Friday, 25 August 2017

*ସ୍ୱଦେଶୀ*

ଆମ ଦେଶ ପରାଧୀନ ଥିଲା । ସେହି ସମୟର ଘଟଣା ।
୨୮.୯.୧୮୯୮ରେ ଟାଇମ୍ସ ଅଫ ଇଣ୍ଡିଆ ଓ ଆନନ୍ଦ ବଜାର ପତ୍ରିକାରେ ଗୋଟିଏ ଖବର ଦେଖି ଆମ ଦେଶବାସୀ ଆନନ୍ଦିତ ହୋଇଗଲେ । କାରଣ ସେଇ ଖବରଟି ଥିଲା - "ଜେ. ଏନ. ଟାଟା ନିଜ ସମ୍ପତ୍ତିର ଅଧା ଅର୍ଥାତ ୩୦ ଲକ୍ଷ ଟଙ୍କା ଭାରତୀୟ ବିଜ୍ଞାନ ସଂସ୍ଥାନ ଗଢ଼ିବା ପାଇଁ ବ୍ୟୟ କରିବେ ବୋଲି ଘୋଷଣା କରିଛନ୍ତି ।"

ତା'ର କିଛିଦିନ ପରେ ସ୍ବାମୀ ବିବେକାନନ୍ଦ ଗୋଟିଏ ଚିଠି ପାଇଲେ । ସେତେବେଳେ ସେ ବେଲୁଡ଼ ମଠରେ ଅବସ୍ଥାନ କରୁଥିଲେ । ଚିଠି ଆସିଥିଲା ସେଇ ଜେ. ଏନ. ଟାଟାଙ୍କ ଠାରୁ । ୨୮.୧୧.୧୮୯୮ରେ ସେ ଲେଖିଥିଲେ - "ସ୍ୱାମୀଜୀ, ଆପଣଙ୍କର ମନେଥିବ, ଆପଣ ଯେତେବେଳେ ଶିକାଗୋ ଯାଉଥିଲେ ସେହି ଜାହାଜରେ ଆପଣଙ୍କ ସହିତ ମୋର ଜାପାନର ୟୋକୋହମା ଠାରେ ଭେଟ ହୋଇଥିଲା । ବିଦେଶରେ ମୁଁ ବ୍ୟବସାୟ କରିବାକୁ ଯାଉଛି ବୋଲି ଜାଣିବା ପରେ ଆପଣ ତୁରନ୍ତ ମୋତେ ବାରଣ କରି କହିଥିଲେ, ଏହି କାମ ତ ଆପଣ ସ୍ୱଦେଶରେ କରିପାରିଥାନ୍ତେ ।  ଭଲ ହୁଅନ୍ତା ଯଦି ଆପଣ ପାଶ୍ଚାତ୍ୟ ଉପକରଣ ଓ ପାଶ୍ଚାତ୍ୟ ଜ୍ଞାନକୌଶଳ ନେଇ ସ୍ୱଦେଶରେ ଶିଳ୍ପର ବିକାଶ କରନ୍ତେ । ଆହୁରୀ ବି ଆପଣ କହିଥିଲେ, "ମୋର ସ୍ୱପ୍ନର ଭାରତକୁ ଏବେର ଯୁବ ପିଢ଼ି ସାକାର କରିବ ।"

ଏବେ ମୋର ମନ କଥା ଆପଣ ଖବରକାଗଜରୁ ପଢ଼ିଥିବେ । ଆପଣଙ୍କ କଥା ଅନୁସାରେ ଭାରତୀୟ ବିଜ୍ଞାନ ସଂସ୍ଥାନ ଖୋଲିବା ପାଇଁ ମୁଁ ଘୋଷଣା କରିସାରିଛି । ଏବେ ଏହି ସଂସ୍ଥାନର ସମ୍ପୂର୍ଣ୍ଣ ପରିଚାଳନା ଭାର ଆପଣଙ୍କୁ ଦେବାକୁ ଚାହୁଁଛି । ଏହା ପାଇଁ ପ୍ରଚାର ପତ୍ରଟିକୁ ଆପଣ ହିଁ ଲେଖି ପାରିବେ । ତେଣୁ ମୁଁ ଆପଣଙ୍କ ଅପେକ୍ଷାରେ ରହିଲି ।"

ଏଇ ଚିଠି ପଢ଼ିବା ପରେ ସ୍ୱାମୀଜୀଙ୍କ ମନ ଭରିଗଲା । ଯାତ୍ରା ସମୟରେ ଏକ ଅପରିଚିତ ବ୍ୟକ୍ତି ସହ ଅଳ୍ପ ସମୟର ଆଲୋଚନାର ଏତେ ବଡ଼ ପରିଣାମ ହେବ ବୋଲି ସେ କଳ୍ପନା କରି ନ ଥିଲେ ।

ବର୍ତ୍ତମାନ ଚିଠିରେ ମିଳିଥିବା ବିଶ୍ୱାସ ଅନୁସାରେ ସ୍ୱାମୀଜୀ ବମ୍ବେ ଯାଇ ଟାଟାଙ୍କୁ ସହଯୋଗ କରିବା ଉଚିତ ହେବ ବୋଲି ଭାବିଲେ; କିନ୍ତୁ ସେତେବେଳେ ସେ ରାମକୃଷ୍ଣ ମିଶନ ସ୍ଥାପନାରେ ଏତେ ବ୍ୟସ୍ତ ଥିଲେ ଯେ ନିଜେ ନ ଯାଇ ଶିଷ୍ୟା ନିବେଦିତାଙ୍କୁ ପଠାଇଲେ ।
କାର୍ଯ୍ୟ ଆରମ୍ଭ ହେବା ବେଳକୁ ସେତେବେଳର ଭାଇସରାୟ ଲର୍ଡ଼ କର୍ଜନ ଏହାର ଘୋର ବିରୋଧ କଲେ । କିନ୍ତୁ ସ୍ୱାମୀଜୀଙ୍କର ସ୍ୱଦେଶ ଭକ୍ତି ପାଖରେ ଲର୍ଡ଼ଙ୍କ ବିରୋଧ କିଛି କାମରେ ଆସିଲା ନାଇଁ । ଟାଟା ଅବିଚଳିତ ରହି ସେ କାମରେ ଆଗେଇ ଗଲେ । ସ୍ୱାମୀଜୀ ୧୯୦୨ ଓ ଟାଟା ୧୯୦୪ ରେ ଦେହ ତ୍ୟାଗ କଲେ । ୧୯୦୯ରେ ଭାରତୀୟ ବିଜ୍ଞାନ ସଂସ୍ଥାନ, ବେଙ୍ଗଲୁରରେ ଜନ୍ମ ନେଲା । କେବଳ ସେତିକି ନୁହେଁ ସେ ପ୍ରାଚୀନ ପଦ୍ଧତିରେ କରୁଥିବା ଇସ୍ପାତ ଶିଳ୍ପକୁ ବଦଳାଇ ସେଥିରେ ପାଶ୍ଚାତ୍ୟ ଉପକରଣ ଓ ପାଶ୍ଚାତ୍ୟ ଜ୍ଞାନ କୌଶଳକୁ ମିଶାଇ ଉନ୍ନତ ମାନର ଇସ୍ପାତ ଶିଳ୍ପ ଛିଡ଼ା କଲେ । ତାଙ୍କ ଲୋକ କଲ୍ୟାଣ ଓ ଭାରତ ଭକ୍ତିକୁ ମନେ ପକାଇ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଆଦି ଅନେକ କ୍ଷେତ୍ରରେ ଶହେରୁ ଉର୍ଧ୍ଵ ସଂସ୍ଥା ଦେଶ ବିଦେଶରେ କାର୍ଯ୍ୟରତ । ଏବେ ସେହି ସବୁ ସଂସ୍ଥାରୁ ଉପାର୍ଜନ ହେଉଥିବା ଲାଭାଂଶର ଷାଠିଏ ଭାଗ ସମାଜ ସେବାରେ ବିନିଯୋଗ ହେଉଛି । ଆମ ଦେଶରେ ଶରଣାର୍ଥୀ ଭାବେ ରହିଥିବା ଜଣେ ପାର୍ସୀଙ୍କର ଦେଶଭକ୍ତି ପାଖରେ ଆମେ ନତମସ୍ତକ । ଏଇ ସ୍ୱଦେଶ ଭକ୍ତି ଆମ ପ୍ରତ୍ୟେକଙ୍କ ମନରେ ଭରିଯାଉ ।
୩.୮.୧୭

No comments: