Saturday, 26 August 2017

*ଅମୂଲ୍ୟ ଅଳଙ୍କାର*

   ବୃଦ୍ଧ ଠାକୁର ଦାସ ପତ୍ନୀ, ପୁତ୍ରଙ୍କ ସହ କଲିକତାରୁ ଯାଇ ମେଦିନାପୁର ଜିଲ୍ଲାର ଏକ ଗାଁରେ ବସତି ସ୍ଥାପନ କରିଥିଲେ । ଖୁବ ଅଳ୍ପ ରୋଜଗାରରେ ବଡ଼ କଷ୍ଟରେ ପରିବାରର ଗୁଜୁରାଣ ମେଣ୍ଟୁଥିଲା । ନିୟତିର ନିଷ୍ଠୁର ନିର୍ଦ୍ଦେଶରେ ଠାକୁରଦା ଇହଲୀଳା ତ୍ୟାଗ କଲେ। ତାଙ୍କ ପତ୍ନୀ ଭଗବତୀ ଦେବୀଙ୍କ କାନ୍ଧରେ ପରିବାରର ସମ୍ପୂର୍ଣ୍ଣ ଦାୟୀତ୍ୱ ପଡ଼ିଲା। ମାଆ ପୁଅ ଦୁହିଁଙ୍କ ଦୁଇ ଓଳି ଆହାର ଯୋଗାଡ଼ ଲାଗି ସେ କଠିନ ପରିଶ୍ରମ କରିବାକୁ ଲାଗିଲେ। ଏହିପରି ଦୁଃଖ କଷ୍ଟରେ ଦିନ ବିତିବାକୁ ଲାଗିଲା । କିଛି ଦିନ ପରେ ଦିନେ ପୁଅ ମାଆଙ୍କର ଗୋଡ଼ ଚିପୁ ଚିପୁ ରାତିରେ କହିଲା,
"ମାଆ, ମୁଁ ବଡ଼ ହୋଇ ପଢ଼ି ଲେଖି ବିଦ୍ୱାନ ହେବି ଏବଂ ତୋର ସେବା କରିବି ।"
     ପୁଅର ଉଜ୍ଜ୍ୱଳ ଭବିଷ୍ୟତର କଳ୍ପନାରେ ମାଆଙ୍କ ଆଖିରେ ଆନନ୍ଦର ଅଶ୍ରୁ ଥିଲା ।
"କେମିତି ସେବା କରିବୁ ତୁ ମୋର?" ମାଆ ପଚାରିଲେ।

ପୁଅ କହିଲା -
"ବହୁ କଷ୍ଟ ସହି ତୁ ମୋତେ ପଢ଼ାଉଛୁ ମାଆ । ମୁଁ ଯେତେବେଳେ ରୋଜଗାର କରିବି, ତୋତେ ଭଲ ଘରେ ନେଇ ରଖିବି। ଉତ୍ତମ ଖାଦ୍ୟ ଖୁଆଇବି ଏବଂ ତୋ ପାଇଁ ବହୁମୂଲ୍ୟ ଅଳଙ୍କାରମାନ ଆଣିବି ।"

ମାଆ କହିଲେ -
"ହଁ ପୁଅ, ତୁ ଅବଶ୍ୟ ମୋର ସେବା କରିବୁ; କିନ୍ତୁ ମୋର ସାଧାରଣ ଅଳଙ୍କାର ଲୋଡ଼ାନାହିଁ। ଯଦି ପାରିବୁ ତ ମୋ ପସନ୍ଦର ଗହଣା ତିଆରି କରେଇବୁ।"

"କେଉଁ ଗହଣା ମାଆ?" ପୁଅ ଆଗ୍ରହରେ ପଚାରିଲା ।

ମାଆ - "ଶୁଣ ପୁଅ, ମୋର ତିନିଟି ଅଳଙ୍କାର ଦରକାର ଅଛି । ଯେବେ ଯୋଗ୍ୟ ହେବୁ, ମୋ ପାଇଁ ଗଢ଼ିଦେବୁ।
ପ୍ରଥମେ ଏଇଠି, ଗାଆଁରେ ପ୍ରାଥମିକ ବିଦ୍ୟାଳୟଟିଏ ନାଇଁ, ପିଲାମାନେ ପାଠ ପଢ଼ିବା ପାଇଁ ଚାଲିଚାଲି ବହୁ ଦୂରକୁ ଯାଉଛନ୍ତି । ତେଣୁ ତୁ ଗାଁରେ ଗୋଟେ ଭଲ ବିଦ୍ୟାଳୟ ତିଆରି କରିଦେବୁ ।
ଦ୍ବିତୀୟରେ, ପାଖରେ ଚିକିତ୍ସାଳୟଟିଏ ନାହିଁ।
ରୋଗ ବୈରାଗ ହେଲେ ଲୋକମାନେ ହଇରାଣ ହୋଇ ବହୁ ଦୂର ଗାଁକୁ ଯାଉଛନ୍ତି । ତୁ ଗାଁରେ ଗୋଟେ ଚିକିତ୍ସାଳୟ କରିଦେବୁ ।
ତୃତୀୟରେ ମନ୍ଦିରଟିଏ ତୋଳାଇବୁ। ଯେଉଁଠି  ଦିଅଁ ଦର୍ଶନ ସହ ଧର୍ମଶିକ୍ଷା ବି ମିଳି ପାରିବ। ଯେଉଁଠି ପ୍ରବଚନ ଦ୍ୱାରା ନିରକ୍ଷର ଜନତାକୁ ଅଶିକ୍ଷା, ଅନ୍ଧବିଶ୍ୱାସ,କୁସଂସ୍କାରରୁ ମୁକ୍ତି ମିଳିବ।"

ଏହା ଶୁଣି ବାଳକଟି ଘଡ଼ିଏ ଚୁପ ହୋଇ ବସିଗଲା।
କହିଲା, ମାଆ ! ତୁ ମୋର ଆଖି ଖୋଲି ଦେଲୁ ।
ମୁଁ ନିଶ୍ଚୟ ତୋର ମନୋକାମନା ପୂର୍ଣ୍ଣ କରିବି ।

ମାଆକୁ ଦେଇଥିବା ବଚନକୁ ପୂରା କରିବା ପାଇଁ ସେ କଠିନ ପରିଶ୍ରମ କଲା। ପାଠପଢ଼ା ସମାପ୍ତ କରି ଜୀବନରେ ସଫଳତା ପ୍ରାପ୍ତ କଲା।

ସେ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଉଚ୍ଚାସନ ପ୍ରାପ୍ତ ହେଲେ। ମାତ୍ର, ନିଜ ମାତାଙ୍କୁ ବାଲ୍ୟକାଳରେ ଦେଇଥିବା ପ୍ରତିଶ୍ରୁତିକୁ ଆଦୌ ଭୁଲି ନଥିଲେ। ସେ ଜୀବନକାଳ ମଧ୍ୟରେ ଅନେକ ବିଦ୍ୟାଳୟ, ଚିକିତ୍ସାଳୟ ଓ ଦେବାଳୟ ନିର୍ମାଣ କରି ଜଣେ ଆଦର୍ଶ ପୁତ୍ରର ଦାୟିତ୍ୱ ନିର୍ବାହ କରିଥିଲେ। ମାଆ ପୁତ୍ରଦ୍ଵାରା ପ୍ରଦତ୍ତ ଅଳଙ୍କାର ପାଇ ନିଜକୁ ଗୌରବାନ୍ଵିତ ମନେ କରୁଥିଲେ।

ଏହି ମାତୃଭକ୍ତ ସମାଜ ସଂସ୍କାରକ ଥିଲେ ପଣ୍ଡିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ।

୧୬.୭.୧୭

No comments: