ଆଦି ଶଙ୍କରାଚାର୍ଯ୍ୟ ଏଵଂ ପଣ୍ଡିତ ମଣ୍ଡନ ମିଶ୍ରଙ୍କ ମଧ୍ୟରେ ଶାସ୍ତ୍ରାର୍ଥ ଚାଲିଥାଏ। ମଣ୍ଡନ ମିଶ୍ରଙ୍କର ପତ୍ନୀ ଭାରତୀ ସେମାନଙ୍କର ବିଚାରକ ଥାଆନ୍ତି । ତର୍କ ଆଉ ବ୍ୟାଖ୍ୟାରେ କେହି କାହାକୁ ଉଣା ନୁହନ୍ତି। ଏମିତି ଆଲୋଚନା ପର୍ଯ୍ୟାଲୋଚନା ଦୀର୍ଘ ଷୋହଳ ଦିନ ଧରି ଚାଲିଲା। ହେଲେ କେହି ବି ପଛଘୁଞ୍ଚା ଦେବା ପରି ଜଣା ପଡୁ ନଥାନ୍ତି । ଶେଷରେ, ଭାରତୀ ଘୋଷଣା କଲେ ଯେ, ନିର୍ଣ୍ଣୟ ଘୋଷଣା କରିବାର ଅନ୍ତିମ ସମୟ ଉପଗତ।
ତେବେ ତତକ୍ଷଣାତ କୌଣସି ଏକ ଜରୁରୀ କାମ ସ୍ମରଣ ଆସିବାରୁ ତାଙ୍କୁ ବାହାରକୁ ଯିବାକୁ ପଡ଼ିଲା ।
ସ୍ଥାନ ଛାଡ଼ିବା ପୂର୍ବରୁ ଭାରତୀ ଉଭୟ ପ୍ରତିଯୋଗୀଙ୍କ ଗଳାରେ ଗୋଟିଏ ଲେଖାଏଁ ଫୁଲମାଳ ପକାଇ ଦେଇ କହିଲେ -
"ଆପଣମାନେ ଶାସ୍ତ୍ରାର୍ଥ ଚଳାଇ ରଖନ୍ତୁ । ମୋର ଅନୁପସ୍ଥିତିରେ ମୋ କାର୍ଯ୍ୟ ଏଇ ଫୁଲମାଳ କରିବେ ।"
ଜରୁରୀ କାମ ସମାପ୍ତ ପୂର୍ବକ ପ୍ରତ୍ୟାବର୍ତ୍ତନ ପରେ ଭାରତୀ ନିଜ ପତିଙ୍କର ପରାଜୟ ତଥା ଆଦି ଶଙ୍କରଙ୍କ ବିଜୟ ଘୋଷଣା କଲେ ।
ଏହା ଶୁଣି ସମବେତ ଜନତା ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଲୋକମାନଙ୍କର ଜିଜ୍ଞାସା ଶାନ୍ତ କରିବାକୁ ଯାଇ ଦେବୀ ଭାରତୀ ସ୍ମିତା ହସି କହିଲେ -
"ଯେତେବେଳେ ବିଦ୍ୱାନ ପରାଜିତ ହେବାକୁ ବସେ, ସେତେବେଳେ ତା ମନରେ କ୍ରୋଧ ଉତ୍ପନ୍ନ ହୁଏ । ମୋର ପତି ଶାସ୍ତ୍ରାର୍ଥରେ ପଛରେ ପଡ଼ି ଯିବାରୁ ନିଜକୁ ଦୁର୍ବଳ ବୋଲି ଭାବି ରାଗିଗଲେ; ଏଣୁ ତାଙ୍କ ଗଳାରେ ଥିବା ସତେଜ ପୁଷ୍ପମାଳା ଶରୀରର ଉତ୍ତାପରେ ମଳିନ ପଡ଼ିଗଲା । ଅଥଚ ଶଙ୍କରାଚାର୍ଯ୍ୟଙ୍କର ମାଳା ଏବେ ବି ସତେଜ ରହିଛି । ଏହା ହିଁ ଆଦି ଶଙ୍କରଙ୍କ ବିଜୟର ରହସ୍ୟ ।"
ଭାରତୀଙ୍କ ନିର୍ଣ୍ଣୟରେ ଉପସ୍ଥିତ ପଣ୍ଡିତ ଓ ସାଧାରଣ ଜନତା ସନ୍ତୁଷ୍ଟ ହେଲେ ।
୪.୭.୧୭

No comments:
Post a Comment