ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଏକ ବଙ୍ଗାଳି ବ୍ରାହ୍ମଣ ପରିବାରରେ ୬ ଜୁଲାଇ ୧୯୦୧ରେ ହୋଇଥିଲା। ତାଙ୍କ ବାପା ସାର ଆଶୁତୋଷ ମୁଖାର୍ଜୀ ବଙ୍ଗର ଜଣେ ଖ୍ୟାତନାମା ଓକିଲ ଥିଲେ ଓ ପରେ କୋଲକାତା ବିଶ୍ୱବିଦ୍ୟାଳୟର କୁଳପତି ହୋଇଥିଲେ।
ତାଙ୍କ ମାତାଙ୍କ ନାମ ଥିଲା ଯୋଗମାୟା ଦେବୀ। ସେଇ ମହିୟସୀ ମହିଳା ଏପରି ଏକ ପୁତ୍ରରତ୍ନକୁ ଜନ୍ମ ଦେଇଥିଲେ ଯିଏ ଦେଶକୁ ଅଖଣ୍ଡ ରଖିବା ପାଇଁ ଆତ୍ମାହୁତି ଦେଇଦେଲେ।
ଶ୍ୟାମାପ୍ରସାଦ ୧୯୨୧ରେ ସ୍ନାତକ ପରୀକ୍ଷାରେ ପ୍ରଥମ ସ୍ଥାନ ଓ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ। ତାଙ୍କର ବିଷୟ ଇଂରାଜୀ ଥିଲା। ୧୯୨୪ ରେ କୋଲକାତା ଉଚ୍ଚ ନ୍ୟାୟାଳୟରେ ସେ ଓକିଲାତି ଆରମ୍ଭ କଲେ। ୧୯୨୬ରେ ଇଂଲଣ୍ଡ ଯାଇ ୧୯୨୭ରେ ବାରିଷ୍ଟର ହୋଇ ଫେରିଲେ। ୧୯୩୪ରେ ସେ କୋଲକାତା ବିଶ୍ୱବିଦ୍ୟାଳୟର ସବୁଠୁ କମ ବୟସ୍କ କୁଳପତି ହୋଇଥିଲେ। ଏହି ପଦରେ ସେ ୧୯୩୬ ଯାଏ ରହିଲେ।
ତାଙ୍କ ବିବାହ ସୁଧା ଦେବୀଙ୍କ ସହ ହୋଇଥିଲା। କେବଳ ୧୧ ବର୍ଷର ଗୃହସ୍ତ ଜୀବନରେ ତାଙ୍କର ପାଞ୍ଚଟି ସନ୍ତାନ ଜନ୍ମ ହୋଇଥିଲେ। ଶେଷ ସନ୍ତାନ ପୁଅଟିଏ ମାତ୍ର ୪ ମାସରେ ଡିପଥେରିଆର ଶୀକାର ହୋଇ ମୃତ୍ୟୁ ବରଣ କଲା। ସେଇ ଆଘାତରେ ସୁଧା ଦେବୀ ମଧ୍ୟ ଚାଲି ଗଲେ।
ରାଜନୈତିକ ଜୀବନ
ଶ୍ରୀ ମୁଖାର୍ଜୀ ୧୯୨୬ରେ କୋଲକାତା ବିଶ୍ୱବିଦ୍ୟାଳୟରେ କଂଗ୍ରସ ପ୍ରତିନିଧି ଭାବେ ବିଧାନ ପରିଷଦର ସଭ୍ୟ ହୋଇଥିଲେ। ତା'ପରେ କଂଗ୍ରସ ଛାଡ଼ି ନିର୍ଦଳୀୟ ଭାବେ ନିର୍ବାଚନ ଲଢ଼ି ଜିତିଲେ ଓ ବଙ୍ଗ ପ୍ରାନ୍ତର ଅର୍ଥ ମନ୍ତ୍ରୀ ହେଲେ। ଏହି ପଦରେ ସେ ୧୯୪୧ ରୁ ୧୯୪୨ ଯାଏ ରହିଲେ। ଏହାପରେ ହିନ୍ଦୁମହାସଭା ସମ୍ପର୍କରେ ଆସି ସେ ହିନ୍ଦୁମାନଙ୍କ ପକ୍ଷ ରଖୁଥିବା ଏକ ପ୍ରଭାବୀ ନେତା ହୋଇଗଲେ। ୧୯୪୪ରେ ସେ ହିନ୍ଦୁମହାସଭାର ଅଧ୍ୟକ୍ଷ ହେଲେ ଏବଂ ମୁସଲିମ ଲିଗର ସାମ୍ପ୍ରଦାୟିକ ହିଂସା ଓ ନରସଂହାରରୁ ହିନ୍ଦୁମାନଙ୍କୁ ରକ୍ଷା କରିବାର ସଂକଳ୍ପ ନେଲେ।
୧୧.୨.୧୯୪୧ରେ ଗୋଟିଏ ହିନ୍ଦୁ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଲେ, 'ଯେଉଁ ମୁସଲମାନ ପାକିସ୍ତାନରେ ରହିବାକୁ ଇଚ୍ଛୁକ ସେମାନେ ନିଜ ବିଛଣା ପତ୍ର ନେଇ ଭାରତ ଛାଡ଼ି ଚାଲି ଯାଆନ୍ତୁ।'
ସ୍ୱାଧୀନତା ପ୍ରାପ୍ତି ପରେ
ପ୍ରଧାନମନ୍ତ୍ରୀ ପ. ନେହେରୁଙ୍କ କ୍ୟାବିନେଟରେ ସେ ଶ୍ରମ ଏବଂ ଯୋଗାଣ ମନ୍ତ୍ରୀ ହୋଇଥିଲେ। ରାଷ୍ଟ୍ରୀୟ କଂଗ୍ରସର ସେ ସର୍ବାଧିକ ସମ୍ମାନୀତ ନେତାଭାବେ ଆବିର୍ଭାବ ହେଉଥିଲେ। ସର୍ଦ୍ଦାର ପଟେଲଙ୍କ ସହିତ ସବୁ ବଡ଼ ବଡ଼ ନେତା ତାଙ୍କ ଦ୍ୱାରା ବହୁତ ପ୍ରଭାବିତ ଥିଲେ।
ପରନ୍ତୁ ୧୯୫୦ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଲିୟାକତ ଅଲ୍ଲୀ ଖାଁ ସହିତ ଯେଉଁ ଦିଲ୍ଲୀ ସନ୍ଧି ହେଲା ତାହାକୁ ସେ ବିରୋଧ କରି ୬.୪.୫୦ରେ ନେହେରୁ ମନ୍ତ୍ରମଣ୍ଡଳରୁ ଇସ୍ତଫା ଦେଇଦେଲେ।
ସଙ୍ଘର ସରସଙ୍ଘଚାଳକ ପୂଜନୀୟ ଶ୍ରୀଗୁରୁଜୀଙ୍କ ସହ ପରାମର୍ଶ କରି ସେ ୨୧.୧୦.୧୯୫୧ରେ ଦିଲ୍ଲୀରେ ଭାରତୀୟ ଜନସଂଘର ସ୍ଥାପନା କଲେ ଓ ତାର ପ୍ରଥମ ଅଧ୍ୟକ୍ଷ ରହିଲେ। ୧୯୫୨ ର ଲୋକସଭା ନିର୍ବାଚନରେ ତାଙ୍କ ଦଳ ତିନୋଟି ଆସନ ଜିତିଥିଲା। ସେଥିରୁ ସେ ବି ଗୋଟିଏ ଆସନରେ ଜିତିଥିଲେ।
ଜମ୍ମୁ କାଶ୍ମୀର
ଜମ୍ମୁ କାଶ୍ମୀରକୁ ସମ୍ବିଧାନର ୩୭୦ ଧାରା ଅନ୍ତର୍ଗତ ଵିଶେଷ ସୁବିଧା ଦେବା କଥା ଉଠିବାରୁ ସେ ଏହାର ବିରୋଧ କଲେ। ହିନ୍ଦୁ ମହାସଭା ଓ ରାମରାଜ୍ୟ ପରିଷଦ ସହ ମିଶି ଏକ ସଂଯୁକ୍ତ ମଞ୍ଚ ତିଆରି କଲେ। ବିନାଶକାରୀ ବ୍ୟବସ୍ଥା ବିରୋଧରେ ଏକ ପ୍ରଚଣ୍ଡ ସାମୂହିକ ସତ୍ୟାଗ୍ରହ କଲେ। ଏହି ବିଷୟରେ କଥାବାର୍ତ୍ତା କରିବାପାଇଁ ୧୯୫୩ରେ ସେ କାଶ୍ମୀରରେ ପହଞ୍ଚିଲେ। ୧୧.୫.୫୩ ରେ ତାଙ୍କୁ ବନ୍ଦୀ କରାଗଲା। ବନ୍ଦୀ ଅବସ୍ଥାରେ ୨୩ ଜୁନରେ ତାଙ୍କର ରହସ୍ୟ ଜନକ ମୃତ୍ୟୁ ହେଲା।
କଂଗ୍ରେସ ଦ୍ୱାରା କାଶ୍ମୀରକୁ ବିଶେଷ ସୁବିଧା ଦେବା ଭିତରେ ଥିଲା ୧) ଅଲଗା ପତାକା ୨) ଅଲଗା ପ୍ରଧାନ ମନ୍ତ୍ରୀ ୩) ଅଲଗା ସମ୍ବିଧାନ । ଏହି ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତିଙ୍କ ବ୍ୟତୀତ ଆଉ କେହି ଭାରତୀୟ କାଶ୍ମୀରରେ ପ୍ରବେଶ କରିପାରିବେ ନାହିଁ।
ଏହି ବ୍ୟବସ୍ଥା ବିରୋଧରେ ଡ. ମୁଖାର୍ଜୀଙ୍କ ସ୍ଲୋଗାନ ଥିଲା - "ଏକ ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ ଔର ଦୋ ନିଶାନ ନହିଁ ଚଲେଙ୍ଗେ।"
ମାତା ଯୋଗମାୟା ଦେଵୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପୁତ୍ର ହତ୍ୟାର ରହସ୍ୟ ଜାଣିବା ପାଇଁ ତଦନ୍ତ କରିବାକୁ ନିବେଦନ କରିଥିଲେ, କିନ୍ତୁ ସେ ଏହାକୁ କର୍ଣ୍ଣପାତ କଲେ ନାହିଁ। ଯୋଗମାୟାଙ୍କ ଯୋଗ୍ୟ ସନ୍ତାନଙ୍କ ମୃତ୍ୟୁର ରହସ୍ୟ ଜାଣିବାକୁ ଆଜି ଯାଏ ଗୋଟିଏ ବି ତଦନ୍ତ କମିଶନ ବସି ପାରିଲା ନାହିଁ।
୨୦.୧୦.୧୭

No comments:
Post a Comment