ଥରେ ମହାତ୍ମାଗାନ୍ଧୀ ରେଳଗାଡ଼ିରେ ପ୍ରୟାଗ ଯାଉଥିଲେ । ସେଦିନ ବହୁତ ଜୋରରେ ବର୍ଷା ହେଉଥିଲା । ସେ ବହୁତ ପୁରୁଣା ରେଳ ଡବାରେ ବସିଥିଲେ। ଛାତରୁ ପାଣି ଗଳୁ ଥିଲା । ଗାନ୍ଧିଜୀଙ୍କ ବସିବା ଜାଗାରେ ପାଣି ଜମାହେଉଥିଲା।
ଗାର୍ଡକୁ ଏକଥା ଜଣା ନ ଥାଏ। ଯେତେବେଳେ ପାଣି ବେଶୀ ଜମା ହୋଇଗଲା, ସେତେବେଳେ ଜଣେ ସଜ୍ଜନ ଯାଇ ଗାର୍ଡକୁ ଏ କଥା ଜଣାଇଲେ। ଗାର୍ଡ ତୁରନ୍ତ ଆସି ଗାନ୍ଧିଜୀଙ୍କୁ କହିଲେ,
"ମୋତେ କ୍ଷମା କରନ୍ତୁ ବାପୁ। ମୁଁ ବହୁତ ଦୁଃଖିତ ଯେ ଏହି ଡବାରେ ପାଣି ଗଳୁଛି । ଆରମ୍ଭରୁ ଜାଣିଥିଲେ ମୁଁ ଆପଣଙ୍କୁ ଅନ୍ୟ ଡବାରେ ବସାଇ ଥାନ୍ତି । ଏବେ ଆପଣ ମୋ ସହିତ ଅନ୍ୟ କୌଣସି ବଗିକୁ ଚାଲନ୍ତୁ । ଏହି ବଗି ଆପଣଙ୍କ ବସିବାର ଯୋଗ୍ୟ ନୁହେଁ ।"
ଗାନ୍ଧିଜୀ ପଚାରିଲେ,
ମୁଁ ସେପଟକୁ ଚାଲିଗଲେ କଣ ଏହି ଡବା ଖାଲି ରହିବ? ଏଥିରେ କେହି ବସିବେ ନାହିଁ ?"
ଗାର୍ଡ କହିଲେ,
"ଏ ଡବା ଖାଲି କାହିଁକି ଯିବ ? ଏଥିରେ ଅନ୍ୟ ସାଧାରଣ ଲୋକ ଯିବେ।"
ଗାନ୍ଧିଜୀ କହିଲେ,
"ଯଦି ଆପଣ ଏହି ଡବାରେ ଅନ୍ୟ ସାଧାରଣ ଲୋକଙ୍କୁ ବସାଇବା ପାଇଁ ସ୍ଥିର କରିଛନ୍ତି, ତେବେ ମୁଁ କାହିଁକି ବସିବି ନାହିଁ ? ଏଠାରେ ଯିଏ ବସିବ ତାକୁ ବି ତ କଷ୍ଟ ହେବ।"
ଏହା ଶୁଣି ଗାର୍ଡ କହିଲା, "ବାପୁ, ସେମାନେ କଣ ଆପଣଙ୍କ ସମକକ୍ଷ ହେବ ? ଏଣୁ ମୋର ନିବେଦନ ଆପଣ ଏ ବଗି ବଦଳାଇ ଦିଅନ୍ତୁ ।"
ଗାନ୍ଧିଜୀ କହିଲେ, "ଭାଇ, ମୁଁ ତ ଏ ଡବା ବଦଳେଇବି ନାହିଁ । କାରଣ ଏଇଠି ଯିଏ ବସିବ ତାକୁ ବି ତ କଷ୍ଟ ହେବ । ଆପଣ ମୋତେ ଯେଉଁଠି ବସାଇଲେ ବି ମୁଁ ସେହି ଲୋକଟିର କଥା ଭାବି ଭାବି ବେଶୀ କଷ୍ଟ ପାଇବି । କାରଣ ମୋ ଯୋଗୁଁ ସେ କଷ୍ଟ ପାଇବ । ତେଣୁ ମୁଁ ଅନ୍ୟତ୍ର ଯାଇ ପାରିବି ନାହିଁ । ଯଦି ଆପଣ ଚାହୁଁଛନ୍ତି ଯେ ମୁଁ ଆରାମରେ ଯାତ୍ରା କରେ ତେବେ ଆପଣଙ୍କୁ ନିବେଦନ ଆପଣ ଗାଡ଼ିର ସବୁ ଡବା ଠିକ କରନ୍ତୁ । ଖାଲି ମୋ କଥା ନୁହେଁ, ସମସ୍ତଙ୍କ କଥା ଚିନ୍ତା କରନ୍ତୁ ।"
୨୯.୮.୧୭

No comments:
Post a Comment