ଏକଦା କଲିକତାର ପ୍ରସିଦ୍ଧ ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତ ବ୍ୟାକରଣ ପଢ଼ାଇବା ନିମନ୍ତେ ଗୋଟିଏ ଅଧ୍ୟାପକ ପଦବୀ ଖାଲି ଥିଲା । ସେତେବେଳେ ସଂସ୍କୃତ ବିଦ୍ୱାନ ରୂପେ ଈଶ୍ୱର ଚନ୍ଦ୍ର ବିଦ୍ୟା ସାଗରଙ୍କ ବିଶେଷ ସୁନାମ ଥିଲା। ତେଣୁ ଅଧ୍ୟକ୍ଷ ମହୋଦୟ ସ୍ୱାଭାବିକ ଭାବେ ତାଙ୍କ ନିକଟକୁ ଅନୁରୋଧ ପତ୍ରଟିଏ ପଠାଇଦେଲେ । ସେଥିରେ ସେ ସଂସ୍କୃତ ଅଧ୍ୟାପକ ପଦ ଗ୍ରହଣ କରିବାକୁ ଅନୁରୋଧ କରି ଲେଖିଥିଲେ, "ଆପଣ ଏଇ ପଦବୀ ଗ୍ରହଣ କଲେ ମହାବିଦ୍ୟାଳୟ ଗୌରବାନ୍ୱିତ ହେବ ଓ ଆପଣଙ୍କ ପ୍ରତି କୃତଜ୍ଞ ରହିବ ।"
ଈଶ୍ୱରଚନ୍ଦ୍ରଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଥିଲା । ପଦବୀ ଗ୍ରହଣ କଲେ ଭଲ ଦରମା ସହ ଯଥେଷ୍ଟ ସମ୍ମାନ ମିଳିବାର ସମସ୍ତ ସମ୍ଭାବନା ଥିଲା । ସମସ୍ତେ ଆଶା କରିଥିଲେ ଯେ ସେ ତୁରନ୍ତ ଚାକିରୀରେ ଯୋଗ ଦେବେ। କିନ୍ତୁ ଅଧ୍ୟକ୍ଷଙ୍କ ନିଯୁକ୍ତି ପତ୍ର ପଢ଼ି ସେ କ୍ଷଣେ ମାତ୍ର ବିଚାର କରି ତାଙ୍କର ଅସହମତି ଜଣାଇଲେ । ସେ ଲେଖିଲେ, "ଆପଣଙ୍କୁ ବ୍ୟାକରଣର ଅଧ୍ୟାପକ ଦରକାର । ମୋ ମତରେ ମୁଁ ଏଇ ବିଷୟ ପାଇଁ ଯୋଗ୍ୟତମ ପ୍ରାର୍ଥୀ ନୁହେଁ । ଏଇ ବିଷୟରେ ମୋଠୁ ଅଧିକ ଯୋଗ୍ୟ ଓ ବିଦ୍ୱାନ ହେଉଛନ୍ତି ମୋ ମିତ୍ର ଶ୍ରୀ ତାରକ ବାଚସ୍ପତି । ଯଦି ଆପଣ ତାଙ୍କୁ ନିଯୁକ୍ତି କରନ୍ତେ ତେବେ ମୋତେ ବଡ଼ ସନ୍ତୋଷ ମିଳନ୍ତା, କାରଣ ଏହି ପଦବୀରେ ଜଣେ ଯୋଗ୍ୟତମ ବ୍ୟକ୍ତି ନିଯୁକ୍ତି ପାଇଲେ ।"
ଅଧ୍ୟକ୍ଷ ଯେତେବେଳେ ଈଶ୍ୱର ଚନ୍ଦ୍ରଙ୍କ ଉତ୍ତର ପଢ଼ିଲେ, ଶ୍ରଦ୍ଧାରେ ତାଙ୍କ ମଥା ନଇଁ ଗଲା । ସେ ଭାବିଲେ, ସତରେ ଏ ବ୍ୟକ୍ତି କେତେ ମହାନ ?
ଅନ୍ତରରେ ନିଜ ଜ୍ଞାନ ଲାଗି ତିଳେ ମାତ୍ର ଅହଂକାର ନାଇଁ । ମିଥ୍ୟା ସମ୍ମାନ, ପଦ ପଦବୀ ପ୍ରତି ଟିକେ ବି ଲୋଭ ନାହିଁ । ଯେଉଁ ବ୍ୟକ୍ତି ନିଜ ଠାରୁ ଅନ୍ୟକୁ ଶ୍ରେଷ୍ଠ ମଣେ, ବାସ୍ତବରେ ସେ ଜଣେ ହୃଦୟବାନ ବ୍ୟକ୍ତିତ୍ୱ ।
ଈଶ୍ୱରଚନ୍ଦ୍ରଙ୍କ ପ୍ରସ୍ତାବକୁ କଲେଜ ସହର୍ଷ ସ୍ୱୀକାର କଲା । ଏହାର ସୂଚନା ବିଦ୍ୟାସାଗରଙ୍କୁ ବି ମିଳିଗଲା । ମିତ୍ରଙ୍କ ନିଯୁକ୍ତି ଖବର ପାଇ ସେ ପ୍ରସନ୍ନ ହେଲେ ।
ଏଭଳି ଶୁଭ ଖବର ଦେବା ପାଇଁ ତୁରନ୍ତ ଯାଇ ବନ୍ଧୁଙ୍କ ଘରେ ପହଞ୍ଚି ଗଲେ । ବାଚସ୍ପତି ମହୋଦୟ ଏ ଖବର ପାଇ ବଡ଼ ଆଶ୍ଚର୍ଯ୍ୟ ହେଲେ । କାରଣ ସେ ଏଇ ପଦବୀ କଥା ଜାଣିନଥିଲେ ତେଣୁ ଆବେଦନ କରିବାର ପ୍ରଶ୍ନ ବି ଉଠି ନଥିଲା ।
ଈଶ୍ୱର ଚନ୍ଦ୍ର ତାଙ୍କୁ ସମସ୍ତ ଘଟଣା ଶୁଣାଇଲେ । ବାଚସ୍ପତି ଏ କଥା ଶୁଣି ଆନନ୍ଦରେ ଗଦଗଦ ହୋଇଗଲେ । ସେ ମିତ୍ରଙ୍କୁ କୁଣ୍ଢେଇ ପକେଇ କହିଲେ,
" ଈଶ୍ୱରଚନ୍ଦ୍ର, ତୁମକୁ ଦେଖି ମୋତେ ଗର୍ବ ଲାଗୁଛି ଯେ ଆଜି ବି ସଂସାରରେ ଏତେ ବିନମ୍ର ବିଦ୍ୱାନ ଅଛନ୍ତି ।"
କେବଳ ଜ୍ଞାନୀ ହେବାରେ ମହତ୍ତ୍ୱ ନାହିଁ , ପ୍ରକୃତରେ ବିଦ୍ୱାନର ଶୋଭା ତାଙ୍କ ଆଚରଣରୁ ଜଣାପଡ଼େ ।
୧୬.୮.୧୭

No comments:
Post a Comment