ସଂସ୍କୃତ କବିମାନଙ୍କ ମଧ୍ୟରେ ମାଘଙ୍କର ଶ୍ରେଷ୍ଠ ସ୍ଥାନ ରହିଛି । ସେ ସାଧନ ସମ୍ପନ୍ନ ତ ଥିଲେ ତା ସହିତ ଦାନ ଦେବାରେ ମଧ୍ୟ ଅଗ୍ରଣୀ ଥିଲେ । ଲୋକଙ୍କର ବିଶ୍ୱାସ ଥିଲା ଯେ ତାଙ୍କ ଘରୁ କେହି ବି ଅସହାୟ ବ୍ୟକ୍ତି ଖାଲି ହାତରେ ଫେରୁ ନ ଥିଲା । ଦାନ ଦେଉ ଦେଉ ଏକ ଏମିତି ସମୟ ଆସିଲା, ସେ ନିଜେ ନିର୍ଦ୍ଧନ ହୋଇଗଲେ । କିନ୍ତୁ ଅପରକୁ ସାହାଯ୍ୟ କରିବାର ମାନସିକତା ବଦଳିଲା ନାହିଁ । ଲୋକଙ୍କର ସହାୟତା କରିବା ପାଇଁ ସର୍ବଦା ତତ୍ପର ରହୁଥିଲେ ।
ଥରେ ଦିନେ ରାତିରେ ଗରିବ ପୂଜାରୀଟିଏ ତାଙ୍କ ଘରର କବାଟ ଖଟ ଖଟ କଲା । ମାଘ କବାଟ ଖୋଲିଲେ ଓ ଦେଖିଲେ ଜଣେ ପୂଜାରୀ ତାଙ୍କୁ ବାହାରକୁ ଆସିବାକୁ ନିବେଦନ କରୁଛନ୍ତି । ମାଘ ବାହାରକୁ ଯିବା ପରେ ପୂଜାରୀ କହିଲା,
"ମୋ ଝିଅର ବାହାଘର ଅଛି। ଅର୍ଥର ବହୁତ ଅଭାବ। ମୁଁ କଣ କରିବି ? ଏଇ ଚିନ୍ତା ସର୍ବଦାମୋତେ କଷ୍ଟ ଦେଉଛି । ଆପଣ ମୋତେ କିଛି ସାହାଯ୍ୟ କରନ୍ତୁ ।"
କବିବର ଭାବିଲେ ଯେ ଘରେ ନା ଧନ ଅଛି ନା କିଛି ଏମିତି ବସ୍ତୁ ଅଛି ଯାହାକୁ ଦେଇ ସେ ଯାଚକକୁ ସନ୍ତୁଷ୍ଟ କରି ପାରିବେ ।
କିଛି ସମୟ ଚିନ୍ତା କଲା ପରେ ସେ ଶୋଇଥିବା ସ୍ତ୍ରୀଙ୍କ ନିକଟକୁ ଗଲେ ଓ ଧୀର ଭାବରେ ତାଙ୍କ ହାତକୁ ଉଠାଇ କଙ୍କଣ କାଢ଼ିନେଲେ । ପତ୍ନୀଙ୍କର ନିଦ ଭାଙ୍ଗିଗଲା । କିନ୍ତୁ ସ୍ୱାମୀଙ୍କୁ ସାମନାରେ ଦେଖି ସେ ଆଖି ବନ୍ଦ କରିଦେଲେ । ମାଘ ବାହାରକୁ ବାହାରି ଆସି ସେହି କଙ୍କଣ ପୂଜାରୀଙ୍କୁ ଦେଇଦେଲେ ଓ ତାଙ୍କୁ ସେଠାରୁ ଶୀଘ୍ର ପଳାଇ ଯିବାକୁ ଅନୁରୋଧ କଲେ ।
କିନ୍ତୁ ସ୍ତ୍ରୀ କବାଟର ଫାଙ୍କରୁ ଦେଖି ପାରିଲେ ଯେ ତାଙ୍କର ସ୍ୱାମୀ ଜଣେ ବ୍ୟକ୍ତିଙ୍କୁ କଙ୍କଣଟି ଦେଉଛନ୍ତି । ସେହି ପୂଜାରୀଟି ମ।ଘଙ୍କୁ କହିଲା,
" ଏହି ସହାୟତା ପାଇଁ ମୁଁ ଆପଣଙ୍କ ନିକଟରେ ଋଣୀ । କିନ୍ତୁ ଗୋଟିଏ କଙ୍କଣ ମୋ ପାଇଁ ପର୍ଯ୍ୟାପ୍ତ ନୁହେଁ ।"
ମାଘ କହିଲେ,
" ବର୍ତ୍ତମାନ ତୁମେ ଗୋଟିଏ ନେଇଯାଅ । ଦ୍ୱିତୀୟଟି ମୁଁ ଦେଇପାରିବି ନାଇଁ ।"
ସ୍ତ୍ରୀ ତୁରନ୍ତ ଦ୍ଵିତୀୟ କଙ୍କଣ କାଢ଼ିଲେ ଓ ବାହାରକୁ ଆସି କବିବରଙ୍କୁ ଦେଉ ଦେଉ କହିଲେ,
" ମୋତେ କାହିଁକି ଲୁଚାଉଥିଲ । ଅସହାୟ ମାନଙ୍କ ପାଇଁ ହିଁ ଆମର ଜୀବନ ଉଦ୍ଦିଷ୍ଟ । ଏହି ବ୍ୟକ୍ତିଙ୍କୁ ଦ୍ଵିତୀୟ କଙ୍କଣ ମଧ୍ୟ ଆବଶ୍ୟକ । ନିଅନ୍ତୁ,ଏଇଟା ବି ଦେଇଦିଅନ୍ତୁ ।"
ନିଜ ସ୍ତ୍ରୀଙ୍କ ବ୍ୟବହାରରେ ମାଘ ବହୁତ ଖୁସି ହେଲେ ଓ ସେ ଦ୍ଵିତୀୟ କଙ୍କଣଟିକୁ ବି ପୂଜାରୀଙ୍କୁ ଦେଇ ପ୍ରସନ୍ନତାର ସହ ବିଦାୟ ଦେଲେ ।
୩୦.୮.୧୭

No comments:
Post a Comment