Sunday, 1 October 2017

ସିନ୍ଧୁ

  ଆମ ଜାତୀୟ ସଙ୍ଗୀତରେ ପଞ୍ଜାବ ସିନ୍ଧୁ ବୋଲାଯାଉଛି। କିନ୍ତୁ ସିଟି ସ୍କାନ କଲେ ବି ସିନ୍ଧୁକୁ ପାଇବା କଠିନ। ୧୪ ଅଗଷ୍ଟ ୧୯୪୭ ଅର୍ଦ୍ଧ ରାତିରେ ସିନ୍ଧୁ କଟିଗଲା। ସିନ୍ଧିମାନଙ୍କୁ ନିଜ ଭିଟାମାଟିରୁ ଉପାଡ଼ି ବାହାରକୁ ଫିଙ୍ଗିଦିଆଗଲା। ବିଭାଜନରେ ଏହା ଠାରୁ ବଳି ଅଭିଶାପ ଆଉ କଣ ହୋଇପାରେ ? ବଙ୍ଗାଳୀମାନଙ୍କୁ ତ ଅତି କମରେ ଅଧା ବଙ୍ଗ ମିଳିଥିଲା, ପଞ୍ଜାବୀମାନଙ୍କୁ ବି ଅଧା ପଞ୍ଜାବ ମିଳିଥିଲା ହେଲେ ଏ ଅଭାଗା ସିନ୍ଧିମାନଙ୍କୁ ଉପହାରସ୍ୱରୂପ ମିଳିଲା ହତ୍ୟା ନରସଂହାର ଓ ମାତୃଭୂମିରୁ ନିଷ୍କାସନ। ପରିଣାମସ୍ୱରୂପ ସିନ୍ଧୁର ହିନ୍ଦୁ ସୁନା ଫଳାଉ ଥିବା ଶସ୍ୟ ଶ୍ୟାମଳା କ୍ଷେତ ଜମି ବାଡ଼ି, ପୁରୁଷ ପୁରୁଷ ଧରି ରହିଆସିଥିବା ବାସ ଭବନ, ମହାନ ମହାନଜୋଦାଡୋ  ଭଳି ଗୌରବମୟୀ ପୁଣ୍ୟଭୂମି ତ୍ୟାଗ କରି ପ୍ରାଣ ଟିକକ ବଞ୍ଚାଇବା ପାଇଁ ଆସିଗଲେ ଭାରତର ଦୂର ଦୁରାନ୍ତରେ ଥିବା କେଉଁ ନଗର ବସ୍ତି ବା ଗ୍ରାମକୁ। ନିଜ ସିନ୍ଧୁଭୂମିକୁ ତ୍ୟାଗକରି ତାଙ୍କୁ ସ୍ୱାଧୀନତାର ମୂଲ୍ୟ ଦେବାକୁ ପଡିଛି। ଏହା କଟୁ ସତ୍ୟ। ସିନ୍ଧୁ ପ୍ରାନ୍ତ ଭାରତର ଏକ ମହତ୍ତ୍ୱପୂର୍ଣ୍ଣ ଓ ଗୌରବମୟ ଅଙ୍ଗ ଥିଲା। ବିଭାଜନ ସହିତ ସିନ୍ଧି ଭାଷା ସାହିତ୍ୟ ଓ ସଂସ୍କୃତିର ବି ବିଭାଜନ ହୋଇଗଲା। ଭାରତ  ବିଭାଜନ ବିଶ୍ୱ ଇତିହାସ ପାଇଁ ପ୍ରମୁଖ ଘଟଣା ହେଉ କି ନ ହେଉ କିନ୍ତୁ ସିନ୍ଧି ସମାଜ ପାଇଁ ଏହା ଅତ୍ୟନ୍ତ ପୀଡ଼ଦାୟକ ଘଟଣା।

ବିଭାଜନ ସମୟରେ ପିନ୍ଧିଥିବା ଲୁଗା ଛଡ଼ା ଆଉ କିଛି ଆଣିବାକୁ ତାଙ୍କ ପାଖରେ ତର ନଥିଲା। ଆଖି ଆଗରେ ଥିଲା ଆତ୍ମୀୟ ସ୍ୱଜନଙ୍କ ନରସଂହାରର ହୃଦୟବିଦାରକ ଦୃଶ୍ୟ। ଯେମିତି ବି ହେଉ ସେଥିରୁ ବର୍ତ୍ତି ଭାରତରେ କେମିତି ପହଞ୍ଚିଯିବା - କେବଳ ଏତିକି ଥିଲା ଚିନ୍ତା। କେଉଁଆଡ଼େ ଯାଉଛନ୍ତି, କଣ ସେଠିକାର ଜଳବାୟୁ, କଣ ସେଠିକାର ଭାଷା, ଖାଲି ହାତ ଥିବା ସିନ୍ଧି ତ ପ୍ରଥମେ ସ୍ତବ୍ଧ ହୋଇଯାଇଥିଲେ, କିନ୍ତୁ ହତାଶ ହୋଇ ନ ଥିଲେ। ଛୋଟ ଛୋଟ କଅଁଳା ଛୁଆ, କୁଆଁରି ଝିଅ, ବୃଦ୍ଧ ମାଆ ବାପା, ପତ୍ନୀ ଏ ସମସ୍ତଙ୍କୁ ନେଇ କେଉଁଆଡ଼େ ଯିବେ ? କିନ୍ତୁ ସେମାନେ ଖଣ୍ଡିତ ଭାରତର ସୀମା ଛୁଇଁବା ପରେ ସେମାନଙ୍କୁ ଲାଗିଥିଲା ପୁନର୍ଜନ୍ମ ହେଲା ବୋଲି। ସେତେବେଳେ ତାଙ୍କୁ ଶାନ୍ତିର ରାହା ଟିକେ ମିଳିଥିଲା। ମାନବତାର ପାଠ ପଢ଼ାଉ ଥିବା ଲୋକଙ୍କର ଏ ଇତିହାସ ନ ପଢ଼ାଇବାକୁ ବେଶୀ ଚିନ୍ତା।

ଆଉ କଣ ଥିଲା ଏ ନିରୀହମାନଙ୍କ ପାଖରେ ?  ଥିଲା ସେମାନେ କହୁଥିବା ଭାଷା ବା ମାତୃଭାଷା ସିନ୍ଦୀ। ଯାହାହେଉ ଭାରତର ଆତ୍ମୀୟତା ଓ ସେମାନଙ୍କର କଠିନ ପରିଶ୍ରମ ଆଜି ସେମାନଙ୍କୁ ଭାରତରେ ସମାଜିକ, ରାଜନୈତିକ, ସାହିତ୍ୟ, ସଂସ୍କୃତି ଓ ଅନ୍ୟ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିପାରିଛି। ଭାରତରେ ସେମାନେ ଆଜି ସମ୍ମାନୀତ। ସିନ୍ଧି ସଂସ୍କୃତି, ସିନ୍ଧି ସଭ୍ୟତା, ସିନ୍ଧି ଲିପି ହେଉଛି ସିନ୍ଧିମାନଙ୍କର ବୈଶିଷ୍ଟ୍ୟ। ପରିବାରର ଆର୍ଥିକ ସ୍ଥିତିକୁ ସୁଧାରି ସୁଧାରି ସେମାନଙ୍କର ଏତେ ସମୟ ଯାଇଛି ଯେ ସଂସ୍କୃତି, ସଭ୍ୟତା ପଛକୁ ଚାଲିଯାଇଛି। ଆସିଲାବେଳେ ତ ସିନ୍ଧି ଭାଷା ଲିପି ନେଇ ଆସିଥିଲେ, କିନ୍ତୁ ପରବର୍ତ୍ତୀ ପିଢ଼ି ତାହା ଭୁଲିବାରେ ଲାଗିଛି।

ଯେଉଁ ସିନ୍ଧୁଠାରୁ ହିନ୍ଦୁ ସଂସ୍କୃତିର ସୃଷ୍ଟି ହୋଇଥିଲା ଯେଉଁମାନେ ସନାତନ ଧର୍ମରେ ଆଗୁସାର ଥିଲେ -  ପଛକୁ ଚାଲିଯାଉଥିବା ଭଳି ପ୍ରତୀତ ହେଉଛି। ସିନ୍ଧି ସମାଜର କଣ ହେବ ? ସିନ୍ଧି ଭାଷା ଓ ବୋଲିର କଣ ହେବ ? ନୂଆ ପିଢ଼ିଙ୍କୁ ତାଙ୍କର ସନ୍ଥ, ମହାତ୍ମା, ଯୋଦ୍ଧା, ବିଦ୍ୱାନ, ଶହୀଦଙ୍କ ସହ ଭାଷା ଓ ଲିପିର ଜ୍ଞାନ ଅଛି କି ନା ସନ୍ଦେହ। କିନ୍ତୁ ସେମାନଙ୍କ ସଂଖ୍ୟା କିଛି କମ ନାହିଁ । ଆଜି ସର୍ବତ୍ର ମିଶାଇଲେ ତାଙ୍କ ସଂଖ୍ୟା ଆଠ କୋଟିରୁ କମ ହେବ ନାହିଁ। ତେଣୁ ଏହି ସସ୍କୃତିର ରକ୍ଷା ପାଇଁ ସିନ୍ଦୀ ସମାଜକୁ ଓ ଭାରତ ସରକାରଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

ଶରଣାର୍ଥୀ ଶବ୍ଦ ସେମାନଙ୍କ ପାଇଁ ଅପମାନଜନକ। ଆମେ ଆମଲୋକଙ୍କୁ ଶାରଣାର୍ଥୀ କହୁଛୁ। ଭେଦ ଭାବ କରୁଛୁ। କିନ୍ତୁ ଅନୁପ୍ରବେଶକାରୀଙ୍କୁ ଗଳାର ହାର କରୁଛୁ । ଏ ଚରିତ୍ରକୁ ଆମକୁ ବଦଳାଇବାକୁ ହେବ। ୧୯୪୭ ର ବିଭାଜନ ଭାରତ ଭିତରେ ରହୁଥିବା ଲୋକଙ୍କ ପାଇଁ ସ୍ୱାଧୀନତା ହୋଇପାରେ କିନ୍ତୁ ସିନ୍ଧୁର ହିନ୍ଦୁଙ୍କ ପାଇଁ ଏହା ଆନନ୍ଦର ଘଟଣା ନୁହଁ। ତାଙ୍କ ଭୂମି ପରାଧୀନ ହୋଇଯାଇଛି। ଜଣେ ସିନ୍ଧି କବି ଡ଼. ରବୀପ୍ରକାଶ ଟେକଚନ୍ଦାନୀ ଲେଖିଛନ୍ତି -

କହତେ ହୋ କ୍ୟା ହୁଆ ଜୋ ସିନ୍ଧ ଛୋଡ଼ ଆଏ
ଅପନେ ମୋହଲେ କୋ ଜରା ଛୋଡ଼ କର ତୋ ଦେଖୋ
ବିଛୋହ କେ ଦର୍ଦ କା ଏହସାସ ଅଭି-ଅଭି ହୋ ଜାଏଗା
ଅପନି ମା ସେ ଦୋ ପଲ ଦୂର ହୋକର ତୋ ଦେଖୋ.....

୨.୧୦.୧୭

1 comment:

ସମଭୂ said...

ସିନ୍ଧି ଜନତାଙ୍କ ହୃଦୟର ଭାଷା କଲମରେ ପ୍ରକାଶ କରି ପାରି ଥିବାରୁ ଅଭିନନ୍ଦନ ଓ ଧନ୍ୟବାଦ।