ ଭଗବତୀ ସରସ୍ୱତୀଙ୍କ କ୍ରୀଡ଼ାଭୂମି ଥିଲା। କାବ୍ୟ ଭିତରେ ଅଳଙ୍କାରର ମହତ୍ତ୍ୱକୁ  ଆଚର୍ଯ୍ୟ ଭାମହ ସ୍ଥାପିତ କରିଥିଲେ। ତାଙ୍କ
ଗ୍ରନ୍ଥ 'କାବ୍ୟାଳଙ୍କାର' କାବ୍ୟରେ ଅଳଙ୍କାରକୁ ମହତ୍ତ୍ୱ ଦେଇଛି। ଆଚାର୍ଯ୍ୟ ବାମନ ଲେଖିଛନ୍ତି 'ରୀତିରାତ୍ମା କାବ୍ୟସ୍ୟ' ଯାହା କାବ୍ୟରେ ରୀତିକୁ ଆତ୍ମା ବୋଲି ଦର୍ଶାଇ ଥାଏ। ଗୌଡ଼ି, ପଞ୍ଚାଳୀ, ବୈଦର୍ଭୀ ଆଦି କାବ୍ୟ ରୀତିର ସୂକ୍ଷ୍ମ ବିବେଚନା କରିଯାଇଛନ୍ତି। ଆଚର୍ଯ୍ୟ ରୌଦ୍ରଟ ଅଳଙ୍କାରର ବିଭାଜନ ଓ ବର୍ଗିକରଣ ବାସ୍ତବ୍ୟ ଔପମ୍ୟ ତଥା ଶ୍ଲେଷ ନାମକ ତତ୍ତ୍ୱର ଆଧାର ଉପରେ କରିଛନ୍ତି। ଆଚାର୍ଯ୍ୟ ଆନନ୍ଦବର୍ଦ୍ଧନ ଧ୍ୱନିକୁ କାବ୍ୟର ଆତ୍ମା ବୋଲି କହି ଧନଙ୍ବାନ୍ୟାଲୋକ ଗ୍ରନ୍ଥ ଲେଖିଲେ ଯାହାର ଟୀକା ଲୋଚନ ଗ୍ରନ୍ଥରେ ଆଚାର୍ଯ୍ୟ ଅଭିନବ ଗୁପ୍ତ କରିଛନ୍ତି।  ଏହାଛଡ଼ା 'ବ୍ୟକ୍ତି  ବିବେକ' ନାମକ ଗ୍ରନ୍ଥର ଲେଖକ ମହିମ ଭଟ୍ଟ ତଥା 'ଅଳଙ୍କାର ସର୍ବସ୍ୱର ଲେଖକ ରୁମ୍ୟକ ମଧ୍ୟ କାଶ୍ମୀରର ।

ପ୍ରାୟତଃ କୁହାଯାଇଥାଏ ଯେ ସଂସ୍କୃତରେ ଇତିହାସ ଗ୍ରନ୍ଥର ଘୋର ଅଭାବ ଅଛି, କିନ୍ତୁ ଏଭଳି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବାକୁ କଲହଣଙ୍କ ଗ୍ରନ୍ଥ ରାଜତରଙ୍ଗିଣୀ ଯଥେଷ୍ଟ। ସେ କାଶ୍ମୀରର ରାଜା ହର୍ଷଦେବଙ୍କର ପ୍ରଧାନମନ୍ତ୍ରୀ ଥିଲେ। ସେ ଏହି ଗ୍ରନ୍ଥରେ କାଶ୍ମୀରର ରାଜାମାନଙ୍କର ଶାସନ ପଦ୍ଧତି ତଥା ସେ ସମୟର ସ୍ଥିତିର ବିବେଚନା କରିଛନ୍ତି। ସେ ସମୟର ପ୍ରଚଳିତ ଧର୍ମ ଓ ସମାଜ ବ୍ୟବସ୍ଥାର ଉଲ୍ଲେଖ କରିଛନ୍ତି। କାଶ୍ମୀରର ପ୍ରାକୃତିକ ସୁଷମା ଯେପରି ସମସ୍ତଙ୍କୁ ଆକୃଷ୍ଟ କରେ ସେହିପରି ଏଠିକାର କବି ଲେଖକ ତଥା ଆଚାର୍ଯ୍ୟମାନଙ୍କ ଲେଖା କୌଶଳ ତଥା ବିଦ୍ୟା ବ୍ୟାସଙ୍ଗ ମଧ୍ୟ ଏଇ ଦେଶର ଖ୍ୟାତିକୁ ସୁଦୂର ପ୍ରସାରୀ କରିପାରିଛି।

୧୧.୧୦.୧୭

No comments: