Saturday, 26 August 2017

*ଭଗବାନ ବିଷ୍ଣୁଙ୍କ କୃପା*

      ନାରଦ ମୁନି ଭଗବାନ ବିଷ୍ଣୁଙ୍କର ଅନନ୍ୟ ଭକ୍ତ ଥିଲେ । ସେ ତାଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଥିଲେ । ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା ଭଗବାନଙ୍କ ଉପାସନା ଓ ତାଙ୍କ ଗୁଣ କୀର୍ତ୍ତନ । ସେ ବୀଣା ହାତରେ ଧରି ଭଗବାନଙ୍କ ଧୂନ ଗାଇ ନାରାୟଣ  ନାମ ଉଚ୍ଚାରଣ କରୁଥିଲେ । ଈଶ୍ୱରଙ୍କ ନାମ ତିନିଲୋକରେ ପ୍ରଚାର କରୁଥିଲେ । ତାଙ୍କର ସାଂସାରିକ ଜୀବନ ମୋହମାୟା ନଥିଲା। ଈଶ୍ବରଙ୍କ ନାମ କୀର୍ତ୍ତନ ହିଁ ତାଙ୍କ ଜୀବନର ଧ୍ୟେୟ ଥିଲା। ସେ ନିଃସ୍ୱାର୍ଥପର ଭାବେ ବିଷ୍ଣୁପ୍ରେମରେ ମତ୍ତ ଥିଲେ । ଏହି ମାର୍ଗରେ ଯେତେଦିନ ପର୍ଯ୍ୟନ୍ତ ସେ ଅଟଳ ଥିଲେ ସେତେଦିନ ପର୍ଯ୍ୟନ୍ତ ସବୁ ଠିକ୍ ଥିଲା । ହେଲେ, ନିଜର ଭକ୍ତି ଓ ସେବା ପାଇଁ ତାଙ୍କ ମନରେ ଥରେ ଗର୍ବ ଆସିଲା।

           ଦିନେ ସେ ଏକ ରାଜ୍ୟର ରାଜ ପ୍ରାସାଦରେ ପହଞ୍ଚିଲେ । ରାଜା ଯେତେବେଳେ ଦେଖିଲେ ଦେବର୍ଷି ଆସିଛନ୍ତି ସେ ତାଙ୍କ କନ୍ୟାର ହସ୍ତରେଖା ଦେଖି ତାର ଭବିଷ୍ୟତ ଜାଣିବା ପାଇଁ ନାରଦଙ୍କୁ ଅନୁରୋଧ କଲେ । ଦେବର୍ଷି କନ୍ୟାର ହସ୍ତରେଖା ଦେଖିଲେ । ସେ ହସ୍ତରେଖା ଏମିତି ଥିଲା, ଯାହାର ପରିଣାମ ସ୍ୱରୂପ ଯିଏ  କନ୍ୟାକୁ ବିବାହ କରିବ ସେ ଅମର ହୋଇଯିବ । ଏହା ଦେଖି ନାରଦଙ୍କ ନିଜ ଧ୍ୟେୟ ବିସ୍ମରଣ ହୋଇଗଲା । କନ୍ୟା ପ୍ରତି ତାଙ୍କ ମନରେ ଆସକ୍ତି ଜାତ ହେଲା । ଅମର ହେବାର ଆକାଂକ୍ଷା ପ୍ରବଳ ହେଲା ।

       ମନରେ ବିଚାର ଆସିଲା ଯେ ବହୁତ ଦିନ ହେଲା ସେ ଏକାକୀ ବଡ଼ କଷ୍ଟରେ ରହୁଛନ୍ତି । ଏଭଳି ସୁଅବସର ଆଉ ମିଳିବ ନାହିଁ । ଏଇ କନ୍ୟା ସହ ଯଦି ବିବାହ ହୋଇଯାଏ ତେବେ ରାଜ୍ୟ ମିଳିବ ଏବଂ ଦାମ୍ପତ୍ୟ ସୁଖ  ସହ ଅମରତ୍ୱ ବି ପ୍ରାପ୍ତ ହେବ । ଏଭଳି ନିରନ୍ତର ଯାଯାବର ଜୀବନର ବି ଅନ୍ତ ହୋଇଯିବ । ତେଣୁ ଏଇ କନ୍ୟା ସହ ବିବାହ କରିବା ଉପଯୁକ୍ତ ହେବ ।
ହସ୍ତରେଖା ଅନୁସାରେ ଜଣାପଡୁଛି ଯେ ବହୁତ ଶୀଘ୍ର ସେ କନ୍ୟାକୁ ସୁନ୍ଦର   ଯୁବକଟିଏ ମିଳିଯାଇପାରେ । ଏମିତି  ହେଲେ, ରାଜା ଯଦି ସେ ଯୁବକ ସହ କନ୍ୟାର ବିବାହ କରାଇ ଦେବେ ତେବେ ମୋର ଇଚ୍ଛା ବେକାର ହୋଇଯିବ ।

       ଏଥିପାଇଁ ସେ ଉପାୟ ଖୋଜିବା ଆରମ୍ଭ କରିଦେଲେ । ସେ ରାଜାଙ୍କୁ ଜଣାଇଲେ,
" ଲକ୍ଷଣ ଖୁବ ଭଲ ଜଣାପଡୁଛି; କିନ୍ତୁ ୩ ଦିନ ଭିତରେ ଯଦି ବିବାହ କରା ନ ଯାଏ ତେବେ ସବୁ ବିଫଳ ହୋଇଯିବ।"
     ଦେବର୍ଷି ହୋଇ ବି କାମନାର ପୂର୍ତ୍ତି ପାଇଁ ସେ ସେଦିନ ଅସତ୍ୟ କହିଲେ । କିନ୍ତୁ ରାଜା ଭାବିଲେ ଇଏ ତ ଦେବର୍ଷି । ଅବଶ୍ୟ ସତ୍ୟ କହୁଥିବେ। ରାଜା ଦେବର୍ଷିଙ୍କ କଥାକୁ ବିଶ୍ୱାସ କରି କନ୍ୟାକୁ ତିନି ଦିନ ଭିତରେ ବିବାହ କରିଦେବା ପାଇଁ ସ୍ଵୟମ୍ବର ସଭା ଡାକିଲେ । ରାଜ୍ୟ ସାରା ଏ ଖବର ବ୍ୟାପିଗଲା । ଅନ୍ୟରାଜ୍ୟରେ ବି ଚର୍ଚ୍ଚା ଆରମ୍ଭ ହୋଇଗଲା।

       ନାରଦ ଚିନ୍ତା କଲେ ସ୍ଵୟମ୍ବର ସଭାରେ ଯିଏ ସବୁଠୁ ସକ୍ଷମ ଏବଂ ସୁନ୍ଦର ହେବ ରାଜକୁମାରୀ ତାର ଗଳାରେ ବରଣ ମାଳା ପକାଇବ । ସେ ନିଜକୁ ସୁନ୍ଦର ଓ ସକ୍ଷମ କରିବାପାଇଁ ଲାଗିପଡ଼ିଲେ । ସେ ଭାବିଲେ ଯେ ମୁଁ ଆଜି ପର୍ଯ୍ୟନ୍ତ କେବଳ ନାରାୟଣଙ୍କ ଚିନ୍ତା କରିଆସିଛି । ତାଙ୍କର ସବୁ ସେବା କରିଛି । ଏବେ ଯଦି ତାଙ୍କୁ ମୋ କାମନାକୁ ପୂରା କରିବା ପାଇଁ କିଛି ମାଗିବି ସେ କଣ ଦେବେ ନାହିଁ ?
ତେଣୁ ସେ ଆଉ କିଛି ଆଗପଛ ବିଚାର ନ କରି ସିଧା ଭଗବାନ ବିଷ୍ଣୁଙ୍କ ପାଖରେ ପହଞ୍ଚି ଗଲେ ।

      ଭଗବାନ ଗୋଲକ ବିହାରୀ ବିଷ୍ଣୁ ସ୍ମିତହସି କହିଲେ, "କୁହ ଦେବର୍ଷି ! କେଉଁଥି ପାଇଁ ଆସିଲ ?"

       ନାରଦ କହିଲେ, "ପ୍ରଭୁ ! ମୁଁ ଆଜି ଯାଏ ଆପଣଙ୍କୁ କିଛି ମାଗି ନାହିଁ । ପୂରା ଜୀବନ ଆପଣଙ୍କ ସେବାରେ ଆପଣଙ୍କ ନାମ, କୀର୍ତ୍ତନ ଓ ଭକ୍ତିରେ ଲଗାଇ ଦେଇଛି । ଆଜି ଏମିତି ଅବସର ଆସିଛି ଯେ ମୁଁ ଆପଣଙ୍କ ଠାରୁ କିଛି ମାଗିବାକୁ ଆସିଛି । ଆପଣ ମୋର ମନୋକାମନା ପୂର୍ଣ୍ଣ କରନ୍ତୁ ।"
  
       ଭଗବାନ କହିଲେ, "ଦେବର୍ଷି ! ଆପଣ ଏମିତି କଣ କହୁଛନ୍ତି ? ଆପଣ ତ ମୋର ଅତି ପ୍ରିୟ । ଏମିତି କେଉଁ ଦ୍ରବ୍ୟ ଅଛି ଯେ ମୁଁ ଆପଣଙ୍କୁ ଦେଇ ପାରିବିନି ? କୁହ, କଣ ଦରକାର ?"

      ନାରଦ ନିର୍ଦ୍ବନ୍ଦ୍ୱରେ ନିଜ ମନ କଥା ଖୋଲି କହିଦେଲେ । ତା'ପରେ ପୁଣି କହିଲେ,
"ମୋର ଏ ଯେଉଁ ଚେହେରା ଅଛି ୟାକୁ ଦେଖି ରାଜକୁମାରୀ ମୋଟେ ମୋତେ ବରଣ କରିବ ନାହିଁ । ତେଣୁ ମୋତେ ଆପଣ ଏପରି ରୂପ ପ୍ରଦାନ କରନ୍ତୁ ଯାହାକୁ ଦେଖି ସେ ମୋର ଗଳାରେ ହିଁ ବରଣ ମାଳା ପକାଇବ । ତାକୁ ପାଇ ମୋ ଆଗାମୀ ଜୀବନ ସୁଖ ଶାନ୍ତିରେ ପୂରି ଉଠିବ।"

     ତଥାସ୍ତୁ କହି ଭଗବାନ ମୌନ ହୋଇଗଲେ ।

     ଏବେ ନିଶ୍ଚିନ୍ତ ହୋଇ ବ୍ରହ୍ମର୍ଷି ନାରଦ ଫେରିଆସିଲେ ଓ ସ୍ଵୟମ୍ବର ସଭାକୁ ଯାଇ ନିଜ ଆସନରେ ବସିଗଲେ । କିଛି ସମୟ ପରେ ରାଜକୁମାରୀ ସ୍ଵୟମ୍ବର ସଭାକୁ ଆସିଲେ । ନାରଦ ଉତ୍ସୁକତାର ସହ ଅପେକ୍ଷା କରିଥିଲେ ଯେ ରାଜକୁମାରୀ କେତେବେଳେ ତାଙ୍କ ପାଖକୁ ଆସି ତାଙ୍କ ବେକରେ ବରଣ ମାଳା ପକାଇବେ; କିନ୍ତୁ ଏ କଣ ହେଲା,  ବରଣ ମାଳା ପକାଇବା ତ ଦୂରର କଥା ସେ ତାଙ୍କୁ ଦେଖି ମୁହଁ ମୋଡ଼ିି ଅଲଗା ବାଟରେ ଚାଲିଗଲେ । ସେହି ସମୟରେ ସ୍ୱୟଂମ୍ବର ସଭାକୁ ଆସିଥିବା ଅନ୍ୟ ଏକ ଦିବ୍ୟସୁନ୍ଦର ଯୁବକଙ୍କ ଗଳାରେ ରାଜକୁମାରୀ ବରଣ ମାଳା ପକାଇ ଦେଲେ । ସେହି ରାଜକୁମାର ରାଜକୁମାରୀଙ୍କୁ ନେଇ ଚାଲିଯିବା ପରେ ବ୍ରହ୍ମର୍ଷିଙ୍କ ଚେହେରା କ୍ରୋଧରେ ଜର୍ଜରିତ ହୋଇଗଲା । ଭଗବାନ ବିଷ୍ଣୁଙ୍କ ଠାରୁ ପ୍ରାପ୍ତ ହୋଇଥିବା ଚେହେରା କିଛି କାମରେ ନ ଆସିବାରୁ ଭଗବାନଙ୍କ ଉପରେ କ୍ରୋଧ ଜାତ ହେଲା । ତା' ଛଡ଼ା ସେଠାରେ ଥିବା ଅନ୍ୟ ସମସ୍ତେ ବି ନାରଦଙ୍କ କ୍ରୋଧର ଶିକାର ହେଲେ । ଜଣେ ନାରଦଙ୍କୁ ବୁଝାଇଲେ ଯେ ତାଙ୍କ ହାରିବାର କାରଣ ହେଲା ତାଙ୍କ ବିକୃତ ରୂପ । ସେତେବେଳେ ତ ଦର୍ପଣ ନ ଥିଲା । ତେଣୁ ସେମାନେ ନାରଦଙ୍କୁ ନେଇ ଏକ ପୁଷ୍କରିଣୀର ସ୍ଵଚ୍ଛ ଜଳରେ ତାଙ୍କ ଚେହେରା ଦେଖିବା ପାଇଁ କହିଲେ । 

"ଆପଣ କିପରି ଏ ସ୍ଵୟମ୍ବର ସଭାକୁ ଆସିଥିଲେ ? ଆପଣଙ୍କ ମର୍କଟ ସମ ଚେହେରାକୁ ରାଜକୁମାରୀ ପସନ୍ଦ କରିଥାନ୍ତା କିପରି? "ଏପରି କହି ସମସ୍ତେ ଥଟ୍ଟା କଲେ ।

        ନାରଦ ଆହୁରି କ୍ରୋଧିତ ହୋଇ ସେମାନଙ୍କୁ ଆଗାମୀ ଜନ୍ମରେ ମାଙ୍କଡ଼ ହେବା ପାଇଁ ଅଭିଶାପ ଦେଲେ ।

        ଏବେ କ୍ରୋଧ ଜର୍ଜରିତ ନାରଦ ବିଷ୍ଣୁ ଭଗବାନଙ୍କ ପାଖରେ ଯାଇ ପହଞ୍ଚିଲେ। ଭଗବାନଙ୍କ ସହ ସେହି କନ୍ୟାକୁ ଦେଖି ନାରଦଙ୍କ କଟା ଘା'ରେ ଚୂନ ଦେଲା ଭଳି ଲାଗିଲା । ଏତିକି ବେଳେ ବିଷ୍ଣୁ ଭଗବାନ ଦେବର୍ଷିଙ୍କୁ ପଚାରିଲେ,
"କୁଆଡ଼େ ଆସିଲ ଦେବର୍ଷି !"

       ଏହା ଶୁଣି ଦେବର୍ଷି ରାଗରେ ଲାଲ ହୋଇଗଲେ । କ୍ରୋଧରେ ଅନ୍ଧ ହୋଇଯିବା କାରଣରୁ ତାଙ୍କର ଆରାଧ୍ୟକୁ ଭୁଲିଗଲେ। ତୁରନ୍ତ ସେ ଯା ଇଚ୍ଛା ତା ଅପଶବ୍ଦ ଓ ଗାଳି ବୃଷ୍ଟି କରି ଚାଲିଲେ । ଯେଉଁ ନାରାୟଣଙ୍କ ଭକ୍ତି ତାଙ୍କ ଜୀବନର ଧ୍ୟେୟ ଥିଲା, ଯାହାଙ୍କ ନାମ ଓ ଗୁଣ ସେ ଦିନରାତି ଜପ କରୁଥିଲେ ଏବେ ସେ ସେଥିରେ କେବଳ ଦୋଷ ଓ ଦୁର୍ଗୁଣ ହିଁ ଦେଖୁଥିଲେ । ନାରଦ କି ପ୍ରକାର ଗାଳି ସେ ସମୟରେ ଦେଇଛନ୍ତି ତାର ବର୍ଣ୍ଣନା ଆମେ ସନ୍ଥ ତୁଳସୀ ଦାସଙ୍କ ରାମ ଚରିତ ମାନସର ବାଲ କାଣ୍ଡରୁ ପାଇବା ।

        ଭଗବାନ କିପରି ଭକ୍ତ ପାଇଁ କଷ୍ଟ ସହନ୍ତି ଏଥିରୁ ଆମକୁ ଶିକ୍ଷା ମିଳେ । ଯଦି ନାରଦର ମନୋକମନା ଭଗବାନ ବିଷ୍ଣୁ ପୂର୍ଣ୍ଣ କରିଥାନ୍ତେ ତେବେ ତାଙ୍କୁ ସୁନ୍ଦର ରାଜକୁମାର ରୂପ ଦେଇପାରିଥାନ୍ତେ । ଏହା ନାରଦଙ୍କ ପ୍ରତି ତତ୍କାଳ ଦୟା ଭାବକୁ ସୂଚାଇ ଥାନ୍ତା; କିନ୍ତୁ ତାହା ନ କରି ସେ ନିଜ ଭକ୍ତର ଦୀର୍ଘକାଳୀନ ସୁଖର ଚିନ୍ତା କରି ଯେଉଁ ମାଙ୍କଡ଼ର ରୂପ ଦେଲେ ତାହା ତାଙ୍କର ନାରଦଙ୍କ ପ୍ରତି କୃପା ଥିଲା ।

         ଏହି କୃପା ସେତେବେଳେ ନାରଦଙ୍କୁ କେଇ ମୁହୂର୍ତ୍ତ ଲାଗି ପ୍ରବଳ ମାନସିକ ଯନ୍ତ୍ରଣା ଦେଲା । କିନ୍ତୁ ଦୀର୍ଘସ୍ଥାୟୀ ମୋହମାୟାରୁ ମୁକ୍ତି ପାଇଗଲେ । ଯଦି ସେଦିନ ଭଗବାନ କୃପା ବଦଳରେ ନାରଦଙ୍କୁ ଦୟା ପରବଶ ହୋଇ ସୁନ୍ଦର ଚେହେରା ଦେଇଥାନ୍ତେ ତେବେ ଆଜିର ଇତିହାସ ପୃଷ୍ଠାରେ ନାରଦ ନ ଥାନ୍ତେ ।

୧୩.୭.୧୭

No comments: