Friday, 25 August 2017

*ସ୍ବାଧୀନତାର ପଥେ*

ନିବେଦିତାଙ୍କ ପାଇଁ ସବୁଠୁ କଷ୍ଟଦାୟକ ସମୟ ଥିଲା ୧୯୦୨ରେ ସ୍ୱାମୀଜୀଙ୍କ ମହାପ୍ରୟାଣ । ଯାହାଙ୍କ ପ୍ରେରଣାରେ ସେ ନିଜ ଜୀବନପୁଷ୍ପକୁ ଭାରତମାତା ଚରଣରେ ସମର୍ପି ଦେଇଥିଲେ ସେଇ ଅମର ଆତ୍ମାଙ୍କ ମର ଶରୀର ପାଦ ଦେଶରେ ଉପସ୍ଥିତ ହୋଇ ଶପଥ ନେଲେ ତାଙ୍କର ଅଧୁରା କାର୍ଯ୍ୟକୁ ପୂରା କରିବା ପାଇଁ ନିଜ ଜୀବନକୁ ଆହୁତି ଦେବେ ।

ସ୍ୱାମୀଜୀଙ୍କ ଠାରୁ ସେ ଏକମାତ୍ର ଶିକ୍ଷା ଗ୍ରହଣ କରିଥିଲେ ତାହା ହେଉଛି ଭାରତ ମାତାର ସେବା । ସେଥିପାଇଁ ସେ ଆଉ କାଳ ବିଳମ୍ବ ନ କରି ଭାରତ ଭ୍ରମଣର ଯୋଜନା କଲେ । ପ୍ରାୟ ଛଅ ସପ୍ତାହ ବ୍ୟାପୀ ଏହି ପରିକ୍ରମା କାଳରେ ସେ ଉତ୍ତର ଭାରତରୁ ଲାହୋର ଏବଂ ପଶ୍ଚିମ ଓ ମଧ୍ୟ ଗୁଜୁରାଟ, ସୁରଟ ଓ ବରୋଦା ପ୍ରଭୃତି ସ୍ଥାନରେ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ପରିଚିତ ହେଲେ । ବରୋଦାରେ ପହଞ୍ଚିବା ମାତ୍ରେ ମହାରାଜା ଗାଏକ୍ୱାଡ଼ଙ୍କର ନିର୍ଦ୍ଦେଶ କ୍ରମେ ତାଙ୍କ କଲେଜର ତତ୍କାଳୀନ ଅଧ୍ୟାପକ ଶ୍ରୀ ଅରବିନ୍ଦ ଘୋଷ ନିବେଦିତାଙ୍କୁ ସମ୍ବର୍ଦ୍ଧନା ଜଣାଇ ଷ୍ଟେସନରୁ ରାଜାଙ୍କ ଅତିଥିଶାଳାକୁ ନେଇଗଲେ । ଶ୍ରୀ ଅରବିନ୍ଦଙ୍କ ସହିତ ନିବେଦିତାଙ୍କର ଏହା ଥିଲା ପ୍ରଥମ ସାକ୍ଷାତ । ଯେଉଁ କେତୋଟି ଦିନ ନିବେଦିତା ବରୋଦାରେ ଥିଲେ ସେ କେତୋଟି ଦିନ ସେ ବିପ୍ଲବୀ ଅରବିନ୍ଦ ଓ ବରୋଦା ରାଜ୍ୟର ରାଜ୍ୟ ସଚିବ ତଥା ସ୍ୱଦେଶ ପ୍ରେମୀ ରମେଶ ଚନ୍ଦ୍ର ଦତ୍ତଙ୍କ ସହିତ ଘନିଷ୍ଠ ଭାବରେ ମିଶିବାର ଓ ଭାରତର ନାନା ଜଟିଳ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବାର ସୁଯୋଗ ଲାଭ କଲେ । ସେ ସେଠାରୁ କଲିକତାକୁ ଫେରି ଆସିଲା ବେଳ ଶ୍ରୀ ଅରବିନ୍ଦଙ୍କୁ ଜଣାଇ ଆସିଲେ ଯେ ବଙ୍ଗପ୍ରଦେଶ ହିଁ ତାଙ୍କର ଉପଯୁକ୍ତ କର୍ମକ୍ଷେତ୍ର । ବଙ୍ଗ ପ୍ରଦେଶର ଯୁବ ସମ୍ପ୍ରଦାୟ ଶ୍ରୀ ଅରବିନ୍ଦଙ୍କ ପରି ଜଣେ ପ୍ରତିଭାଶାଳୀ ଶକ୍ତିଧର ପୁରୁଷଙ୍କ ପ୍ରତୀକ୍ଷାରେ ରହିଛନ୍ତି । କାରଣ ସେତେବେଳେ ନିବେଦିତା ବୁଝିଲେ ଯେ ସେ ଏତେଦିନ ପରେ ଜଣେ ଅଗ୍ନିଗର୍ଭ ନିଷ୍ଠାପର ଭରତୀୟର ସନ୍ଧାନ ପାଇଛନ୍ତି ।

ସେଠାରୁ ଫେରି ସେ ମାଡ୍ରାସ କଂଗ୍ରେସ ଅଧିବେଶନରେ ଯୋଗଦେବା ସହ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ ।

୧୯୦୫ ଅକ୍ଟୋବର ୧୬ ରେ ବଙ୍ଗ ଭଙ୍ଗ ଆଇନର ପ୍ରବର୍ତ୍ତନକୁ ସାରା ଦେଶ ବିରୋଧ କଲା । କବିଗୁରୁ ରବୀନ୍ଦ୍ରନାଥଙ୍କ ଆହ୍ୱାନ କ୍ରମେ ସେଦିନ ଏକତାର ରକ୍ଷା ସୂତ୍ର ହାତରେ ଧରି ରାକ୍ଷୀ ଉତ୍ସବ ବା ଅଖଣ୍ଡ ଭାରତ ଉତ୍ସବ ସାରା ଦେଶ ପାଳନ କରିଥିଲା । ନିବେଦିତା ମଧ୍ୟ ସେହି ସମୟର ଦେଶ ଓ ବିଦେଶରେ ବାହାରୁଥିବା ବିଭିନ୍ନ ସମ୍ବାଦପତ୍ରରେ ବିବିଧ ପ୍ରବନ୍ଧ ଲେଖି ବଙ୍ଗ ଭଙ୍ଗ ଆଇନର ବିରୋଧ କରିବା ସହ ଇଂରେଜ ଅତ୍ୟାଚାରର କାହାଣୀମାନ ନିର୍ଭୟରେ ପ୍ରଚାର କଲେ।

୧୯୦୫ ଡିସେମ୍ବରରେ ସେ କଂଗ୍ରେସର ବାରାଣସୀ ଅଧିବେଶନରେ ଯୋଗଦେଇ ଅଧ୍ୟକ୍ଷ ଗୋପାଳକୃଷ୍ଣ ଗୋଖଲେ ଓ ଅନେକ ଭାରତୀୟ ଚିନ୍ତାନାୟକଗଣଙ୍କ ସହ ବିଚାର ଆଲୋଚନା କରିବାର ସୁଯୋଗ ପାଇଥିଲେ । ବିପିନ ଚନ୍ଦ୍ର ପାଲଙ୍କ ପୌରହିତ୍ୟରେ ଟାଉନ ହଲର ପ୍ରତିବାଦ ସଭାରେ ସେ କହିଥିଲେ " ବିଦେଶୀମାନଙ୍କ ଦ୍ୱାରା ଦୀର୍ଘ କାଳ ଧରି ହିନ୍ଦୁ ଧର୍ମ ଆଘାତ ପରେ ଆଘାତ ପାଇ ଆସିଛି । କେବଳ ଆତ୍ମ ରକ୍ଷା କଲେ ଚଳିବ ନାହିଁ ଏଇ ଆଘାତ ଦ୍ୱାରା ଯେଉଁମାନେ ମତ ପରିବର୍ତ୍ତନ କରିଦେଇଛନ୍ତି ସେମାନଙ୍କୁ ମଧ୍ୟ ଆମ ଧର୍ମ ମତକୁ ଫେରେଇ ଆଣିବା ଆମର ପରମ ପବିତ୍ର କର୍ତ୍ତବ୍ୟ । ଏବେ ଧର୍ମ ଜଗତରେ ନାନା ଭାବରେ ନବ ଜାଗରଣ ସୃଷ୍ଟି ହୋଇଛି । ଧର୍ମ ହେଉଛି ତାହା ଯେଉଁଥିରେ ରାଷ୍ଟ୍ରର ପ୍ରାଣ ଶକ୍ତି ଜାଗି ଉଠେ ।  ଭାରତର ମୂଳ ସମସ୍ୟା ହେଉଛି ଏଇ ରାଷ୍ଟ୍ରୀୟତା ବିଷୟରେ ଅସ୍ପଷ୍ଟ ବିଚାର । ରାଷ୍ଟ୍ରୀୟତାର ବିରାଟ ଅର୍ଥ ହୃଦୟଙ୍ଗମ କଲେ ଭାରତର ସବୁ ପ୍ରକାର କଲ୍ୟାଣ ହେବ । ଏଥି ପାଇଁ ଆବଶ୍ୟକ ଏକତା ବା ସଙ୍ଘ ଶକ୍ତି ।" ସଭାସ୍ଥଳରେ ନାରୀ ସମାଜକୁ ଆହ୍ୱାନ କରି ନିବେଦିତା କହିଥିଲେ, "ଦେଶର ପ୍ରତ୍ୟେକଟି ପୁରୁଷର ସବୁଠାରୁ ବଡ଼ କର୍ତ୍ତବ୍ୟ ଘରର ସ୍ତ୍ରୀଲୋକମାନଙ୍କୁ ଶିକ୍ଷା ଦେବା । ନାରୀ ଜାଗରଣରେ ହିଁ ଭାରତବର୍ଷର ରାଷ୍ଟ୍ର ଜୀବନରେ ବିଦ୍ୟୁତ ସଞ୍ଚାର ଘଟିବ, ନୂତନ ପ୍ରଭାତ ଜାଗି ଉଠିବ - ମୁଁ ତା'ର ଆଭାସ ଦେଖିବାକୁ ପାଉଛି ।
ଏଇ ଭଳି ଜ୍ୱାଳାମୟୀ ଭାଷଣ ଓ ଲେଖା ଦ୍ୱାରା ସ୍ୱାଧୀନତାକାମୀ ମାନଙ୍କୁ ସେ ଅଫୁରନ୍ତ ଇନ୍ଧନ ଯୋଗାଇବାକୁ ଲାଗିଲେ । ସୁପ୍ତ ଭାରତର ପ୍ରତି ଅଙ୍ଗରେ ନବଜାଗରଣର ଆହ୍ୱାନ ଦେଖି ନିବେଦିତାଙ୍କର ହୃଦୟ ଏକ ଅନିର୍ବଚନୀୟ ଆନନ୍ଦରେ ନାଚି ଉଠିଲା ।

ଏହି ଶୁଭ ଲଗ୍ନରେ ସେ ମଧ୍ୟ ରୁଦ୍ର ବୀଣାରେ ଝଙ୍କାର ତୋଳି ଭାରତବାସୀଙ୍କୁ ପୁଣିଥରେ ନବଯୁଗର ମହାମନ୍ତ୍ର ଶୁଣାଇଲେ । ସେ କହିଲେ, "ଆଦର୍ଶ ହିସାବରେ ଅହିଂସା ବହୁତ ବଡ଼ ହୋଇପାରେ ; କିନ୍ତୁ ଆଘାତ କରିବାର ସବୁ ପ୍ରକାର ସାମର୍ଥ୍ୟ ଥାଇ ମଧ୍ୟ ଆଘାତ କରୁ ନାହୁଁ, ଏଇ ଶକ୍ତି ଯେତେବେଳେ ଯାଏ ହାସଲ ହୋଇନାହିଁ, ସେତେବେଳେ ଯାଏ ଅହିଂସା ଜପର କିଛି ମୂଲ୍ୟ ନାହିଁ । ଦୁର୍ବଳର ଅହିଂସା ପାପ । ଭୟରେ ଯେ ହାତ ନ ଉଠାଏ ସେ କାପୁରୁଷ ।

୧୯୦୭ର ଗ୍ରୀଷ୍ମ ଅବକାଶରେ ସେ ବସୁ ଦମ୍ପତ୍ତିଙ୍କ ସହ ହିମାଳୟସ୍ଥ ମାୟାବତୀ ଅଦ୍ୱୈତାଶ୍ରମକୁ ଯାଇଥିଲେ । ସେହି ନିର୍ଜନ ଶାନ୍ତିପୂର୍ଣ୍ଣ ପାର୍ବତ୍ୟ ଆଶ୍ରମରେ ଥିବା ସମୟରେ ସେ  ସେହି ବସୁ( ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ)ଙ୍କର ଗବେଷଣାତ୍ମକ ନିବନ୍ଧ "Plant Response" ପାଣ୍ଡୁଲିପି ପଢ଼ିଥିଲେ । ବସୁ କହିଥିଲେ, "ଏବେ ମୁଁ ବୃକ୍ଷ ସମୂହରେ ପ୍ରାଣ ଅଛି, ଗବେଷଣା କରୁଛି ଓ ପରେ ପଥରରେ ଯେ ପ୍ରାଣ ଅଛି, ଏହା ମୁଁ ପ୍ରମାଣ କରିବି ।"
ସଫଳତା ଲାଭ ପରେ ସେ କହିଥିଲେ, "ଭଗିନୀ ନିବେଦିତାଙ୍କ ପ୍ରେରଣା ଓ ଆନ୍ତରିକ ସହଯୋଗିତାକୁ ମୁଁ କୃତଜ୍ଞ ଚିତ୍ତରେ ସ୍ମରଣ କରୁଛି ।" ରବୀନ୍ଦ୍ରନାଥଙ୍କୁ ମଧ୍ୟ ଜଗଦୀଶ ଚନ୍ଦ୍ର ଗୋଟିଏ ପତ୍ରରେ ଲେଖିଛନ୍ତି, "କ୍ଳାନ୍ତ ଓ ଅବସନ୍ନ ହୋଇ ମୁଁ ନିବେଦିତାଙ୍କର ଆଶ୍ରୟ ହିଁ ଲୋଡୁଥିଲି । ମୋର ବିଷୟ ଚୟନ ହେଉ ବା ବହି ପ୍ରକାଶନ ଜନିତ ଇଂରେଜ ସରକାରଙ୍କ କଟକଣା ହେଉ, ସବୁ ବିପରୀତ ପରିସ୍ଥିତିରେ ସେ ମୋର କଷ୍ଟ ଦୂର କରିଛନ୍ତି ।"

କଲିକତାରେ ଭଗିନୀ ନିବେଦିତାଙ୍କ ଗୃହ ପ୍ରାଙ୍ଗଣ କ୍ରମଶଃ ଭାରତର ମନିଷୀଗଣଙ୍କର ପୁଣ୍ୟତୀର୍ଥରେ ପରିଣତ ହେଲା । ବଙ୍ଗ ପ୍ରଦେଶର କେତେ ବିପ୍ଲବୀ ଯୁବ ସନ୍ତାନ ଦିନପରେ ଦିନ ନିବେଦିତାଙ୍କ ନିକଟରୁ ଅସୀମ ଉତ୍ସାହ ଓ ଉଦ୍ଦୀପନା ପାଇ ଧନ୍ୟ ହେଲେ । ସେମାନେ ତାଙ୍କ ଠାରୁ ସ୍ବଦେଶ ମନ୍ତ୍ରରେ ଦୀକ୍ଷିତ ହୋଇ ଭାରତର ମୁକ୍ତି ସଂଗ୍ରାମରେ ଝାସ ଦେଲେ। ଭାରତର ଚିନ୍ତାଧାରାକୁ ତାର ନିଜ ଐତିହ୍ୟର ପୁଣ୍ୟ ପଥରେ ପୁନଃ ପ୍ରବାହିତ କରିବା ପାଇଁ ନିବେଦିତା ଅକ୍ଳାନ୍ତ ପରିଶ୍ରମ କରୁଥିଲେ।
୧.୮.୧୭

No comments: