Wednesday, 4 October 2017

*ସିନ୍ଧୁ ଓ ସଙ୍ଘ*

     ଯେତେବେଳେ ଭାରତ ଉପରେ ବିଭାଜନର ବଜ୍ର ଚଡ଼କ ପଡ଼ିଥିଲା ସେତେବେଳେ ସିନ୍ଧୁ ପ୍ରାନ୍ତରେ ସଙ୍ଘର କାର୍ଯ୍ୟ ଆରମ୍ଭ ହୋଇ ମାତ୍ର ୯ ବର୍ଷ ବିତିିଥାଏ। କିନ୍ତୁ ଏତେ କମ ସମୟରେ ମଧ୍ୟ ସଙ୍ଘ ସେଠାରେ ସମ୍ପୂର୍ଣ୍ଣ ହିନ୍ଦୁମାନଙ୍କ ମାନସ ପଟ୍ଟରେ ଅପାର ଲୋକପ୍ରିୟତା ଅର୍ଜନ କରିଥିଲା।

୭ ଅଗଷ୍ଟ ୧୯୪୭ରେ ଶ୍ରୀଗୁରୁଜୀ ସିନ୍ଧୁ ପ୍ରଦେଶ ଯାଇଥିଲେ। ସେତେବେଳେ ସେଠିକାର ପରିସ୍ଥିତି ବହୁତ ଖରାପ ଥିଲା। ଚତୁର୍ଦିଗରେ ହାଣ କାଟ ଚାଲିଥିଲା। ତେଣୁ ପ୍ରାଣ ବିକଳରେ ହିନ୍ଦୁମାନେ ଭାରତରେ ପହଞ୍ଚି ଯିବାକୁ ଚାହୁଁ ଥିଲେ। ସେମାନେ ପାକିସ୍ତାନରୁ ଭାରତ କିପରି ବିନା ଅସୁବିଧାରେ ଆସିପାରିବେ, ଏଥିରେ ସ୍ବୟଂସେବକମାନେ ସବୁପ୍ରକାର ସହାୟତା କରିବା ପାଇଁ ଶ୍ରୀଗୁରୁଜୀ ନିର୍ଦ୍ଦେଶ ଦେଇଥିଲେ। ତାଙ୍କର ନିର୍ଦ୍ଦେଶ ଥିଲା ପ୍ରାଣକୁ ବାଜି ଲଗାଇ ହିନ୍ଦୁ ସମାଜର ରକ୍ଷା କରିବା ପାଇଁ। ତା ସହିତ ସେ ସ୍ୱ-ବାନ୍ଧବ ମାନଙ୍କୁ ଭାରତରେ ପହଞ୍ଚାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରିବା ସହିତ ସେମାଙ୍କର ମନୋବଳ ମଧ୍ୟ ବଢ଼ାଇଥିଲେ। ସେତେବେଳେ ଶ୍ରୀଗୁରୁଜୀଙ୍କ ସଭାରେ ଲକ୍ଷେ ସଂଖ୍ୟାରେ ଭିଡ଼ ଜମୁଥିଲା। ସେତେବେଳେ ସେ ହିଁ ଏକମାତ୍ର ଆଶାର କିରଣ ଥିଲେ।

ସିନ୍ଧୁ ପ୍ରାନ୍ତରୁ ସିନ୍ଧି ଓ ପଞ୍ଜାବୀ ଲୋକଙ୍କୁ ସୁରକ୍ଷିତ ଭାବେ ଭାରତରେ ପହଞ୍ଚାଇବା ପାଇଁ ସଙ୍ଘର ସ୍ୱୟଂ ସେବକମାନେ ପ୍ରାଣକୁ ବାଜି ଲଗାଇ ଦେଇଥିଲେ। ଯେଉଁମାନେ ସର୍ବହରା ହୋଇ ଆସୁଥିଲେ ସେମାନଙ୍କର ଭରଣ ପୋଷଣ ଓ ପୁନର୍ବସନର ବ୍ୟବସ୍ଥା ମଧ୍ୟ କରୁଥିଲେ। ସଙ୍ଘ ଓ ସିନ୍ଧୁ ସମାଜ ମଧ୍ୟରେ ଯେଉଁ ଆତ୍ମୀୟ ସମ୍ବନ୍ଧ ତିଆରି ହୋଇଥିଲା ସେ କଥା କେବଳ ସ୍ମରଣ ନୁହେଁ ପୁନଃ ପୁନଃ ସ୍ମରଣ କରିବାକୁ ଇଚ୍ଛା ହୁଏ।

୫୪ ଜଣ ପ୍ରଚାରକ କେବଳ ସେହି ୯ ବର୍ଷର କାଳାବଧି ଭିତରେ ସେଠାରେ ସଙ୍ଘ କାର୍ଯ୍ୟର ବିସ୍ତାର କରିଥିଲେ। ସମାଜ ପାଇଁ କାର୍ଯ୍ୟ କରିବାକୁ ନିଜର ସୁଖି ଜୀବନ, ବ୍ୟବସାୟ ଓ ଯୋଗ୍ୟତାକୁ ତୁଛ ମଣି ଏତେ ସଂଖ୍ୟାରେ ପ୍ରଚାରକ ସଙ୍ଘ ପ୍ରେରଣାରେ ବାହାରିଥିଲେ । ଏଥିରୁ ସେମାନଙ୍କର ମାତୃଭୂମି ପ୍ରତି କେତେ ସମର୍ପଣ ଭାବନା ଥିବ ତାର ମଧ୍ୟ ଅନୁମାନ କରାଯାଇପାରେ। ବିଭାଜନ ସମୟରେ ଏହି ପ୍ରଚାରକମାନେ ପାକିସ୍ତାନରୁ ଆସିଥିବା ପରିବାରମାନଙ୍କର ପୁନର୍ବସନ କରାଇବାରେ ଅଥକ ପରିଶ୍ରମ କଲେ। ପଳାଇ ଆସିଥିବା ସ୍ୱୟଂସେବକମାନେ ନିଜ ପରିବାରର ଦାୟୀତ୍ୱ ବୁଝିବା ସହିତ ସଙ୍ଘ କାର୍ଯ୍ୟ ବଢ଼ାଇବାରେ ସହଯୋଗ କଲେ। ମୁମ୍ବାଇରେ ଭାରତୀୟ ସିନ୍ଧୁ ସଭା ଗଠନ କଲେ।

ସିନ୍ଧୁ ପ୍ରାନ୍ତରେ ସଙ୍ଘ କାର୍ଯ୍ୟ ଆରମ୍ଭ କରିବା ପାଇଁ ଡକ୍ଟରଜୀ କେ ଡି ଯୋଶୀଙ୍କୁ ୧୯୩୭ରେ ସିଆଲକୋଟ ପଠାଇଥିଲେ। ଶ୍ରୀ ଯୋଶୀ ସେଠାରେ ଏକ ମହାବିଦ୍ୟାଳୟରେ ଅଧ୍ୟୟନ କରିବା ସହିତ ଶାଖା ଆରମ୍ଭ କରି ଅନେକ ସ୍ୱୟଂସେବକ ନିର୍ମାଣ କରିବାରେ ସଫଳ ହେଲେ । ସେହି ଶାଖାରୁ ରାଜପାଲ ପୁରୀ ପ୍ରଚାରକ ରୂପେ ବାହାରି ହାଇଦ୍ରାବାଦ-ସିନ୍ଧରେ କାର୍ଯ୍ୟ ବଢ଼ାଇଲେ। ୧୯୩୮ରେ ଡକ୍ଟରଜୀ ପୁଣି ଶ୍ରୀ ଭିଶିକରଙ୍କୁ ଏମ ଏ ପଢ଼ିବା ନିମିତ୍ତ କରାଚୀ ପଠାଇ ଥିଲେ। ସେ ସେଠାରେ ପାଠପଢ଼ା ସହ ଶାଖା ଆରମ୍ଭ କରିଦେଇଥିଲେ।

ଧୀରେ ଧୀରେ ସଙ୍ଘ କାର୍ଯ୍ୟ ବିସ୍ତାର ହେବାରେ ଲାଗିଲା। ହିନ୍ଦୁ ମାନଙ୍କ ଭିତରେ ଆତ୍ମବିଶ୍ୱାସ ଜାଗୃତ ହେଲା । ଅନ୍ୟାୟ ଅତ୍ୟାଚାର ବିରୋଧରେ ଲଢ଼ିବାକୁ ହିନ୍ଦୁ ସମାଜ ସମର୍ଥ ହେବାରେ ଲାଗିଲା।
ପୂ. ଶ୍ରୀଗୁରୁଜୀ ଅଖିଳ ଭାରତୀୟ ପ୍ରବାସରେ  ନିୟମିତ ରୂପେ ସିନ୍ଧୁ ପ୍ରାନ୍ତ ଯାଉଥିଲେ। ୧୯୪୩, ୧୯୪୫ ଓ ୧୯୪୬ ରେ ତାଙ୍କର ସିନ୍ଧୁ ପ୍ରାନ୍ତ ପ୍ରବାସ ହେବା ସହ ୧୯୪୭ରେ ସ୍ୱାଧୀନତା ଘୋଷଣାର ଏକ ସପ୍ତାହ ପୂର୍ବରୁ ମଧ୍ୟ ସେ ସିନ୍ଧୁ ପ୍ରଦେଶ ଯାଇଥିଲେ।

୫ ଅଗଷ୍ଟ ୧୯୪୭ ରେ କରାଚୀରେ ଶ୍ରୀଗୁରୁଜୀଙ୍କ ସଭା ଐତିହାସିକ ଥିଲା। ସେତେବେଳେ କରାଚୀରେ ରହୁଥବା ୩ ଲକ୍ଷ ହିନ୍ଦୁମାନଙ୍କ ମଧ୍ୟରୁ ୧ ଲକ୍ଷ ହିନ୍ଦୁ ସଭାରେ ଯୋଗ ଦେଇଥିଲେ।
୭ ଅଗଷ୍ଟ ୧୯୪୭ ରେ ହାଇଦ୍ରାବାଦ-ସିନ୍ଧରେ ଗୁରୁଜୀଙ୍କ ସଭା ହୋଇଥିଲା। ସେଠାରେ ରହୁଥିବା ୬୦, ୦୦୦ ହିନ୍ଦୁ ମାନଙ୍କ ଭିତରୁ ୩୦,୦୦୦ ହିନ୍ଦୁ ଗୁରୁଜୀଙ୍କ ସଭାରେ ଭାଗ ନେଇଥିଲେ। ପ୍ରତ୍ୟକ ସଭାରେ ପୂଜ୍ୟ ଶ୍ରୀଗୁରୁଜୀ ବିଭାଜନ ପ୍ରସ୍ତାବକୁ ଆଦୌ ନ ମାନିବା ପାଇଁ ରାଷ୍ଟ୍ରୀୟ ନେତୃବୃନ୍ଦଙ୍କୁ କରବଦ୍ଧ ନିବେଦନ କରୁଥିଲେ।

ତାଙ୍କର ପ୍ରବାସ ଓ ସ୍ୱୟଂସେବକମାନଙ୍କର ସେବାକାର୍ଯ୍ୟ ଦ୍ୱାରା ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବରେ ସମ୍ପୂର୍ଣ୍ଣ ସିନ୍ଧୁ ସମାଜ ସହ ସଙ୍ଘର ସମ୍ପର୍କ ହୋଇଯାଇଥିଲା।

ସ୍ୱାଧୀନତା ଓ ବିଭାଜନ ଦିବସ ଯେତେ ପାଖେଇ ଆସୁଥାଏ ସେତେ ମାତ୍ରାରେ ହିନ୍ଦୁ ପରିବାର ସ୍ଥାନାନ୍ତରିତ ହୋଇଚାଲିଥିଲେ। ତଥାପି ୧ ଲକ୍ଷ ହିନ୍ଦୁ କରାଚୀରେ ରହିଯାଇଥିଲେ । ସେମାନଙ୍କ ପାଇଁ ମାର୍ଚ୍ଚ ୧୯୪୭ରେ ସ୍ଵୟଂସେବକମାନେ କରାଚୀ ରିଲିଫ ଫଣ୍ଡ ଗଠନ କଲେ। ମେ ୧୯୪୭ ସୁଦ୍ଧା ୫ ଲକ୍ଷ ରାଶି ଏକତ୍ରୀତ ହୋଇଯାଇ ଥିଲା। ରାଜପାଲ ପୁରୀ ଓ ଖେମଚନ୍ଦ ମନସୁଖାନୀଙ୍କ ନେତୃତ୍ୱରେ ଏଇ ନିଧି ସଂକଳିତ ହୋଇଥିଲା।

ବିଭାଜନର ଅନେକ ଦିନ ପୂର୍ବରୁ ସମସ୍ତ କଂଗ୍ରସ ନେତା ସିନ୍ଧୁ ଛାଡ଼ି ଭାରତ ପଳାଇ ଆସିଥିଲେ। କିନ୍ତୁ ସଙ୍ଘର ସ୍ୱୟଂସେବକମାନେ ଶେଷ ସମୟ ପର୍ଯ୍ୟନ୍ତ ସେଠାରେ ରହି ହିନ୍ଦୁ ମାନଙ୍କୁ ବଞ୍ଚାଇବା ସହିତ ଅସଂଖ୍ୟ ସ୍ୱୟଂସେବକ ଚକ୍ରବ୍ୟୁହରେ ପଡ଼ି ବୀର ଅଭିମନ୍ୟୁ ସାଜିଥିଲେ। ରାଷ୍ଟ୍ର ସେବିକା ସମିତି ମଧ୍ୟ ସେଠାରେ ସହାୟତା କାର୍ଯ୍ୟରେ ଲାଗିଥିଲା।

ଏହିଭଳି ଅନେକ ପ୍ରସଙ୍ଗ ରହିଛି । ଯାହା କାରଣରୁ ସଙ୍ଘ ଓ ସିନ୍ଧୁ ସମାଜ ମଧ୍ୟରେ ଅକୃତିମ ଆତ୍ମୀୟତା ସୃଷ୍ଟି ହୋଇଯାଇଛି । ଏହି ଆତ୍ମବଳିଦାନ ଓ ଅସୀମ ତ୍ୟାଗ ଆମ ପାଇଁ ଅନେକ ପ୍ରଶ୍ନ ଛାଡ଼ି ଯାଇଛି।

୫. ୧୦. ୧୭

No comments: