ଅଷ୍ଟମ ଶତାବ୍ଦୀରେ ମହାରାଜା ଦାହିର ଓ ତାଙ୍କ ପରିବାରର ଆରବୀୟମାନଙ୍କ ସହ ସଂଘର୍ଷ ଓ ମତୃଭୂମିକୁ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ପରିବାରର ବାଳିଦାନ ଭାରତ ଇତିହାସର ଏକ ଗୌରବୋଜ୍ଵଳ ଆଧ୍ୟାୟ। ଦାହିରଙ୍କ ରାଜ୍ୟର ରାଜଧାନୀ ଅଲଟ(ଆରୋଡ଼) ଥିଲା। ତାହା ବହୁତ ସୁନ୍ଦର ଓ ସମୃଦ୍ଧ ସହର ଥିଲା। ୭୫ ବର୍ଷ ପର୍ଯ୍ୟନ୍ତ ଆରବର ଖଲିଫାମାନେ ୧୪ ଥର ସିନ୍ଧୁ ପ୍ରଦେଶ ଉପରେ ଆକ୍ରମଣ କରି ଅସଫଳ ହେଲେ। ଏଥିରେ ସେମାନଙ୍କର ବହୁତ ଧନ ଜୀବନ ନଷ୍ଟ ହେଲା। ତାପରେ (ଏହାକୁ ମିଶାଇଲେ ୧୫ ଥର ହେବ) ଯେତେବେଳେ ପୁଣି ଆକ୍ରମଣ କରିବାକୁ ଆସିଲେ ସେତେବେଳେ ଆରବର ଖଲିଫା ଅହଜ୍ଜାଜ ତାର ପୁତୁରା ଓ ଜ୍ୱାଇଁ ମହମ୍ମଦ ବିନି କାସିମକୁ ପଠାଇଲା। କାସିମର ନେତୃତ୍ୱରେ ଗୋଟିଏ ବିଶାଳ ସେନା ଆସିଥିଲା ଯେଉଁଥିରେ ଛ ହଜାର ଘୋଡା ସବାର, ଛଅ ହଜାର ଓଟ ସବାର, ଏବଂ ଷାଠିଏ ହଜାର ଲଢୁଆ ସୈନିକ ଥିଲେ। ଭୌଗୋଳିକ ଦୃଷ୍ଟିରୁ ସିନ୍ଧୁ ପ୍ରାନ୍ତ ଭାରତର ସୀମା ଥିଲା। ଶତ୍ରୁ ମାନଙ୍କ ପାଇଁ ସିନ୍ଧୁ ପ୍ରାନ୍ତ ନ ଡେଇଁଲେ ଭାରତରେ ପ୍ରବେଶ ଅସମ୍ଭବ ଥିଲା। ତେଣୁ ସିନ୍ଧୁ ପ୍ରାନ୍ତ ହିଁ ଭାରତର ସୁରକ୍ଷା ପ୍ରହରୀ ଥିଲା।
ମହମ୍ମଦ ବିନି କାସିମ ସହ ମହାରାଜା ଦାହିର ସେନ ପ୍ରାଣ ପଣେ ଲଢ଼ିଲେ। ମହାରାଜାଙ୍କ ରାଜ୍ୟରେ ବୌଦ୍ଧ ମତାବଲମ୍ବୀଙ୍କ ସଂଖ୍ୟା ବହୁତ ଅଧିକ ଥିଲା। ସେମାନେ ମହାରାଜଙ୍କୁ ସହାୟତା କରିବା ବଦଳରେ ମହମ୍ମଦ ବିନି କାସିମକୁ ସହଯୋଗ କଲେ। ଯୁଦ୍ଧ ପଡ଼ିଆରେ ମଧ୍ୟ ମହାରାଜା ଧର୍ମ ଯୁଦ୍ଧ ଯଥା ନାରୀ, ଗୋ ରକ୍ଷା ଆଦି ପ୍ରତି ସମ୍ବେଦନଶୀଳ ଥିଲେ। କୁଟ ଯୁଦ୍ଧ କରୁଥିବା କାସିମ ଏହାର ଭରପୁର ଲାଭ ଉଠାଇଲା।ବନ୍ଦୀ ହୋଇଥିବା କିଛି ମହିଳାଙ୍କ ସହିତ ଆରବ ସେନାମାନଙ୍କୁ ମହିଳା ବେଶ ଧାରଣ କରି ଗୋଟିଏ କୋଣରେ ହା ହା କାର କରୁଣ ଚିତ୍କାର କରାଇଲା। ବଞ୍ଚାଅ, ବଞ୍ଚାଅ, ଆରବ ସେନା ଆମ ଶୀଳ ହରଣ କରୁଛି। ଏ ଚିତ୍କାର ଶୁଣି ରାଜା ଏକୁଟିଆ ସେ ଦିଗକୁ ଚାଲିଗଲେ।
ଏହିପରି ତାଙ୍କ ସହ ଧୋକାବାଜି କରି ମହମ୍ମଦ ବିନି କାସିମ ଓ ତାର ସେନା ମହାରାଜାଙ୍କୁ ଘେରି ତୀର ଓ କମାଣ ଚଳାଇ ଆଘାତ କରିଦେଲେ। ତଥାପି ସେ ଯୁଦ୍ଧରୁ ପଳାୟନ ନ କରି ଶତ୍ରୁଙ୍କ ସହ ଲଢ଼ି ଲଢ଼ି ବଳି ବେଦିରେ ଚଢ଼ିଗଲେ। ସେ ଶହୀଦ ହେବା ପରେ ତାଙ୍କ ଧର୍ମପତ୍ନୀ ମହାରାଣୀ ଲାଡ଼ିବାଇ ଯୁଦ୍ଧର ନେତୃତ୍ୱ ନେଲେ। ଆରବ ସେନା ସହ ଲଢ଼ୁଥିବା ବେଳେ ସେ ଦେଖିଲେ ଚତୁର୍ପାର୍ଶ୍ୱରେ ଘେରାବନ୍ଦୀ ହୋଇସାରିଛି। ତେଣୁ ସେ ତାଙ୍କ ବିରବ୍ରତୀ ଲଳନାଙ୍କ ସହ ଜହ୍ୱର ବ୍ରତକୁ ଅଙ୍ଗୀକାର କରିବାକୁ ଉଚିତ ମଣିଲେ। ରାଜକୁମାରୀ ସୂର୍ଯ୍ୟା ଓ ପରିମାଳଙ୍କୁ ଯେତେବେଳେ ବନ୍ଦୀ କରି ଖଲିଫା ପାଖକୁ ଭେଟି ସ୍ୱରୂପ ପଠାଗଲା ସେତେବେଳେ ସେ ଲଳନା ଦୁଇଜଣ ତାଙ୍କ ବୁଦ୍ଧି ଓ ଚତୁରତାର ଉପଯୋଗ କଲେ। ସେମାନେ ଏକ କାହାଣୀ ଖଲିଫାକୁ ଶୁଣାଇଲେ - "ହେ ଖଲିଫା, ଆପଣଙ୍କ ପାଖକୁ ପଠାଇବା ପୂର୍ବରୁ ଏ ମହମ୍ମଦ ବିନି କାସିମ ଆମକୁ ତିନି ରାତି ତା କକ୍ଷରେ ରଖିଥିଲା। ଏଥିପାଇଁ ଆମେ ଅପବିତ୍ର ହୋଇଯାଇଛୁ।"
ଏହା ଶୁଣି ଖଲିଫାର ମୁଣ୍ଡ ଗରମ ହୋଇଗଲା। ସେ ମହମ୍ମଦ ବିନି କାସିମକୁ ଷଣ୍ଢ ଚମଡ଼ାରେ ବାନ୍ଧିଆଣି ତାଙ୍କ ସାମନାରେ ହାଜର କରିବାକୁ ଆଦେଶ ଦେଲା। ଖଲିଫାର ଆଦେଶ ପାଳନ ହେଲା ଓ ଷଣ୍ଢ ଚମଡ଼ାରେ ବନ୍ଧା ହୋଇଥିବା ଜୀବିତ କାସିମକୁ ତାଙ୍କ ସମ୍ମୁଖରେ ରଖାଗଲା। ସେତେବେଳକୁ କାସିମ ଅଣନିଶ୍ୱାସୀ ହୋଇ ମରିସାରି ଥିଲା। କାସିମ ତ ଏ ଲଳନା ଦୁହିଁଙ୍କୁ ସ୍ପର୍ଶ କରି ନ ଥିଲା। ମିଥ୍ୟା କାହାଣୀ ଗଢ଼ି ଏ ବୀରାଙ୍ଗନା ଦୁଇ ଜଣ ପିତୃ ହତ୍ୟାର ପ୍ରତିଶୋଧ ନେବାରେ ସଫଳ ହେଲେ ଓ ଅନ୍ୟ କାହାର ହେବା ପୂର୍ବରୁ ବିଷ ଖାଇ ପ୍ରାଣ ତ୍ୟାଗ କରିଥିଲେ। ଏହିପରି ଭାବରେ ଭାରତବର୍ଷକୁ ରକ୍ଷା କରିବା ପାଇଁ ଏହି ରାଜ ପରିବାରର ସମସ୍ତେ ଶହୀଦ ହୋଇଗଲେ । ଏ ବାଳିଦାନ ବ୍ୟର୍ଥ ଗଲା ନାହିଁ। କାସିମକୁ ସିନ୍ଧୁରେ ୧୫ ମାସ ଯୁଦ୍ଧ କରିବାକୁ ପଡ଼ିଥିଲା। ଏତେ ସବୁ ହେବା ପରେ ମଧ୍ୟ ସିନ୍ଧୁର ହିନ୍ଦୁମାନେ ୫୦-୬୦ ବର୍ଷ ଭିତରେ ଆରବ ରାଜ୍ୟକୁ ସମାପ୍ତ କରିଦେଇଥିଲେ। କେବଳ ତାଙ୍କ ଦ୍ୱାରା ନିର୍ମିତ ଏକ ସହର ମଂସୁରାରେ ସେମାନଙ୍କ ଅସ୍ତିତ୍ବ କିଛି ରହିଯାଇଥିଲା। ଏହାପରେ ଆଗାମୀ ୩୦୦ ବର୍ଷ ପର୍ଯ୍ୟନ୍ତ ଇସଲାମ ଅନୁଯାୟୀମନେ କୌଣସି ବଡ଼ ଆକ୍ରମଣ କରିବାକୁ ସାହସ କରିନାହାନ୍ତି। ଏହାହିଁ ହେଉଛି ଆମ ଭାରତବର୍ଷର ସତତ ସଂଘର୍ଷର ଇତିହାସର ଏକ ଗୌରବୋଜ୍ଵଳ ଅଧ୍ୟାୟ।
ସିନ୍ଧୁର ବିଭାଜନ ପୂବରୁ ଥିବା ଶିକ୍ଷା ମନ୍ତ୍ରୀ ତଥା ସିନ୍ଧୁର ସ୍ୱାଧୀନତା ପାଇଁ ୩୨ ବର୍ଷ ଜେଲରେ ଥିବା ଜି. ଏମ. ସୟଦ ମହାରାଜା ଦାହିର ସେନଙ୍କୁ ସିନ୍ଧୁର ନାୟକ ବୋଲି କହିଛନ୍ତି। ସେ କହିଛନ୍ତି, "ମୁଁ ୪୩ବର୍ଷ ହେଲା ପାକିସ୍ତାନରେ ଅଛି ଓ ୬୦୦ ବର୍ଷ ହେଲା ଆମର ବଂଶଧର ମୁସଲମାନ ହୋଇଯାଇଛନ୍ତି। କିନ୍ତୁ ସିନ୍ଧୁ ତ ୫୦୦୦ ବର୍ଷରୁ ଅଛି। ଦାହିର ସେନ ମୋର ପୂର୍ବଜ ଥିଲେ ଓ ମହମ୍ମଦ ବିନି କାସିମ ଜଣେ ଲୁଟେରା ଥିଲା।"
ଏହି ବିଚାରକୁ ନେଇ ପାକିସ୍ତାନରେ ଏବେ ସ୍ୱତନ୍ତ୍ର ସିନ୍ଧୁ ଦେଶର ଆନ୍ଦୋଳନ ବ୍ୟାପକ ଢଙ୍ଗରେ ଚାଲିଛି।
୩.୧୦.୧୭

No comments:
Post a Comment