Thursday, 24 August 2017

*ଅନନ୍ୟ ନିଷ୍ଠା*

୧୯୩୧ ମସିହାର କଥା ।
ମହାମନା ପଣ୍ଡିତ ମଦନମୋହନ ମାଲବ୍ୟ ଗାନ୍ଧିଜୀଙ୍କ ସହିତ  ଗୋଲଟେବୁଲ ବୈଠକରେ ଭାଗ ନେବାପାଇଁ ଲଣ୍ଡନ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ପ୍ରଥମ ଦିନ ସେ ଭୋରୁ ଉଠି ନିତ୍ୟକର୍ମ ଓ ସ୍ନାନ ସାରି ଠାକୁର ପୂଜା ପାଇଁ ବସିଗଲେ । ନିଜ ବ୍ୟାଗରୁ ଶ୍ରୀକୃଷ୍ଣଙ୍କ ଫଟୋ, ଗୀତା ବହି, ତୁଳସୀ ଆଦି ବାହାର କଲେ । ଚନ୍ଦନ ତିଆରି କରି ମୁଣ୍ଡରେ ଲଗାଇଲେ । ଶ୍ରୀକୃଷ୍ଣଙ୍କ ଫଟୋ ସାମନାରେ ରଖି ପୂଜା ଆରମ୍ଭ କରିଦେଲେ ।

ଏତିକି ବେଳେ ଗାନ୍ଧିଜୀ ତାଙ୍କୁ ଦେଖି ବିସ୍ମିତ ହୋଇ  କହିଲେ, "ପଣ୍ଡିତଜୀ, ଆପଣ ସାତ ସମୁଦ୍ର ପାର ହୋଇ ଆସିବା ବେଳେ ବି ନିଜର ଠାକୁର ଭଗବାନ ଶ୍ରୀକୃଷ୍ଣ, ଗୀତା, ଗଙ୍ଗାଜଳ ତଥା ତୁଳସୀ ଆଣିବାକୁ ଭୁଲି ନାହାନ୍ତି ! ମୁଁ ଆପଣଙ୍କର ଏଇ ନିଷ୍ଠା ଆଗରେ ମଥା ନତ କରୁଛି ।"

ମାଲବ୍ୟଜୀ ସ୍ମିତ ହସି କହିଲେ,
"ବାପୁ, ମୋର ଗୀତା-ଭାଗବତର ଏହି ସିଦ୍ଧାନ୍ତ ଉପରେ ବିଶ୍ୱାସ ଅଛି ଯେ, ଶରୀର ହେଉଛି କ୍ଷଣ-ଭଙ୍ଗୁର । ପ୍ରାଣ ପକ୍ଷୀ କେତେବେଳେ ଯେ ଉଡ଼ିଯିବ କିଛି କହି ହେବ ନାହିଁ । ଯଦି ଅନ୍ତିମ ସମୟରେ ନିଜ ପବିତ୍ର ମାତୃଭୂମିର ସାନ୍ନିଧ୍ୟ ନ ମିଳେ ତେବେ ଅତି କମରେ ତୁଳସୀ ଓ ଗଙ୍ଗାଜଳ ମୁହଁରେ ଦେବାର ସୌଭାଗ୍ୟ ତ ମିଳିଯିବ । ଏଥିପାଇଁ ପ୍ରତି କ୍ଷଣ ମୃତ୍ୟୁର ସ୍ମରଣ କରି ମୁଁ କାଶୀର ପବିତ୍ର ମାଟି, ତୁଳସୀ ତଥା ଗଙ୍ଗା ଜଳ ମୋ ପାଖରେ  ରଖୁଛି ।"

ଗାନ୍ଧିଜୀ ମାଲବ୍ୟଙ୍କ ମାତୃଭୂମି ଓ ନିଜ ଧର୍ମ ପ୍ରତି ଅନନ୍ୟ ନିଷ୍ଠା ଦେଖି ଗଦଗଦ ହୋଇ ଉଠିଲେ ।

୧୪.୮.୧୭

No comments: