Saturday, 26 August 2017

*ଆହାର ଅନୁସାରେ ବ୍ୟବହାର*

ମନୁଷ୍ୟ ଉପରେ ଆହାରର କ'ଣ ଓ କିପରି ପ୍ରଭାବ ହୁଏ, ତାହାର ଅନେକ ଉଦାହରଣ ମିଳେ । ମନୁଷ୍ୟ ଯେଉଁ ପ୍ରକାର ଭୋଜନ କରେ, ସେହି ପ୍ରକାର ତାହାର ବିଚାର ବୁଦ୍ଧି ମଧ୍ୟ ହୋଇଯାଏ ଏବଂ ସେହି ଅନୁସାରେ ତାହାର ଶରୀର ମଧ୍ୟ ଗଢ଼ା ହୁଏ । ମହାଭାରତରେ ଏଇଭଳି ଏକ ପ୍ରସଙ୍ଗ ଅଛି ।

ଥରେ ଭୀଷ୍ମ ପିତାମହଙ୍କୁ ଦ୍ରୌପଦୀ ଏପରି ଏକ ଧର୍ମ ସଙ୍କଟରେ ପକାଇ ଦେଇଥିଲେ । ଭୀଷ୍ମ ପିତାମହ ଶର ଶଯ୍ୟାରେ ଶୟନ କରିଥିଲେ । ଯୁଧିଷ୍ଠିର ଆଦି ତାଙ୍କ ଚରଣ ତଳେ ବସି ତାଙ୍କଠାରୁ ଧର୍ମୋପଦେଶ ଗ୍ରହଣ କରୁଥିଲେ । ସେହି ସମୟରେ ଦ୍ରୌପଦୀ ତାଙ୍କ ଆଗରେ ଏକ ପ୍ରଶ୍ନ ଉପସ୍ଥାପନା କରି କହିଲେ, "ପିତାମହ, ମୋର ଗୋଟିଏ ସନ୍ଦେହ ଅଛି ।"

"କୁହ ମାଆ,"ପିତାମହ କହିଲେ ।

ଦ୍ରୌପଦୀ କହିଲେ, "ପିତାମହ, ପ୍ରଥମେ ମୁଁ କ୍ଷମା ମାଗି ନେଉଛି । କାରଣ ପ୍ରଶ୍ନ ଟିକେ ତେଢ଼ା ଅଛି ।"

ପିତାମହ କହିଲେ, "ଝିଅ, ଯାହା ପଚାରିବାର ଅଛି ନିର୍ଭୟ ହୋଇ ପଚାର ।"

ଦ୍ରୌପଦୀ କହିଲେ, "ପିତାମହ, ଯେତେବେଳେ ସଭା ମଧ୍ୟରେ ଦୁଃଶାସନ ମୋର ବସ୍ତ୍ର ହରଣ କରୁଥିଲା, ସେତେବେଳେ ଆପଣ ସେଠି ଉପସ୍ଥିତ ଥିଲେ । କିନ୍ତୁ ଆପଣ ମୋର ସହାୟତା କଲେ ନାହିଁ । କୁହନ୍ତୁ, ସେହି ସମୟରେ ଆପଣଙ୍କର ଏହି ବିବେକ ଓ ଜ୍ଞାନ କୁଆଡ଼େ ଯାଇଥିଲା ? ଏକ ଅବଳାର ଲଜ୍ଜ୍ୟା ହରଣର ଦୃଶ୍ୟ ଆପଣ ନିଜ ଆଖିରେ କିପରି ଦେଖିପାରିଲେ ?"

ପିତାମହ ଗମ୍ଭୀର ହୋଇଗଲେ । ଏହି ପ୍ରଶ୍ନ ତାଙ୍କ ଆଗରେ ପ୍ରଥମ ଥର ପାଇଁ ଆସି ନ ଥିଲା । ଯେଉଁ ସମୟରେ ଏହି ଘଟଣା ଘଟିଥିଲା, ସେହି ସମୟରେ ମଧ୍ୟ ଏହି ପ୍ରଶ୍ନ ତାଙ୍କ ସମ୍ମୁଖରେ ଥିଲା । ଏହାପରେ ଯେବେ ମଧ୍ୟ ସେ ଏ ବିଷୟରେ ସ୍ମରଣ କରିଛନ୍ତି, ଏହା ତାଙ୍କ ଆଗରେ ପ୍ରଶ୍ନ ଆକାରରେ ରହୁଥିଲା । ଆଜି ଦ୍ରୌପଦୀ ସ୍ପଷ୍ଟ ରୂପେ ଏହି ପ୍ରଶ୍ନ ଉଠେଇଛନ୍ତି ।

ପିତାମହ କହିଲେ, "ଝିଅ, ତୁମେ ଠିକ କହୁଛ । ପ୍ରକୃତ କଥା ଏହା ଯେ ମୁଁ ସେହି ସମୟରେ ଦୁର୍ଯ୍ୟୋଧନର ପାପପୂର୍ଣ୍ଣ ଅନ୍ନ ଖାଉଥିଲି । ସେହି ପାପ ସେହି ସମୟରେ ମୋର ମନ ଓ ମସ୍ତିଷ୍କରେ ଭର୍ତ୍ତି ହୋଇଥିଲା । ମୁଁ ଦେଖୁଥିଲି ଯେ ଅତ୍ୟାଚାର ହେଉଛି, ଅଧର୍ମ ହେଉଛି, କିନ୍ତୁ ତାକୁ ଅଟକାଇ ପାରି ନଥିଲି ।"

"କିନ୍ତୁ ଆଜି ହଠାତ ଏହି ଜ୍ଞାନ କିପରି ପ୍ରକଟ ହେଉଛି ?" ଦ୍ରୋପଦୀ ପଚାରିଲେ ।

ପିତାମହ କହିଲେ, "ଝିଅ, ଆଜି ଅର୍ଜୁନର ବାଣ ମୋର ସେହି ସମସ୍ତ ରକ୍ତ ବାହାରକୁ ବାହାର କରିଦେଇଛି, ଯେଉଁଥିରେ ଦୁର୍ଯ୍ୟୋଧନର ପାପ ଅନ୍ନର ପ୍ରଭାବ ଥିଲା । ଏବେ ତ ମୁଁ ରକ୍ତ ବିହୀନ ପ୍ରାଣୀ ଅଟେ । ତେଣୁ ମୋର ବିବେକ ସଜାଗ ଅଛି। ମୋର ଶରୀରରୁ ପାପର ଅନ୍ନ ଦ୍ୱାରା ନିର୍ମିତ ହୋଇଥିବା ରକ୍ତ ବାହାରି ଯାଇଛି ।"

ଏହାପରେ ଦ୍ରୌପଦୀଙ୍କ ପାଇଁ ଆଉ କିଛି କହିବାକୁ ନ ଥିଲା । ତାଙ୍କୁ ସନ୍ତୋଷ ମିଳି ସାରିଥିଲା ।

୨୧.୭.୧୭

No comments: