Friday, 25 August 2017

*ଚିନ୍ତା ନୁହେଁ ଚିନ୍ତନ*

ପ୍ରସିଦ୍ଧ ଗଣିତଜ୍ଞ ତଥା ଜ୍ୟୋତିର୍ବିଜ୍ଞାନୀ ଭାସ୍କରାଚାର୍ଯ୍ୟଙ୍କର କନ୍ୟା ଲୀଳାବତୀ ଦୁର୍ଭାଗ୍ୟବଶତଃ ଅଳ୍ପ ବୟସରେ ବିଧବା ହୋଇଗଲେ । ଭାସ୍କରାଚାର୍ଯ୍ୟଙ୍କ ପାଇଁ ଝିଅର ଦୁଃଖ ଅସହନୀୟ ଥିଲା । ତେଣୁ ସେ ପୁତ୍ରୀକୁ ସ୍ବଗୃହକୁ ନେଇ ଆସିଲେ । ଲୀଳାବତୀ ସର୍ବଦା ଶୋକଗ୍ରସ୍ତା ହୋଇ ନିଜ ଭାଗ୍ୟକୁ ନିନ୍ଦୁ ଥିଲେ ।

କିଛି ଦିନ ଉତ୍ତାରୁ ଭାସ୍କରାଚାର୍ଯ୍ୟ କହିଲେ,
"ଝିଅ, ମୁଁ ତୋର ଦୁଃଖ ଅନୁଭବ କରି ପାରୁଛି । ହେଲେ ବିଧିର ବିଧାନକୁ ତ ମାନିବାକୁ ପଡ଼ିବ। ତାହା ବଦଳେଇ ହେବ ନାହିଁ । ଅତଃ ଧୈର୍ଯ୍ୟର ସହ ଅବଶେଷ ଜୀବନର ସାର୍ଥକ ବିନିଯୋଗ କର ।"

ଏହା ଶୁଣି ଲୀଳାବତୀ କହିଲେ, "ବାପା, ଆପଣ ମୋତେ ଉପାୟ ବତାନ୍ତୁ ମୁଁ କଣ ଅବା କରିବି ?
ମୋ ମୁଣ୍ଡରେ କିଛି ପଶୁ ନାହିଁ ।"

ଭାସ୍କରାଚାର୍ଯ୍ୟ ଉତ୍ତର ଦେଲେ, "ଝିଅ, ତୋ ପାଖରେ ପ୍ରଖର ବୁଦ୍ଧି ଅଛି । ଗଣିତଶାସ୍ତ୍ର ଅଧ୍ୟୟନରେ ମନକୁ କେନ୍ଦ୍ରୀଭୂତ କର । ତା ଦ୍ୱାରା ଅନ୍ତରର  ଦୁଃଖ ଦୂର ହୋଇଯିବ । ବଞ୍ଚିବାର ନୂତନ ଦିଗନ୍ତ ମିଳିବ ।"

ଏଇ କଥା ଲୀଳାବତୀ ମନକୁ ପାଇଗଲା । ସେ ନିଜ ଜୀବନର ସମ୍ପୂର୍ଣ୍ଣ ସମୟ ଗଣିତ ପଢ଼ାରେ ଲଗାଇଦେଲେ। କ୍ରମଶଃ ସେ ଦୁଃଖ ଭୁଲିବାକୁ ଲାଗିଲେ । ତାଙ୍କ ମୁଣ୍ଡରେ ଥିବା ଚିନ୍ତା ଚିନ୍ତନରେ ରୂପାନ୍ତରିତ ହୋଇଗଲା ।

ଲୀଳାବତୀ ସଂଖ୍ୟା ଗଣିତରେ ଅନେକ ଗ୍ରନ୍ଥ ରଚନା କଲେ । ବାପାଙ୍କ ସହ ମିଶି ଗଣିତ ଗବେଷଣାରେ ସେ ଏତେ ମଗ୍ନ ହୋଇ ଗଲେ ଯେ, ଭାସ୍କରାଚାର୍ଯ୍ୟ ତାଙ୍କ ରଚିତ ଏକ ଗ୍ରନ୍ଥର ନାମ ଲୀଳାବତୀ ରଖିଲେ ।

ଏହି ଗ୍ରନ୍ଥ ଭାସ୍କରାଚାର୍ଯ୍ୟ ଓ ଲୀଳାବତୀଙ୍କୁ ଅମର କରିଦେଲା । ଆଜି ବି ଲୀଳାବତୀ ସୂତ୍ର ଗଣିତଶାସ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ।
୧୨.୮.୧୭

No comments: