Saturday, 26 August 2017

*ଶେଷଇଚ୍ଛା ସ୍ୱାଧୀନତା*

ମହାନ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ବିଠଲ ଭାଇ ପଟେଲ ଅସହଯୋଗ ଆନ୍ଦୋଳନ ସମୟରେ ଭାଇସରାୟଙ୍କ କାଉନସିଲର ସଦସ୍ୟତା ପଦରୁ ଇସ୍ତଫା ଦେଇଦେଲେ। ଫଳରେ ବ୍ରିଟିଶ ସରକାର ତାଙ୍କୁ ଅନ୍ୟ କଂଗ୍ରେସ ନେତାମାନଙ୍କ ପରି ଗିରଫ କରି ଜେଲରେ ରଖିଲେ । ଜେଲର ଅସ୍ୱାସ୍ଥ୍ୟକର ପରିବେଶରେ ସ୍ୱାସ୍ଥ୍ୟ ବହୁତ ବିଗିଡ଼ି ଯିବାରୁ ତାଙ୍କୁ ଜେଲରୁ ମୁକ୍ତ କରିଦିଆ ଗଲା ।

ଦୁରାରୋଗ୍ୟ ରୋଗର ଚିକିତ୍ସା ପାଇଁ ତାଙ୍କୁ ବିୟନା ପଠାଗଲା । ଅବସ୍ଥାରେ ଟିକିଏ ଉନ୍ନତି ଆସିବାରୁ ବିୟନାରୁ ବିଠଲ ଭାଇ ଆମେରିକା ଗଲେ ଏବଂ ସେଠାରେ ମଧ୍ୟ ଭାରତର ସ୍ବାଧୀନତାର ଦାବୀ ଉଠାଇଲେ । ସେ ପୁଣି ଅସ୍ବସ୍ତ ହୋଇଗଲେ । ତେଣୁ ପୁଣି ଥରେ ବିୟନା ଯିବାକୁ ପଡ଼ିିଲା ।

ବିୟନାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଗଲା । ୨୨ ଅକ୍ଟୋବର ୧୯୩୩ ରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ । ମୃତ୍ୟୁ ପୂର୍ବରୁ ତାଙ୍କର ଜଣେ ମିତ୍ର ତାଙ୍କର ଶେଷ ଇଚ୍ଛା ଜାଣିବାକୁ ଚାହିଁବାରୁ ସେ କହିଥିଲେ, "ମୁଁ ମୋର ମାତୃଭୂମିକୁ ଶେଷ ସମୟରେ ଦେଖି ପାରୁ ନାହିଁ ଏହା ମୋତେ ବହୁତ ପୀଡ଼ା ଦେଉଛି । ଜନ୍ମମାଟି ନ ହେଲା ନାହିଁ, ମୋତେ ମଣିଷଟିଏ ହୋଇ ବଞ୍ଚିବା ଶିଖାଇଥିବା ପବିତ୍ର ଗୀତାମାତାଙ୍କୁ ଦର୍ଶନ କରିବାକୁ ମୁଁ ଚାହୁଁଛି ।"

ଶ୍ରୀମଦ ଭଗବତ ଗୀତା ପୁସ୍ତକଟିଏ ତାଙ୍କୁ ମିଳିବା ପରେ ସେ ଟିକେ ଆଖି ଖୋଲିଲେ ଓ ଗୀତାମାତାଙ୍କୁ ପ୍ରଣାମ କରି  କହିଲେ, "ମୋର ଶେଷ ଇଚ୍ଛା ଭାରତ ଶୀଘ୍ର ସ୍ୱାଧୀନ ହେଉ ।" ଏହା କହିବାର କିଛି କ୍ଷଣ ପରେ ସେ ଚିରଦିନ ପାଇଁ ଆଖି ବୁଜିଦେଲେ ।

ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଯୋଗ ଦେଇଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସେଠାରେ ସଂକଳ୍ପ କଲେ ଯେ "ମୁଁ ମୋର ବଡ଼ ଭାଇଙ୍କ ଶେଷ ଇଚ୍ଛା ଅନୁସାରେ ଭାରତକୁ ସ୍ୱାଧୀନ କରିବା ପାଇଁ ମୋର ପ୍ରାଣକୁ ବାଜି ଲଗାଇ ଦେବି।"

ତା'ପରେ ସେ ଆହୁରୀ ତୀବ୍ରତାର ସହ ସ୍ୱାଧୀନତା ଆନ୍ଦୋଳନରେ ଲାଗିଗଲେ ।

୨୬.୮.୧୭

No comments: