Saturday, 26 August 2017

*କର୍ମଫଳ*

ରାଜା ପାଣ୍ଡୁ, ନିଜ ମନରେ ଉଠିଥିବା ଏକ ପ୍ରଶ୍ନର ସମାଧାନ ନିମନ୍ତେ ଜଣେ ସନ୍ଥଙ୍କ ନିକଟରେ ପହଞ୍ଚିଲେ । ପାଣ୍ଡୁଙ୍କ  ଆଗମନ ଦେଖି ସନ୍ଥ ପଚାରିଲେ - "ରାଜନ! ଆପଣ କେଉଁ ଉଦ୍ଦେଶ୍ୟରେ ଆସିଛନ୍ତି ?" ପାଣ୍ଡୁ  ସନ୍ଥଙ୍କୁ ପ୍ରଣାମ କରି ପ୍ରଶ୍ନ କଲେ - "ମହାଭାଗ! ମୋତେ ସ୍ୱର୍ଗ ଓ ନର୍କ କ'ଣ, ଏହା ପ୍ରାପ୍ତିର ମାର୍ଗ ସମ୍ପର୍କରେ ବୁଝାଇ ଦିଅନ୍ତୁ ।"
ସନ୍ଥ ଏହାଶୁଣି କହିଲେ - "ରାଜନ! ଏ ଦୁଇଟି ଏହି ଧରିତ୍ରୀରେ ଅଛି । ଏହା ପ୍ରତ୍ୟେକ ପ୍ରାଣୀ ନିଜ କର୍ମ ଅନୁସାରେ ଭୋଗ କରିଥାନ୍ତି । ଯେଉଁମାନେ ସତ୍, ମଙ୍ଗଳମୟ କାର୍ଯ୍ୟ କରିଥାନ୍ତି ସେମାନେ ସ୍ୱର୍ଗ ପ୍ରାପ୍ତି ହୋଇଥାନ୍ତି । ଦୁରାଚାରୀ, ନୀତିଭ୍ରଷ୍ଟ ଲୋକମାନେ ନର୍କଗାମୀ ହୋଇଥାନ୍ତି ।"
ପାଣ୍ଡୁ ଏହାଶୁଣି କହିଲେ - "ମହାଭାଗ! ମୁଁ ଆପଣଙ୍କ କହିବାର ଅଭିପ୍ରାୟ ବୁଝି ପାରୁନାହିଁ ।" ଏହାଶୁଣି ସନ୍ଥ ପରଦିନ ପ୍ରାତଃ କାଳରେ ତାଙ୍କ ନିକଟକୁ ଆସିବା ପାଇଁ କହିଲେ । ପରଦିନ ପ୍ରତ୍ୟୁଷରୁ ପାଣ୍ଡୁ ସନ୍ଥଙ୍କ କୁଟୀରକୁ ଆସିଲେ । ସନ୍ଥ ତାଙ୍କୁ ଅନୁସରଣ କରିବା ନିମନ୍ତେ ପାଣ୍ଡୁଙ୍କୁ ନିର୍ଦ୍ଦେଶ ଦେଲେ ।
ପ୍ରଥମେ ସନ୍ଥ ପାଣ୍ଡୁଙ୍କୁ ନେଇ ଜନୈକ ବ୍ୟାଧ ଗୃହରେ ପହଞ୍ଚିଲେ । ବ୍ୟାଧ ପଶୁପକ୍ଷୀଙ୍କୁ ମାରି ସେମାନଙ୍କ ମାଂସ ବିକ୍ରିକରି ଜୀବନ ନିର୍ବାହ କରୁଥାଏ । କୁତ୍ସିତ ବୃତ୍ତି ଆଦରିଥିବାରୁ ତା'ର ଜୀବନରେ ଶାନ୍ତି ନ ଥାଏ । ସର୍ବଦା ଅଶାନ୍ତି ଭିତରେ କାଳ କାଟୁଥିବାର ଚିହ୍ନ ତା'ର ମୁଖମଣ୍ଡଳରୁ ଜଣାପଡୁଥାଏ । ତା'ର ପିଲାମାନେ କୁମାର୍ଗରେ ଯାଇ ଭ୍ରଷ୍ଟ ହୋଇଯାଇଥାନ୍ତି ବୋଲି ପାଣ୍ଡୁ ଜାଣିବାକୁ ପାଇଲେ ।
ସେଠାରୁ ଜଣେ ବାରଙ୍ଗନା ଗୃହରେ ଯାଇ ପହଞ୍ଚିଲେ । ଯୁବତୀ ଅବସ୍ଥାରେ  ବାରଙ୍ଗନା ଅନେକ ଲୋକଙ୍କୁ ପଥଭ୍ରଷ୍ଟ କରାଇ ପ୍ରଚୁର ଧନ ଉପାର୍ଜନ କରିଥିଲା । ଯୌବନ ଓ ସମ୍ପଦର ମୋହରେ ସଂସାରର ସତ୍ୟକୁ ଭୁଲିଯାଇଥିଲା । ଏବେ ପରିଣତ ବୟସରେ ରୋଗଗ୍ରସ୍ତ ହୋଇ ସେ ବିଛଣାରେ ପଡ଼ି ରହିଥାଏ । ସେବା କରିବାକୁ ପାଖରେ କେହି ନ ଥାନ୍ତି । ତିଳ ତିଳକରି କଷ୍ଟପ୍ରଦ ମୃତ୍ୟୁ ଯନ୍ତ୍ରଣା ଭୋଗ କରୁଥିବା ଲକ୍ଷ୍ୟ କଲେ ପାଣ୍ଡୁ ।
ସେଠାରୁ ଜଣେ ଗୃହସ୍ଥ ନିକଟରେ ପହଞ୍ଚିଲେ । କଠୋର ପରିଶ୍ରମ କରି ସେ ନିଜର ପରିବାର ପ୍ରତିପୋଷଣ କରୁଥିଲେ । କାମରୁ ଯେତେବେଳେ ଅବସର ମିଳୁଥିଲା ସେତେବେଳେ ଈଶ୍ଵରଙ୍କ ନାମ ଜପରେ ସମୟ ଅତିବାହିତ କରୁଥିଲେ । ସନ୍ତାନମାନଙ୍କୁ ସେ ଉପଯୁକ୍ତ ସଂସ୍କାର ଦେଇଥିଲେ । ସେମାନେ ସୁଶୀଳ ଓ ତାଙ୍କର ଆଜ୍ଞାବହ
ଥିଲେ । ସ୍ତ୍ରୀ, ପୁତ୍ର, କନ୍ୟା, ପିତାମାତାଙ୍କୁ ନେଇ ଆନନ୍ଦରେ ତାଙ୍କର ସାଂସାରିକ ଜୀବନ ଅତିବାହିତ କରୁଥିଲେ । ଘରେ ସୁଖ, ଶାନ୍ତିର ବାତାବରଣ ବିରାଜମାନ କରୁଥିଲା ।
ଶେଷରେ ଏକ ତପସ୍ୱୀଙ୍କ କୁଟୀରରେ ପହଞ୍ଚିଲେ । ସେଠାରେ ପରମଶାନ୍ତି ବାତାବରଣ ଥିଲା । ମହାତ୍ମା ଈଶ୍ୱରୋପାସନାରେ ମଗ୍ନ ଥାଆନ୍ତି । ଶିଷ୍ୟମାନେ କୁଟୀରର  ଶାନ୍ତ ପରିବେଶରେ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରୁଥାନ୍ତି । ତପସ୍ୱୀଙ୍କ ମୁଖମଣ୍ଡଳ ଅପୂର୍ବ ଦୀପ୍ତିରେ ଉଦ୍ଭାସିତ ହେଉଥିଲା ।
ସନ୍ଥ ପାଣ୍ଡୁଙ୍କୁ ବୁଝାଇଦେଲେ - "ରାଜନ! ଚାରିଜଣଙ୍କୁ ତ ଦେଖିଲ, ସେମାନଙ୍କ ଅବସ୍ଥା ସମ୍ପର୍କରେ ଜାଣିଲ । ପ୍ରତ୍ୟେକେ ଆପଣା କର୍ମ ଅନୁସାରେ ଫଳ ପାଇଥାନ୍ତି । ସ୍ୱକୃତ କର୍ମର ଫଳକୁ ନେଇ ଏଠି ପ୍ରତ୍ୟେକ ମନୁଷ୍ୟ କିପରି ସ୍ୱର୍ଗର ସୁଖ ଓ ନରକର ଦୁଃଖ ଭୋଗ କରୁଛନ୍ତି ତାହା ସ୍ୱଚକ୍ଷୁରେ ଦେଖିଲ । ଏଥିରେ ଈଶ୍ୱର କିମ୍ବା ଅନ୍ୟ କାହାରି କୌଣସି ଦୋଷ ନାହିଁ । ସବୁକିଛି ସ୍ୱକୃତ କର୍ମ ଅନୁସାରେ ହିଁ ପ୍ରାପ୍ତ ହେଉଛି ।"
ଏବେ ପାଣ୍ଡୁ ସନ୍ଥ କହିଥିବା କଥାର ଅଭିପ୍ରାୟ ବୁଝିପାରିଲେ । ବାସ୍ତବ ସତ୍ୟ ଏହା ଯେ ଦୁର୍ଲଭ ମନୁଷ୍ୟ ଜନ୍ମ ପାଇ ଅଧିକରୁ ଅଧିକ ବ୍ୟକ୍ତି ଆସକ୍ତି ବଶତଃ ଘୋର ଦୁଷ୍କର୍ମରେ ଲିପ୍ତ ହୋଇ ନରକର ଦୁଃଖକୁ ଜାଣିଶୁଣି ଆମନ୍ତ୍ରଣ କରୁଛନ୍ତି । ସେମାନେ ଭୁଲିଯାଉଛନ୍ତି ଯେ ସ୍ୱକୃତ କର୍ମର ଫଳ (ଭଲ ହେଉ କି ଖରାପ ହେଉ ) ଏହା ନିଶ୍ଚିତ ସେମାନଙ୍କୁ ଭୋଗ କରିବାକୁ ପଡ଼ିବ । ଏଥିରେ ଦୈଵ କିମ୍ବା ଭାଗ୍ୟ କାହାରି ଭୂମିକା ନାହିଁ ।

୫.୭.୧୭

No comments: