Monday, 28 August 2017

*କୃପଣତାର ରହସ୍ୟ*

  ପ୍ରସିଦ୍ଧ ରସାୟନ ଶାସ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ରାୟ ପ୍ରତିଦିନ ସକାଳ ଜଳଖିଆରେ ଦୁଇଟି କଦଳୀ ଖାଉଥିଲେ ।  ଥରେ ତାଙ୍କର ଜଣେ ଛାତ୍ର, ସୁକାନ୍ତ ଜଳଖିଆ ପାଇଁ ଚାରୋଟି କଦଳୀ ନେଇ ଆସିଲା । ଏହା ଦେଖି ପ୍ରଫେସର ରାୟ ତାଙ୍କୁ କହିଲେ,
"ଆରେ ବାବା, ଏପରି ଖାଇଲେ ମୋ ଜଳଖିଆ ବ୍ୟୟ ଦୁଇ ଗୁଣ ବଢ଼ିଯିବ । ଆଜି ନେଇ ଆସିଲଣି ତ ଏଇ କଦଳୀ ଦୁଇଟି ରଖିଦିଅ । କିନ୍ତୁ କାଲି ଆଉ ପଅରି ଦିନ କେବଳ ଗୋଟିଏ ଲେଖାଏଁ କଦଳୀ ଆଣିବ ଯଦ୍ବାରା ଜଳଖିଆର ବ୍ୟୟ ଅଟକଳ ସମତୁଲ ହୋଇଯିବ ।"

ଛାତ୍ର ଜଣକ ମନକୁ ମନ ଭାବିଲା, ଏତେବଡ଼ ପ୍ରଫେସର ହୋଇ ବି କେତେ କୃପଣ ! ମାତ୍ର ଦୁଇଟି କଦଳୀ ପାଇଁ ଏତେ କଥା, କେତେ ଭାଷଣ !

ଏହି ଘଟଣାର କିଛି ଦିନ ପରେ ଜଣେ ବ୍ୟକ୍ତି ପ୍ରଫେସରଙ୍କ ପାଖକୁ ଆସିଲେ। ଜଣେ ଅଭାବଗ୍ରସ୍ତ ବ୍ୟକ୍ତିକୁ ଆର୍ଥିକ ସହାୟତା ପାଇଁ ନିବେଦନ କଲେ ।

ପ୍ରଫେସର ରାୟ ତୁରନ୍ତ ସୁକାନ୍ତକୁ ଡକାଇ ନିଜ ସଞ୍ଚୟ ଖାତାରେ କେତେ ଟଙ୍କା ଜମା ଅଛି  ବୋଲି ପଚାରିଲେ । ସୁକାନ୍ତ, ସଞ୍ଚୟ ଖାତା ଦେଖି କହିଲେ,
"ଆଜ୍ଞା, ପାଖା ପାଖି ସାଢ଼େ ତିନି ହଜାର ଟଙ୍କା ଅଛି ।"

ପ୍ରଫେସର ରାୟ ତୁରନ୍ତ ତିନି ହଜାର ଟଙ୍କାର ଚେକ ଟିଏ କାଟି  ଉକ୍ତ ଭଦ୍ରବ୍ୟକ୍ତିଙ୍କ ହାତକୁ ବଢ଼େଇଦେଲେ ।

ଉକ୍ତ ଭଦ୍ରବ୍ୟକ୍ତି ଯିବାପରେ ସୁକାନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲା,
"ସାର, ଯଦି ଖରାପ ନ ଭାବିବେ ପ୍ରଶ୍ନଟିଏ  ପଚାରନ୍ତି। ସେଦିନ ତ ଆପଣ କେବଳ ଦୁଇଟି କଦଳୀ ପାଇଁ ମୋତେ ଗାଳି କଲେ; ହେଲେ, ଅଚିହ୍ନା ଅଜଣା ଲୋକ ପାଇଁ ଆପଣ ତିନି ହଜାର ଟଙ୍କା ଦେଇଦେଲେ!"

ପ୍ରଫେସର ରାୟ ହସିଲେ।  କହିଲେ,
"ସୁକାନ୍ତ, ମୁଁ ଅଯଥା ବ୍ୟୟ ପ୍ରତି ସଦାବେଳେ ସଚେତନ ଥାଏ, ଏଥିପାଇଁ  ଯେ ଆବଶ୍ୟକ ସମୟରେ କୌଣସି ଅଭାବଗ୍ରସ୍ତ ଲୋକ ମୋ ଦୁରୁ ନିରାଶ ହୋଇ ନ ଫେରୁ।"

୨୮.୮.୧୭

No comments: