ବାରାଣସୀରେ ଶାସ୍ତ୍ର ଆଲୋଚନା ଓ ସାଧନା କରୁଥିଲେ ଶ୍ରୀଧର ସ୍ୱାମୀ । ତାଙ୍କୁ ଗୀତାର ତାଳ ପତ୍ର ପୋଥି ଖଣ୍ଡିଏ ମିଳିଲା । ଆଗରୁ ସେ ଗୀତା ପଢ଼ିଥିଲେ । ଏବେ ଏ ଖଣ୍ଡିକ ପଢ଼ି ସେ ମୁଗ୍ଧ ହେଲେ । ସେଦିନ ରାତିରେ ଭଗବାନ ବିନ୍ଦୁମାଧବ ତାଙ୍କୁ ସ୍ୱପ୍ନରେ ଆଦେଶ ଦେଲେ - "ମୋ ନାମ ସ୍ମରଣ କରି ତୁମେ ଗୀତାର ଟୀକା ରଚନା କର ।"
ଆଦେଶ ପାଳନ କରି ଶ୍ରୀଧର ଟୀକା ରଚନା କାମ ଆରମ୍ଭ କଲେ । ସହଜରେ ତାହା ମଧ୍ୟ ଶେଷ ହୋଇଗଲା । ଶ୍ରୀଧରଙ୍କ ଟୀକା ବାରାଣସୀରେ ଚହଳ ପକାଇ ଦେଲା; କାରଣ ତାହା ଥିଲା ପ୍ରଭୁଙ୍କ କରୁଣା । କେତେ ପଣ୍ଡିତ ସେହି ଟୀକାକୁ ପଢ଼ି ଭୁରି ଭୁରି ପ୍ରଶଂସା କଲେ । ଆଉ କେତେକ ନିନ୍ଦା ମଧ୍ୟ ଗାଇଲେ । ଶ୍ରୀଧରଙ୍କ ଗୀତା ଟୀକାର ମୂଲ୍ୟ ନିରୂପଣ କରିବାକୁ ଭଗବାନ ବିନ୍ଦୁମାଧବଙ୍କ ମନ୍ଦିରରେ ସଭାଟିଏ ବସିଲା । ସେଠାକୁ ଅନ୍ୟ ପଣ୍ଡିତମାନେ ଲେଖିଥିବା ଟୀକା ମଧ୍ୟ ନିଆଗଲା । ସବୁଗୁଡ଼ିକ ବିନ୍ଦୁମାଧବଙ୍କ ମୂର୍ତ୍ତି ପାଖରେ ଥୋଇଦେଇ ପଣ୍ଡିତମାନେ ପ୍ରାର୍ଥନା କଲେ - "ପ୍ରଭୁ ! ଯେଉଁ ଟୀକା ସବୁଠାରୁ ଭଲ ଏବଂ ଆପଣଙ୍କ ପସନ୍ଦ ତାହା ଆପଣଙ୍କ ପାଦ ପାଖକୁ ନେଇଯାଆନ୍ତୁ ।" ପ୍ରାର୍ଥନା ପରେ ମନ୍ଦିର କବାଟ ଆଉଜେଇ ଦିଆଗଲା । କିଛି ସମୟ ପରେ କବାଟ ଖୋଲିବାରୁ ଜଣାଗଲା ଶ୍ରୀଧର ସ୍ୱାମୀଙ୍କ ଲିଖିତ ଟୀକାକୁ
ଭଗବାନ ବିନ୍ଦୁମାଧବ ସ୍ୱୀକୃତି ପ୍ରଦାନ କରିଛନ୍ତି । ସମସ୍ତେ ଶ୍ରୀଧର ସ୍ୱାମୀଙ୍କୁ ଶ୍ରେଷ୍ଠ ବୋଲି ମାନିନେଲେ । ସେ ଆଦର ଓ ଭକ୍ତି ପାଇବାକୁ ଲାଗିଲେ । ତାଙ୍କର ଅନେକ ଶିଷ୍ୟ ମଧ୍ୟ ସୃଷ୍ଟି ହେଲେ ।
ଶ୍ରୀଧର ସ୍ୱାମୀ ପରିଣତ ବୟସରେ ପହଞ୍ଚିଲେ । ମାଧବ ବୋଲି ଜଣେ ପ୍ରିୟ ଶିଷ୍ୟ ତାଙ୍କ ପାଖରେ ରହି ସେବା କରୁଥାଏ ।
ଦିନେ ହଠାତ ମାଧବର ମାଆ ପଶି ଆସିଲେ । ସେ କାନ୍ଦୁଥାନ୍ତି । ମାଧବ ଆଶ୍ଚର୍ଯ୍ୟ ହୋଇ ମାଆକୁ କାନ୍ଦିବାର କାରଣ ପଚାରିଲା । ମାଆ କହିଲେ -"ତୋର ବାପା ଅଚାନକ ବେମାର ପଡ଼ି ଚେତା ହରେଇଛନ୍ତି । ମୁଁ କ'ଣ କରିବି ମୋତେ କିଛି ବୁଦ୍ଧି ଦିଶୁ ନାହିଁ ।"
ମାଧବ ଯୋଡ଼ ହସ୍ତରେ ଶ୍ରୀଧରଙ୍କୁ କହିଲା -"ଗୁରୁଦେବ ! ବାପାଙ୍କର ଅବସ୍ଥା ଖରାପ । ଏଣେ ଆପଣଙ୍କ ଦେହ ଭଲ ନାହିଁ । ମୁଁ କଣ କରିବି କୁହନ୍ତୁ ।"
ଶ୍ରୀଧର ସାମାନ୍ୟ ହସି କହିଲେ, "ମାଧବ, ତୁମେ ଯାଅ ବାପାଙ୍କର ଯତ୍ନ ନିଅ । ଆଜି ରାତିଟା ମୁଁ କୌଣସି ପ୍ରକାରେ ଚଳାଇ ନେବି ।" ମାଧବ ଓ ତାର ମାଆ ଚାଲିଗଲେ । ସେହି ରାତିରେ ଶ୍ରୀଧରଙ୍କ ଜ୍ୱର ବେଶୀ ବଢ଼ି ଗଲା । ଭୋକରେ ପେଟ ଜଳିବାକୁ ଲାଗିଲା । ଅଳ୍ପ ଦୂରରେ କିଛି ଖାଦ୍ୟ ପଦାର୍ଥ ଅଛି; କିନ୍ତୁ ସେ ପର୍ଯ୍ୟନ୍ତ ଯିବାକୁ ଶକ୍ତି ନାହିଁ । ସେ ଭଗବାନ ବିନ୍ଦୁମାଧବଙ୍କୁ ଆତୁର ହୋଇ ସ୍ମରଣ କରୁଥାନ୍ତି । ଅନ୍ଧାର ରାତିରେ ପହଞ୍ଚିଲା ଶିଷ୍ୟ ମାଧବ । ଶ୍ରୀଧରଙ୍କୁ ଖୁଆଇ ପିଆଇ ବାସନ ଧୋଇଲା । ଦେହ ହାତ ଘଷି ଦେଲା । ଆରାମରେ ଶୋଇଗଲେ ଶ୍ରୀଧର । ରାତି ପାହିଲା । ମାଧବ ବାପାଙ୍କୁ ଭଲ କରି ଫେରି ଆସିଲା । ଶ୍ରୀଧରଙ୍କୁ ପଚାରିଲା -"ଗୁରୁଦେବ, କାଲି ରାତିରେ କିଛି ଅସୁବିଧା ହୋଇନାହିଁ ତ ?"
ଶ୍ରୀଧର କହିଲେ - "ରାତିସାରା ତୁମେ ମୋ ପାଖରେ ଥିଲ । ଅସୁବିଧା କ'ଣ ହେବ ?" ମାଧବ କହିଲା - "ମୁଁ ରାତିସାରା ବାପାଙ୍କ ପାଖରେ ଥିଲି । ଆସି ନ ଥିଲି ।'" ଶ୍ରୀଧର ସହଜରେ ବୁଝିଗଲେ - ଶିଷ୍ୟ ମାଧବ ନୁହେଁ; ଗୀତାର ନାୟକ ବିନ୍ଦୁମାଧବ ଶିଷ୍ୟ ବେଶରେ ଗୀତା ସାଧକଙ୍କ ସେବା କରିଛନ୍ତି ।
୧୨.୭.୧୭

No comments:
Post a Comment