Thursday, 24 August 2017

*ମାଆ କଥା ମନେପଡ଼ିଲା*

ସେତେବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜର୍ମାନୀରେ ରହି ଆଜାଦ ହିନ୍ଦ ଫୌଜକୁ ସଶକ୍ତ କରିବା ନିମନ୍ତେ ଉଦ୍ୟମ ଜାରି ରଖିଥାନ୍ତି । ଇଂରେଜମାନେ ତାଙ୍କୁ ଏତେ ଭୟ କରୁଥିଲେ ଯେ ହିନ୍ଦ ସେନାର ମନୋବଳ ଭାଙ୍ଗିବା ପାଇଁ ଅନେକ ବାର ବେତାର ସମାଚାରରେ ନେତାଜୀଙ୍କ ମୃତ୍ୟୁ ନେଇ ମିଥ୍ୟା ପ୍ରଚାର କରୁଥାନ୍ତି ।

ଏକଦା ବ୍ରିଟିଶ ରେଡ଼ିଓ ପ୍ରଚାର କରିଦେଲା ଯେ, "ସୁଭାଷ ଚନ୍ଦ୍ର ବୋଷ ଏକ ବୋମା ବିସ୍ଫୋରଣରେ ମୃତ୍ୟୁ ବରଣ କରିଛନ୍ତି ।"

ସାଥୀ ସୈନିକଙ୍କ ଗହଣରେ ଥିବାବେଳେ ଏ ଖବର ଶୁଣି ନେତାଜୀଙ୍କ ଆଖିରୁ ଦୁଇଧାର ଲୁହ ବହିଗଲା । ଏହା ଦେଖି ତାଙ୍କର ଜଣେ ସାଥୀ ପଚାରିଲେ,
"ଏଭଳି ମିଥ୍ୟା ଖବର ଶୁଣି ଆପଣ କାହିଁକି ମନକଷ୍ଟ କଲେ ?"

ନେତାଜୀ କହିଲେ, "ଯୁଦ୍ଧରେ ସହିଦ ହୋଇଯିବା, ବୀରର ସୌଭାଗ୍ୟ। ଏପରି ମୃତ୍ୟୁ ହେଲେ ପରିବାର ଲୋକମାନେ ବି ଅବଶୋଷ କରିବେ ନାହିଁ।ହେଲେ, ବାରମ୍ବାର ପ୍ରଚାରିତ ଏଇ ମିଥ୍ୟା ଖବର ଯଦି କେହି ଯାଇ ମୋ ମାଆଙ୍କ ପାଖରେ ପହଂଚାଉ ଥିବ, ତେବେ ତାଙ୍କର  ଅବସ୍ଥା କଣ ହେଉ ନଥିବ ? ଏକ ଜୀବିତ ପୁତ୍ରର ବାରମ୍ବାର ମୃତ୍ୟୁ ନେଇ ପ୍ରସାରିତ ଗୁଜବକୁ ସେ କେମିତି ସାମନା କରୁଥିବ!"

ପ୍ରକୃତରେ ଦେଶ ମାତୃକାର ମୁକ୍ତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିବା ସଂଗ୍ରାମୀଟିଏ ଯୁଦ୍ଧକ୍ଷେତ୍ରରୁ ମାଆଙ୍କ ବାତ୍ସଲ୍ୟ  ତଥା ହୃଦୟର ଉଦବେଳନକୁ ଅନୁଭବ କରି ଚକ୍ଷୁ ଅଶ୍ରୁସିକ୍ତ କରିବା ନେତାଜୀଙ୍କ ଅତୁଳନୀୟ  ମହନୀୟତାକୁ ପ୍ରମାଣିତ କରେ।

୧୯.୮.୧୭

No comments: