Saturday, 26 August 2017

*ଅନ୍ଧ ବିଶ୍ୱାସ*

*ଅନ୍ଧବିଶ୍ୱାସ*

             ଥରେ ଗୌତମ ବୁଦ୍ଧ ରାଜଗୃହରେ ରହି ସେଠାକାର ଲୋକଙ୍କୁ ଶିକ୍ଷିତ ଓ ସଂସ୍କାରିତ କରିବା ପାଇଁ ଚେଷ୍ଟା କରିଥିଲେ । ସେଠାରେ ଏକ ଅଜ୍ଞାନ ଓ ଅଭିମାନୀ ପୂଜାରୀ ରହୁଥିଲା । ସେ  ବହୁତ ଅନ୍ଧବିଶ୍ୱାସୀ ଥିଲା । ଥରେ ସେହି ପୂଜାରୀର ମୂଲ୍ୟବାନ ଚାଦରଟିକୁ ମୂଷାମାନେ କାଟି ଦେଲେ। ପୂଜାରୀ ମନରେ ଅନ୍ଧବିଶ୍ୱାସ ଥିଲା ଯେ ମୂଷାଙ୍କ ଦ୍ୱାରା ନଷ୍ଟ କରାଯାଇଥିବା ଲୁଗା ପିନ୍ଧିଲେ ବ୍ୟକ୍ତିର ଅନିଷ୍ଟ ହୋଇଥାଏ । ତେଣୁ ସେ ସେହି ଚାଦରଟିକୁ ଦୂରକୁ ଫୋପାଡ଼ି ଦେଲା ।

ବୁଦ୍ଧଙ୍କୁ ଏ ବିଷୟରେ ଜଣା ପଡ଼ିଗଲା । ପୂଜାରୀର ଅନ୍ଧବିଶ୍ୱାସକୁ ଦୂର କରିବାପାଇଁ ସେ ସେହି ଚାଦରଟିକୁ ଉଠାଇ ନେଇ ନିଜେ ପିନ୍ଧିଲେ ।

ଏହା ଦେଖିଲା ମାତ୍ରେ ସେ ପୂଜାରୀ ଭାବିଲା ଯେ ଏଇ ଚାଦର ପିନ୍ଧିଲେ ଏକ ମହାନ ବୌଦ୍ଧ ଭିକ୍ଷୁଙ୍କର ବହୁତ ଅନିଷ୍ଟ ହେବ ଓ ସେ ପାପ ତାକୁ ଲାଗିବ । ତେଣୁ ସେ ତୁରନ୍ତ ବୁଦ୍ଧଙ୍କ ପାଖରେ ଯାଇ ପହଞ୍ଚିଲା । ସେ ତାଙ୍କୁ ଚାଦର କାଢ଼ି ଦେବା ପାଇଁ ଅନୁରୋଧ କରି କହିଲା, "ମହାଭାଗ! ମୂଷା କଟା ବସ୍ତ୍ର ପିନ୍ଧିଲେ ବହୁତ ଅନିଷ୍ଟ ହେବ । ତେଣୁ ଆପଣ ଏଇ ମୂଷା କଟା ଚାଦର ମୋଟେ ପିନ୍ଧନ୍ତୁ ନାଇଁ ।"

ଏହା ଶୁଣି ବୁଦ୍ଧ କହିଲେ, " ଏହା ଅନ୍ଧବିଶ୍ୱାସ ମାତ୍ର, ଏହା ତୁମର ଭ୍ରମ ଅଟେ । କାରଣ ଖରାପ ଓ ବେକାର କଥା ତୁମ ମୁଣ୍ଡରେ ଘର କରି ବସିଛି । ରାତି ସାରା ତୁମେ ଖରାପ ସ୍ୱପ୍ନ ଦେଖୁଛ ଏବଂ ସାରା ଦିନ ତୁମେ ସେହି ଖରାପ ଚିନ୍ତାରେ କାଟୁଛ । ସ୍ୱପ୍ନକୁ ସତ ମଣି ସେଥିରେ ବିଶ୍ୱାସ ରଖୁଛ । ପ୍ରତ୍ୟେକ ଜୀବ ଜନ୍ତୁଙ୍କ ଭିତରେ ତୁମେ ମଙ୍ଗଳ ଓ ଅମଙ୍ଗଳକୁ ଖୋଜୁଛ ଓ ବ୍ୟସ୍ତ ହୋଇ ଉଠୁଛ । କାଉ ରାବିଲା, ତୁମେ ଚମକି ଉଠିଲ । ପେଚାର ଶବ୍ଦ କାନରେ ପଡ଼ିଲା, ତୁମେ ବୁଝିଗଲ ଯେ ସାକ୍ଷାତ ମୃତ୍ୟୁ ଡାକୁଛି । ଝିଟିପିଟି ପଡ଼ିଲେ, ତୁମେ ଭୟଭୀତ ହୋଇଉଠୁଛ ।
ଏଇଟା କ'ଣ ଜୀବନ ?
ତୁମେ ଏଇ ଖରାପ ସଂସ୍କାର, ଖରାପ କଳ୍ପନା ତଥା ଅନ୍ଧବିଶ୍ୱାସ ନିଜ ମସ୍ତିଷ୍କରୁ କାଢ଼ି ଦିଅ ।
ତାହେଲେ ଦେଖିବ ଯେ ତୁମେ କେଉଁ ପ୍ରକାର ଭୟମୁକ୍ତ ଓ ନିର୍ଭୟ ହୋଇ ପାରିଛ ।"

ବୁଦ୍ଧଙ୍କର ଏଇ କଥା ଶୁଣି ପୂଜାରୀଟି ଆଶ୍ଚର୍ଯ୍ୟ ହୋଇଗଲା ଏବଂ  ପ୍ରତିଜ୍ଞା କଲା ଯେ ଆଗକୁ ସେ କେବେ ବି ଅନ୍ଧବିଶ୍ୱାସର ଶିକାର ହେବ ନାହିଁ । ଜୀବନକୁ ସହଜତା ଓ ସତ୍ୟରେ ବିତାଇବ ।

୨୪.୭.୧୭

No comments: