Tuesday, 10 October 2017

*ନନ୍ଦନବନ ଉଜୁଡ଼ି ଯାଉଛି*

   ଭୂସ୍ବର୍ଗ ଥିଲା କାଶ୍ମୀର !
ଭାରତ ମାତାର ଉନ୍ନତ ମସ୍ତକ ଥିଲା କାଶ୍ମୀର !
ହଁ, ତାହା ଥିଲା ଅଖଣ୍ଡ କାଶ୍ମୀର !

୧୯୪୭ ବିଭାଜନ ସବୁକିଛି ଓଲଟାଇ ଦେଇଛି।
ମସ୍ତକ ଖଣ୍ଡିତ ହୋଇଛି। ଖଣ୍ଡିତ ଅଂଶକୁ ବାଣ୍ଟି ନେଇଛନ୍ତି ଚୀନ ଓ ପାକିସ୍ତାନ ନିଜ ନିଜ ଭିତରେ।

ଯେଉଁଠି ବେଦର ରୁଚା ସବୁ ବୋଲା ଯାଉଥିଲା, ଯେଉଁଠି ପବିତ୍ର ମନ୍ତ୍ରର, ପୁରାଣର, ଉପନିଷଦର ଉଦ୍ ଘୋଷ ହୋଇଥିଲା, ଯେଉଁଠି ସାକ୍ଷାତ ଆଦି ଶଙ୍କରାଚାର୍ଯ୍ୟ ଆଦି ଶକ୍ତିପୀଠ ସ୍ଥାପନା କରିଥିଲେ, ସେହି ସମସ୍ତ ଭୁଭାଗ ପାକିସ୍ତାନ ହାତେଇ ନେଇଛି !

ପାକିସ୍ତାନ ଓ ଚୀନ ହାତେଇ ଥିବା କାଶ୍ମୀର ଅତ୍ୟନ୍ତ ସମ୍ପନ୍ନ, ବିବିଧତାରେ ଭରା ଓ ଖଣିଜ ସମ୍ପଦରେ ମଧ୍ୟ ପରିପୂର୍ଣ୍ଣ । କିନ୍ତୁ ଏବେ ଏହି ପ୍ରଦେଶ ଦୁର୍ଦ୍ଦଶାର ଶିକାର ହୋଇଛି। କେଉଁ କାଳର ଜାଗ୍ରତ ଶକ୍ତି ପୀଠ 'ଶାରଦା ପୀଠ' ଆଜି ଭଗ୍ନସ୍ତୁପରେ ପରିଣତ ହୋଇଛି। ଏହି ମନ୍ଦିରରେ ଆଦି ଶଙ୍କରାଚାର୍ଯ୍ୟ ନିବାସ କରିଥିଲେ। ଏହି ପୀଠରୁ ଶାରଦା ଲିପି ତିଆରି ହୋଇଥିଲା। ଏଥିରୁ  ଶିଖ ପନ୍ଥର ଗୁରୁମୁଖୀ ଲିପି ବାହାରିଥିଲା। ନିୟନ୍ତ୍ରଣ ରେଖାର ମାତ୍ର ୧୭ କି.ମି. ଦୂରରେ ଏହି ଦେବୀସ୍ଥାନ ଆଜି ନିଦ୍ରିତ ଅବସ୍ଥାରେ ଅଛି।

ପାକିସ୍ତାନ କାଶ୍ମୀରର ବାଲ୍ଟିସ୍ଥାନ ଅଞ୍ଚଳ ଚୀନକୁ ଦେଇଦେଇଛି । ବାକି ଅଞ୍ଚଳରେ ରାଜମାର୍ଗ ତିଆରି କରିବାର ଅଧିକାର ଚୀନକୁ ଦେଇଦେଇଛି। ଏହି ରାଜ ମାର୍ଗ ଦ୍ୱାରା ଚୀନ ପାକିସ୍ଥାନର gwadar ବନ୍ଦର ପର୍ଯ୍ୟନ୍ତ ଯାଇପାରିବ। ସ୍ଥାନୀୟ କାଶ୍ମୀରବାସୀ ଏହାକୁ ବିରୋଧ କରୁଛନ୍ତି। କିନ୍ତୁ ପାକିସ୍ତାନର ନିର୍ଦେଶରେ ଚୀନ ସେନା ସେମାନଙ୍କୁ ଦମନ କରୁଛି।
ଗତ ବର୍ଷ ୧୨ ଅଗଷ୍ଟରେ  ଭାରତର ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ତାଙ୍କ ଯୋଜନାରେ ବାଧା ହୋଇ ଛିଡ଼ା ହୋଇଛି। ସେ କହିଥିଲେ,"ପି ଓ କେ ଭାରତର ଏବଂ ସେଠାରୁ ବିସ୍ଥାପିତ ହୋଇଥିବା ପ୍ରତ୍ୟେକ ଅଧିବାସୀଙ୍କୁ ସୁରକ୍ଷିତ ରଖିବା ଦାୟିତ୍ୱ ମଧ୍ୟ ଭାରତର।

ଏହା ପରେ ଚୀନର ଭାଷା ବଦଳିଛି। ସେ "ପି ଓ କେ" କୁ ସବୁବେଳେ "ପି ଏ କେ" କହି ଆସୁଥିଲା। 'ଓ' ଶବ୍ଦ  ଅକୁପାଏଡ଼ ପାଇଁ ବ୍ୟବହୃତ ହୋଇଥିବା ବେଳେ 'ଏ' ଶବ୍ଦ ଏଡ଼ମିନିଷ୍ଟର୍ଡ ପାଇଁ ବ୍ୟବହୃତ ହୋଇଥାଏ।
ଏବେ ଚୀନ ତାଙ୍କ ଗ୍ଲୋବାଲ ଟାଇମ୍ସରେ 'ପି ଓ କେ' ଲେଖିବା ଆରମ୍ଭ କରିଛି।

ଏହି ସବୁ କ୍ଷେତ୍ର ସାମରିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାଶ୍ମୀରର ଚାରି ପାଞ୍ଚଟି ଅଲଗା ଅଲଗା ଅଞ୍ଚଳ ଉପରେ ତିନିଟି ଦେଶର ଆଧିପତ୍ୟ ଅଛି। ଗିଲଗିଟ-ବାଲ୍ଟିସ୍ଥାନ, ମୁଜ୍ଜାଫରାବାଦ ଓ ମୀରପୁରର ସବୁ ଅଞ୍ଚଳ ପାକିସ୍ତାନ ଅଧୀନରେ ଅଛି। ଅକ୍ସାଇ ଚୀନ ଓ ଶକ୍ସଗମ ଘାଟି ଚୀନ ଅଧିକାର କରିନେଇଛି। ବାକି ଅଞ୍ଚଳ ଭାରତ ପାଖରେ ଅଛି। ୧୫ ଅଗଷ୍ଟ ୧୯୪୭ ପୂର୍ବରୁ କାଶ୍ମୀରର ସୀମା ତିବ୍ବତ, ଆଫଗାନିସ୍ତାନ ଓ ରୁଷର ସୀମାକୁ ଲାଗିଥିଲା।

ପରବର୍ତ୍ତୀ ସମୟରେ ତିବ୍ବତର ବଫର ଅଞ୍ଚଳକୁ ଚୀନ ଅଧିକାର କରିଛି। ସୋଭିଏତ ସଙ୍ଘ ଭାଙ୍ଗିଯାଇଛି। ତେଣୁ ଏବେର 'ପି ଓ କେ'ର ସୀମା ପାଞ୍ଚଟି ଦେଶକୁ ସ୍ପର୍ଶ କରୁଛି। ଏଥିରୁ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ ହେଲା ଗିଲଗିଟ-ବାଲ୍ଟିସ୍ଥାନ। ସାମରିକ ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଚୀନ ଓ ଆମେରିକା ଏହାକୁ ନିଜ ଅଧିକାରରେ ରଖିବାକୁ ସବୁ ପ୍ରକାର କୂଟନୀତି କରୁଛନ୍ତି। ଆଫଗାନିସ୍ତାନ, କଜାକିସ୍ତାନ, ଚୀନ ଆଦି ଦେଶର ସୀମା ଏହି 'ପି ଓ କେ'କୁ ସ୍ପର୍ଶ କରିଛି। ଏହି କ୍ଷେତ୍ର ଖଣିଜ ସମ୍ପଦରେ ଭରପୁର । ଏଠି ୧୮ ଲକ୍ଷରୁ ଅଧିକ ଲୋକ ବାସ କରୁଛନ୍ତି। ଏମାନେ ପ୍ରାୟତଃ ସିୟା ମୁସଲମାନ। ଏଥିପାଇଁ ସୁନ୍ନି ବହୁମତ ଥିବା ପାକିସ୍ତାନ ଏହି କ୍ଷେତ୍ରକୁ ସବୁବେଳେ ଅବହେଳା କରିଆସିଛି। "ପି ଓ କେ"ର ଜନ ସଂଖ୍ୟା ଏବେ ୪୦ ଲକ୍ଷ। ଏହାର ରାଜଧାନୀ ମୁଜ୍ଜାଫରାବାଦ। ପାକିସ୍ତାନ ଏହି କ୍ଷେତ୍ରକୁ "ଆଜାଦ ଜମ୍ମୁ ଏଣ୍ଡ କଶ୍ମୀର" ବୋଲି କହୁଛି।

ପାକିସ୍ତାନ ଅର୍ଥ ଓ ସୈନ୍ୟ ବିନିମୟରେ ଗିଲଗିଟ-ବାଲ୍ଟିସ୍ଥାନକୁ ଚୀନକୁ ଦେଇ ଦେଇଛି। ଅତ୍ୟନ୍ତ ସାମରିକ ମହତ୍ତ୍ୱ ଥିବା ଏହି କ୍ଷେତ୍ରରେ ବା ପୃଥିବୀର ଅସଲ ସ୍ଵର୍ଗରେ ଚୀନର ଲାଲ ସୈନିକମାନଙ୍କର ତୋପ ଓ ବନ୍ଧୁକ ଭାରତ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି।

ଭାରତର ନନ୍ଦନବନ ଏବେ ଉଜୁଡ଼ିବାରେ ଲାଗିଛି।

୧୦.୧୦.୧୭

No comments: