ଦେଢ଼ଶହ ବର୍ଷ ତଳର କଥା ।
"ଉତ୍କଳ ପୁତ୍ର" ପତ୍ରିକାରେ 'ଦରଖାସ୍ତ ଜୁତିଆନ' ଅର୍ଥାତ ଜୋତାମାନଙ୍କର ନିବେଦନ ନାମକ ଏକ ବ୍ୟଙ୍ଗାତ୍ମକ ଲେଖା ପ୍ରକାଶ ପାଇଥିଲା । ଯେଉଁ ଲେଖାରେ କଟକ ସହରର ଆବର୍ଜନାପୂର୍ଣ୍ଣ ରାସ୍ତାଘାଟର ଦୁରବସ୍ଥାର ତଥ୍ୟ ସ୍ଥାନିତ ହୋଇ ସ୍ଥାନୀୟ ପ୍ରଶାସନକୁ ବିଦ୍ରୁପ କରାଯାଇଥିଲା ।
ସେତେବେଳେ ଇଂରେଜମାନେ ଥିଲେ ଏ ଦେଶର ସର୍ବନିୟନ୍ତା ଭାଗ୍ୟବିଧାତା। ସେମାନେ ବା ଏହାକୁ ସହନ୍ତେ କିପରି ? ଜିଲ୍ଲା ମାଜିଷ୍ଟ୍ରେଟ ଏରଭିଙ୍ଗ ସାହେବ କ୍ରୋଧିତ ହୋଇ ଲେଖାଟିର ପ୍ରକୃତ ଲେଖକକୁ ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ଦେଲେ । ଅନୁସନ୍ଧାନରୁ ଜଣାପଡ଼ିଲା ଯେ, ଲେଖକ ଜଣକ ହେଉଛି ତତ୍କାଳୀନ କଟକ କଲେଜ (ବର୍ତ୍ତମାନର ରେଭେନ୍ସା ବିଶ୍ୱବିଦ୍ୟାଳୟ)ର ଦ୍ଵିତୀୟ ବର୍ଷର ଜନୈକ ଛାତ୍ର । କଲେଜର ଅଧ୍ୟକ୍ଷ ଥିଲେ ଚଣ୍ଡୀ ଚରଣ ବନ୍ଦୋପାଧ୍ୟାୟ । ସେ ଏହି ଘଟଣାର ଗୁରୁତ୍ୱ ବୁଝି, ସରକାରୀ ନିର୍ଦ୍ଦେଶ ଅନୁସାରେ ଛାତ୍ରଟିକୁ କଲେଜରୁ ବହିଷ୍କାର କଲେ ।
ଫଳସ୍ୱରୂପ ଛାତ୍ରଟିର ମନ ବିଦ୍ରୋହ କରି ଉଠିଲା । ସରକାରୀ ଶିକ୍ଷା ବ୍ୟବସ୍ଥା ପ୍ରତି ମନରେ ଜାତ ହେଲା ଘୋର ବିତୃଷ୍ଣା । ଏଣୁ ଏଭଳି ଅନ୍ୟାୟ ଅନ୍ୟ କୌଣସି ସ୍ୱାଧୀନଚେତା ଛାତ୍ର ସହିତ ଭବିଷ୍ୟତରେ ନ ଘଟୁ ଚିନ୍ତା କରି ସେ ସରକାରୀ ନିୟନ୍ତ୍ରଣ ମୁକ୍ତ ଏକ ବେସରକାରୀ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଲେ । ଯୋଜନା ମୁତାବକ ଅବିଚଳିତ ଛାତ୍ରଜଣକ ସେହି ବର୍ଷ ହିଁ କଟକ ଏକାଡେମୀ ନାମରେ ଏକ ବେସରକାରୀ ଶିକ୍ଷାନୁଷ୍ଠାନ ସ୍ଥାପନ କଲେ । ଯାହା ସମ୍ପ୍ରତି ପ୍ୟାରୀମୋହନ ଏକାଡେମୀ ନାମରେ ପରିଚିତ ।
ମାତ୍ର ୩୦ ବର୍ଷର ସଂକ୍ଷିପ୍ତ ଜୀବନକାଳ ବଞ୍ଚିଥିଲେ ବି ସେ ଆଜି ମଧ୍ୟ ଓଡ଼ିଆ ଯୁବସମାଜ ନିମନ୍ତେ ପ୍ରେରଣାର ସ୍ରୋତ ହୋଇ ରହିଛନ୍ତି । ଏହିପରି ନିର୍ଭୀକ, ଦୃଢ଼ମନା ଏବଂ ସ୍ୱାଧୀନଚେତା ବ୍ୟକ୍ତି ଜଣକ ଥିଲେ ଉତ୍କଳର ବରପୁତ୍ର, ସ୍ୱାଭିମାନର ଜ୍ୱଳନ୍ତ ବର୍ତ୍ତିକା ଶ୍ରୀଯୁକ୍ତ ପ୍ୟାରୀମୋହନ ଆଚାର୍ଯ୍ୟ ।
୨୦.୭.୧୭

No comments:
Post a Comment