Saturday, 26 August 2017

*ନିଃସ୍ୱାର୍ଥ ଭାବ*

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କୁ ରିକ୍ସାରେ ଯାଉଥିବା ଦେଖି ତାଙ୍କର ଜଣେ ପରିଚିତ ବ୍ୟକ୍ତି ଦ୍ବିଧାଗ୍ରସ୍ତ ହୋଇ ପଚାରିଲେ, "ଆପଣ ଏତେ ବଡ଼ ମଣିଷ, ଉଚ୍ଚପଦରେ ରହି ବି ରିକ୍ସାରେ ଯାଉଛନ୍ତି ?"
ଆଚାର୍ଯ୍ୟ -"ମୁଁ ବଡ଼ ମଣିଷ ହେଲି କିପରି ? ମୁଁ ତ ଅତି ସାଧାରଣ ପରିବାରରୁ ଆସିଛି । ଯଦି ରିକ୍ସାରେ ନ ଯିବି କେଉଁ ସାଧନ ସାହାଯ୍ୟରେ ଯିବି ?"
ପରିଚିତ ବ୍ୟକ୍ତି -"ଆପଣ ଦେଶର ଏକ ସୁପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର କୁଳପତି, ଅତି ଉଚ୍ଚ ପଦରେ ଆସୀନ । ଏଭଳି ସୌଭାଗ୍ୟ ଖୁବ କମ ଲୋକଙ୍କୁ ମିଳିଥାଏ । ଆପଣଙ୍କ ଯିବା ଆସିବା ଲାଗି ନିଶ୍ଚୟ କାରଟିଏ ମିଳିଥିବ ।"
ଆଚାର୍ଯ୍ୟ - " ମିଳିଛି, ହେଲେ ତା ଖର୍ଚ୍ଚ ବହନ କରିବାକୁ ମୁଁ ସକ୍ଷମ ନୁହେଁ ।"
ପରିଚିତ ବ୍ୟକ୍ତି -"ଆପଣ ଏ କି ପ୍ରକାର କଥା କହୁଛନ୍ତି ? ଆପଣ ଏହାର ଖର୍ଚ୍ଚ ବହନ କରିବେ କାହିଁକି ? ଏହା ତ ସରକାରୀ ଖର୍ଚ୍ଚରେ ଚାଲିବ, ଯେହେତୁ ଏହା ସରକାରୀ ଯାନ ଓ ଆପଣ ଏହାର ମାଲିକ ।"

ଆଚାର୍ଯ୍ୟ - "ଆପଣଙ୍କ ଅନୁମାନ ଭୁଲ । ପ୍ରଥମ କଥା ହେଲା, ମୁଁ କାରର ମାଲିକ ନୁହେଁ । ଏହା ସରକାରୀ ଗାଡ଼ି । ବିଶ୍ୱବିଦ୍ୟାଳୟ କାର୍ଯ୍ୟରେ ଯିବା ଆସିବା ନିମନ୍ତେ ଏହା ମୋତେ ମିଳିଛି, ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର ନିମନ୍ତେ ନୁହେଁ । ଏହାକୁ ନିଜ କାର୍ଯ୍ୟରେ ବ୍ୟବହାର କରିବା ଅର୍ଥ ଏହା ସରକାରୀ କ୍ଷମତାର ଦୁରୁପଯୋଗ ହେବ । ଦାୟୀତ୍ୱରେ ଥିବା ବ୍ୟକ୍ତି କ୍ଷମତାର ଏଭଳି ଅପବ୍ୟବହାର କରିବା ଉଚିତ ନୁହେଁ । ଏବେ ମୁଁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଯାଉଛି । ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାର୍ଯ୍ୟ । ବ୍ୟକ୍ତିଗତ କାର୍ଯ୍ୟରେ ମୁଁ ସରକାରୀ ଯାନ କାହିଁକି ବ୍ୟବହାର କରିବି ? ଯଦି ମୁଁ ନିୟମ ଉଲଙ୍ଘନ କରିବି, ତେବେ  ଏହା ଦେଖି ଅନ୍ୟମାନେ ସେହିପରି ଆଚରଣ କରିବେ । ଫଳ ଏହା ହେବ ଯେ ଏହାର ଘରୋଇ ବ୍ୟବହାର ବଢ଼ିଯିବ, ନିୟମ କାନୁନର ଖୋଲାଖୋଲି ଉଲଙ୍ଘନ ହେବ । ଉଚ୍ଚ ପଦ ପଦବୀରେ ଥିବା ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ଅନୁକରାଣୀୟ ଆଦର୍ଶ ସୃଷ୍ଟି କରିବା ଉଚିତ । ନିୟମ କାନୁନକୁ ସମ୍ମାନ ଦେବା ନିହାତି ଆବଶ୍ୟକ ।"

ଏଭଳି ଉତ୍ତର ଶୁଣି ପରିଚିତ ବ୍ୟକ୍ତି ଜଣକ ଆଚାର୍ଯ୍ୟଙ୍କ ଆଦର୍ଶବାଦୀ ଚିନ୍ତାଧାରା ଓ ନିଃସ୍ୱାର୍ଥଭାବ ନିକଟରେ ନତମସ୍ତକ ହୋଇଗଲେ ।

୧୦.୭.୧୭

No comments: