Saturday, 26 August 2017

*ମୁକ୍ତି ପାଗଳର ଖୁସୀ*

କ୍ରାନ୍ତିକାରୀ ଖୁଦିରାମ ବୋଷଙ୍କୁ  ଫାସୀ ହେବାର ଥିଲା । ଜଣେ ଇଂରେଜ ତାଙ୍କ ପାଖକୁ ଆସିଲା । ଦେଖିଲା, ସେ ଖୁସିରେ ଗୀତ ଗାଉଛନ୍ତି । ତାଙ୍କର ଖୁସୀ ଦେଖି ସେହି ଅଫିସର ଜଣକ ଆଶ୍ଚର୍ଯ୍ୟ ହୋଇଗଲା । ତାଙ୍କ ହାତରେ ଗୋଟେ ପାଚିଲା ଆମ୍ବ ଥିଲା । ସେ ଖୁଦିରାମଙ୍କୁ କହିଲା, "ଖୁଦିରାମ ନିଅ ଆମ୍ବ ଖାଅ ।" ଖୁଦିରାମ ନିଃସଂକୋଚ ଭାବରେ ଆମ୍ବ ନେଲେ । ଅଫିସର ଜଣକ ସେଠାରୁ ଚାଲିଗଲା । କିଛି ସମୟ ପରେ ସେହି ଅଫିସର ଫେରିଲା ଏବଂ ଦେଖିଲା ଯେ ସେ ଦେଇଥିବା ଆମ୍ବ ଝରକାରେ ଥୁଆ ହୋଇଛି । ସେ ଖୁଦିରାମ ପାଖକୁ ଯାଇ କହିଲା, "ଖୁଦିରାମ ତୁମେ ସେ ଆମ୍ବ ଖାଇଲ ନାହିଁ କାହିଁକି ?"
ଏହା କହି ସେ ସେହି ଆମ୍ବକୁ ନିଜେ ଉଠେଇ ନେଲା । ଉଠାଇବାରୁ ଦେଖିଲା ଯେ ଆମ୍ବ ଭିତରଟା ପୋଲା ଅଛି । ବସ୍ତୁତଃ ଖୁଦିରାମ ଆମ୍ବ ଶୋଷି ଖାଇଲା ପରେ ତାକୁ ଫୁଲାଇ ଦେଇ ପୁଣି ଝରକା ଉପରେ ରଖିଦେଇଥିଲେ ଏବଂ ତାହା ଗୋଟା ଆମ୍ବ ଭଳି ଦେଖାଯାଉଥିଲା । ଅଫିସର ହାତରେ ଫମ୍ପା ଆମ୍ବକୁ ଦେଖି ଖୁଦିରାମ ଜୋରରେ ହସି ଉଠିଲେ । ଇଏ ସେଇ ଖୁଦିରାମ ଯାହାର ଆଉ କିଛି ଘଣ୍ଟା ପରେ ଫାସୀ ହେବାର ଥିଲା । ତାଙ୍କର ଖୁସୀ ଦେଖି ଅଫିସର ଜଣକ ନିଜକୁ ରୋକି ପାରିଲା ନାହିଁ, ବିସ୍ମିତ ମନରେ ସେ ଖୁଦିରାମଙ୍କୁ ପଚାରିଲା, "ଖୁଦିରାମ ତୁମକୁ ମରିବାକୁ ଡର ଲାଗୁ ନାଇଁ ?"

ଖୁଦିରାମ ସେତିକି ଖୁସିରେ କହିଲେ, "ଆଜାଦୀର ପାଗଳମାନେ ମରଣକୁ ଡରନ୍ତି ନାହିଁ । ମୃତ୍ୟୁ ନିଜେ ଏମାନଙ୍କୁ ଡରୁଥାଏ ।"

୨୯.୬.୧୭

No comments: