Friday, 25 August 2017

*ମୋତେ ଲେଖିବାକୁ ଦିଅ*

      କବିଗୁରୁ ରବୀନ୍ଦ୍ରନାଥଙ୍କ ଜୀବନର ଶେଷ ସମୟର କଥା । ଅସୁସ୍ଥତା ହେତୁ ସେ ମଝିରେ ମଝିରେ ବେହୋସ ହୋଇ ଯାଉଥାନ୍ତି । ଆଖି ଖୋଲିଲେ କବିତା ଆବୃତ୍ତି ଅଥବା ବାର୍ତ୍ତାଳାପରେ ମଜ୍ଜି ଯାଉଥାନ୍ତି ।

ଯେଉଁ ଦିନ ତାଙ୍କର ମୃତ୍ୟୁ ହେଲା, ସେଇଦିନ ସେ ଚାରିଥର ଅଚେତ ହୋଇ ଯାଇଥିଲେ। ତେବେ କିଛି ସମୟ ବ୍ୟବଧାନରେ ଚାରିଥର ଯାକ ଚେତା ବି ଫେରିଥିଲା ।
ଶେଷ ସମୟରେ ଯେତେବେଳେ ଶଯ୍ୟାରୁ ଉଠିିପାରିଲେ ନାହିଁ, ନିଜେ ଆବୃତ୍ତି କରି ଅନ୍ୟ ଦ୍ୱାରା ଗୀତ ଲେଖାଇବାକୁ ଲାଗିଲେ ।

ଜଣେ ଶୁଭଚିନ୍ତକ ତାଙ୍କୁ କହିଲେ,
"ଏବେ ଲେଖିବାର ଚିନ୍ତା ଛାଡ଼ନ୍ତୁ, ଆପଣ ବହୁତ ଗୀତ ଲେଖିଲେଣି । ଅଦ୍ୟାବଧି ଆପଣଙ୍କର ଛଅ ହଜାର ଗୀତ ସଙ୍ଗୀତବଦ୍ଧ ହୋଇ ସାରିଲାଣି । ଆଜି ପର୍ଯ୍ୟନ୍ତ ସାରା ଦୁନିଆରେ ଏପରି ସମ୍ଭବ ହୋଇ ନାହିଁ । ଇଂରେଜ କବି ପି. ବି. ଶେଲୀଙ୍କର ମାତ୍ର ଦୁଇ ହଜାର ଗୀତ ସଙ୍ଗୀତବଦ୍ଧ ହୋଇଛି । ତଥାପି ସେ ମହାକବି ରୂପେ ପରିଚିତ । ଆପଣ ତ ତାଙ୍କଠାରୁ ମଧ୍ୟ ବିଶାଳ ବ୍ୟକ୍ତିତ୍ବ ହେଲେଣି । ଏଣୁ ଆପଣ ଆଉ ଅଧିକ ଚିନ୍ତା କରନ୍ତୁ ନାହିଁ । ବର୍ତ୍ତମାନ ଶାନ୍ତ ରୁହନ୍ତୁ । ଶରୀର ସୁସ୍ଥ ରହିବ।" 

ରବୀନ୍ଦ୍ରନାଥ କହିଲେ,
" ମୁ ଆହୁରି ବଡ଼ କବି ହେବି ବୋଲି କବିତା ଲେଖୁନି। ତେବେ ଲୋକେ ପଚାରିବେ କାହିଁକି କବିତା ଲେଖା ବନ୍ଦ କରିଦେଲ ? ଅର୍ଥାତ ନିଜ ମରଣ  ପୂର୍ବରୁ ଜଣେ କବିଙ୍କୁ କାହିଁକି ମାରି ଦେଲ ? ସେମାନଙ୍କୁ ମୁ କି ଉତ୍ତର ଦେବି? ତା ବ୍ୟତୀତ କବିତା ତ ମୋ ଜୀବନ। ତା ବିନା ମୁ ବଞ୍ଚିବି କେମିତି! ବଞ୍ଚିବାକୁ ହେଲେ ଲେଖିବାକୁ ହେବ। ମୋତେ ମରିବାକୁ ଦିଅ ନାହିଁ । ମୋତେ ଆହୁରି ଲେଖିବାକୁ ଦିଅ ।"

ଅର୍ଥାତ କବି ହେବାଟା ଏକ ପ୍ରକ୍ରିୟା ଅଟେ । ବହୁତ ଲେଖା ହୋଇଗଲା ବୋଲି ଆମେ କହି ପାରିବା ନାହିଁ । ପୂରା ଛଅ ହଜାର ଗୀତ ଲେଖିବା ପରେ ମଧ୍ୟ ସେ ଅବିରତ ଭାବରେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲେଖି ଚାଲିଥିଲେ ।

ଶେଷ ସମୟରେ ସେ ଯେଉଁ କିଛି କବିତା ଓ ସାହିତ୍ୟ ଲେଖିଛନ୍ତି, ସେଥି ମଧ୍ୟରେ ଗୋଟିଏ କଥା ଅତ୍ୟନ୍ତ ଅଦ୍ଭୁତ ତଥା ଚମତ୍କାର କଥା କହିଛନ୍ତି । ସେ ଲେଖିଛନ୍ତି,

"ହେ ପ୍ରଭୁ, ଲୋକ କହୁଛନ୍ତି, ମୁଁ ଜଣେ ମହାଗାୟକ ଅଟେ । ମାତ୍ର ହେ ପରମାତ୍ମା, ତାଙ୍କ କଥା ଶୁଣିବେ ନାହିଁ । କାରଣ ସେମାନେ ସମ୍ପୂର୍ଣ୍ଣ ଭୁଲ କଥା କହୁଛନ୍ତି । ବର୍ତ୍ତମାନ ମୁଁ କେବଳ ସ୍ୱର ସଂଯୋଜନା କରୁଛି । ଏଯାଏ ଗାଇବା ଆରମ୍ଭ  ହିଁ କରି ନାହିଁ । ଖାଲି ବାଦ୍ୟଯନ୍ତ୍ର ଗୁଡ଼ିକ ପିଟାପିଟି କରି ପ୍ରସ୍ତୁତି କରୁଛି । ବର୍ତ୍ତମାନ ଗାଇବା ଆରମ୍ଭ କରିଥା'ନ୍ତି, କିନ୍ତୁ ତୁମର ଡାକରା ଆସିଗଲାଣି ।"

ସତରେ ସଫଳତାର ଶୀର୍ଷରେ ପହଞ୍ଚି ବି ନିଜ ଯୋଗ୍ୟତା ଲାଗି  ମନରେ ସାମାନ୍ୟ ଅହଂକାର ସୃଷ୍ଟି ନ ହେବା ଏକ ବହୁତ ବଡ଼ ବିସ୍ମୟ। ଏପରି ବ୍ୟକ୍ତିତ୍ବ ଆଜିର ଯୁଗରେ ବିରଳ।
୬.୮.୧୭

No comments: