ପ୍ରାୟ ୧୫ ବର୍ଷ ତଳର ଘଟଣା ।
ହୋଟେଲ ପ୍ରବନ୍ଧନର ସ୍ୱର୍ଣ୍ଣପଦକଧାରୀ ୨୧ ବର୍ଷ ବୟସ୍କ ଏନ. କୃଷ୍ଣନ ତାଜ ପଞ୍ଚତାରକା ହୋଟେଲରେ ବେଶ ମୋଟା ଦରମା ପାଉଥିବା ଜଣେ ପାଚକ ଥିଲେ । ଆହୁରି ଅଧିକ ବେତନ ଥିବା ଚାକିରୀ ପାଇ ସୁଇଜରଲାଣ୍ଡ ଯିବା ପୂର୍ବରୁ ନିଜ ବାପା ମାଆଙ୍କୁ ସାକ୍ଷାତ କରିବାକୁ ନିଜ ପୈତୃକ ବାସସ୍ଥାନ ମଦୁରାଇକୁ ଆସିଲେ ।
ସାଇକେଲରେ ଆସିବା ବେଳେ ତାଙ୍କ ଦୃଷ୍ଟି ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ପଡ଼ିଲା । ସେ ଭୋକ ବିକଳରେ ଅଳିଆ ଗଦାରେ ପଡ଼ିଥିବା ଅଇଁଠା ଗୋଟାଇ ଖାଉଥିଲା । ଏ ଦୃଶ୍ୟ କୃଷ୍ଣନଙ୍କୁ ଭୀଷଣ କଷ୍ଟ ଦେଲା । ତୁରନ୍ତ ନିକଟବର୍ତ୍ତୀ ହୋଟେଲରୁ କିଛି ଇଡ଼ଲି ଆଣି ସେ ବୃଦ୍ଧଙ୍କୁ ଖୁଆଇଲେ ।
ବୃଦ୍ଧଙ୍କ ଚେହେରାରେ ଫୁଟି ଉଠିଥିବା ଆନନ୍ଦ, କୃତଜ୍ଞ ଚାହାଣି କୃଷ୍ଣନଙ୍କ ଜୀବନର ଗତିପଥ ବଦଳାଇ ଦେଲା । ସେ ବିଦେଶ ଯାତ୍ରାର ବିଚାର ପରିତ୍ୟାଗ କରି ମଦୁରାଇ ସହରରେ ଇତଃସ୍ତତ ବାସ କରୁଥିବା ଅସହାୟ ବ୍ୟକ୍ତିଙ୍କର କ୍ଷୁଧା ଶାନ୍ତ କରିବା ନିମନ୍ତେ ଉଦ୍ୟମ ଆରମ୍ଭ କଲେ । ନିଜ ଘର ପଛ ପଟେ ଏକ ସ୍ଵଚ୍ଛ ତଥା ଆଧୁନିକ ଭୋଜନାଳୟ ଖୋଲିଲେ । ଆଜି ସେଠାରେ ଦୈନିକ ୧୨୫ ରୁ ଅଧିକ ଲୋକଙ୍କ ପାଇଁ ଖାଦ୍ୟ ତିଆରି ହୋଇ ପାରୁଛି । କୃଷ୍ଣନ ପ୍ରତିଦିନ ଖାଦ୍ୟ ନେଇ ରାସ୍ତା ଉପରେ ବୁଲି ବୁଲି ଅସହାୟ, ଦରିଦ୍ର ଲୋକଙ୍କୁ ମାତୃଭାବରେ ଭୋଜନ କରାଉଛନ୍ତି । ସେ କୁହନ୍ତି, "ମୋର ଦଶ ଜଣ ସହପାଠୀ ଅଧିକ ରୋଜଗାର ଲାଗି ସୁଇଜରଲାଣ୍ଡ ଗଲେ, କିନ୍ତୁ ମୁଁ ନିଜ ଦେଶରେ ରହି ଦୁସ୍ଥ ଲୋକଙ୍କ ସେବା କରିବା ପାଇଁ ମନସ୍ଥ କରିଛି । ଏହା ମୋତେ ଅସରନ୍ତି ଆନନ୍ଦ ଦେଉଛି। ବିଦେଶ ଯାଇଥିଲେ ହୁଏତ ମୋତେ ବହୁତ ଟଙ୍କା ମିଳି ଥାନ୍ତା ହେଲେ କେବେବି ଏତେ ଆତ୍ମସନ୍ତୋଷ ମିଳି ପାରି ନ ଥାନ୍ତା।"
ବିଦେଶ ଯାଉଥିବା ମେଧାବୀ ଦେଶୀୟ ଯୁବଶକ୍ତି ଯଦି ଏଇ କଥା ଥରଟିଏ ଚିନ୍ତା କରନ୍ତେ, ତେବେ ଏ ଦେଶର ଅବସ୍ଥା କେତେ ବଦଳି ଯାଆନ୍ତା ସତରେ...!
୧୦.୮.୧୭

No comments:
Post a Comment