Thursday, 24 August 2017

*ଆଳୁ ଭୋଜନ*

ରାଜର୍ଷି ପୁରୁଷୋତ୍ତମ ଟଣ୍ଡନ ସେତେବେଳେ ଉତ୍ତର ପ୍ରଦେଶ ବିଧାନ ସଭାର ଅଧ୍ୟକ୍ଷ ଥାଆନ୍ତି। ବଜାରରେ ଗହମ ଓ ଚାଉଳର ବିଷମ ଅଭାବ ଦେଖାଦେଲା । ସେତେବେଳେ କେବଳ ତେଜରାତି ଦୋକାନରେ ହିଁ ଏଇ ଦୁଇଟି ବସ୍ତୁ ମିଳୁଥାଏ ।

ଟଣ୍ଡନଜୀଙ୍କ ଘରେ ଅଧିକାଂଶ ସମୟରେ ଅତିଥିମାନଙ୍କର ଭିଡ଼ ଜମୁଥିଲା । ଏଣୁ ମାସକର ସୌଦା ଗୋଟିଏ ସପ୍ତାହରେ ସରିଯାଉ ଥିଲା । ଗହମ ଓ ଚାଉଳ ସରିଗଲେ, ଯଅର ରୁଟି ଖାଇବାକୁ ପଡୁଥିଲା ।

ଦିନେ ଟଣ୍ଡନଜୀଙ୍କୁ ଖବର ମିଳିଲା ଯେ ବିହାରର କିଛି କଂଗ୍ରେସ ନେତା ଲକ୍ଷ୍ନୌ ଆସୁଛନ୍ତି । ଟଣ୍ଡନଜୀଙ୍କ ସହ ଦ୍ୱିପ୍ରହରରେ ସାମୂହିକ ଭୋଜନ କରିବା ପରେ ସେମାନେ ଉଡ଼ାଜାହାଜରେ ଦିଲ୍ଲୀ ଚାଲିଯିବେ ବୋଲି ନିଷ୍ପତ୍ତି ହୋଇଥାଏ ।

ସେତେବେଳକୁ ଟଣ୍ଡନଙ୍କ ଘରେ ଅଟା ତଥା ଡାଲି ଚାଉଳ ସରି ଯାଇଥାଏ। ରୋଷେଇଆ କହିଲା, "ଆପଣ ଚିନ୍ତା କରନ୍ତୁ ନାହିଁ । ମୁଁ ଚୋରାରେ, ଅଧିକା ଦାମ ଦେଇ ବଜାରରୁ ଅଟା ଓ ଚାଉଳ ନେଇ ଆସିବି ।"

ଟଣ୍ଡନଜୀ କହିଲେ, "ମୁଁ କେବେବି ଚୋରାରେ ଅଟା ଓ ଚାଉଳ ମଗାଇ ପାରିବି ନାହିଁ । ମୋତେ ଏ କାମ କରିବାକୁ ମୋ ଅନ୍ତରାତ୍ମା ବାଧା ଦେଉଛି।"

ତେଣୁ ସେ ଅତିଥିଙ୍କ ନିମନ୍ତେ ବଗିଚାରୁ ଆଳୁ ମଗାଇଲେ । ରୋଷେୟାକୁ କହିଲେ, "ଏହାକୁ ଶିଝାଇ ଦେଇ ଚୋପା ଛଡ଼େଇ ଥାଳିରେ ରଖ । ତା ପାଖରେ ଲୁଣ ଓ ଲଙ୍କା ଭଜା ବି ରଖି ଦିଅ ।"

ଅତିଥିମାନେ ଯଥା ସମୟରେ ଆସିଲେ । କଥାବାର୍ତ୍ତା ସରିବା ପରେ ଟଣ୍ଡନଜୀ ତାଙ୍କୁ ଭୋଜନ ଟେବୁଲ ପାଖକୁ ଡାକି ନେଇ ନମ୍ର ଭାବରେ  କହିଲେ,
"ଘରେ ଅଟା, ଡାଲି, ଚାଉଳ ସବୁ ସରିଯାଇଛି । ତେଣୁ ଆଜି ଆପଣମାନଙ୍କୁ କେବଳ ଏଇ ଭୋଜନ କରିବାକୁ ହେବ ।"

ଅତିଥିଗଣ ଟଣ୍ଡନଜୀଙ୍କ ସ୍ପଷ୍ଟବାଦିତା ଓ ସରଳତା ଦେଖି ବିସ୍ମିତ ହେଲେ। ଏତେ ବଡ଼ ବ୍ୟକ୍ତିଙ୍କ ସରଳ ଜୀବନ ଶୈଳୀ ଦେଖି ଧନ୍ୟବାଦ ଦେବା ସହ ବଡ଼ ପ୍ରସନ୍ନତାର ସହ ଆଳୁ ଖାଇଲେ ।

୨୪.୮.୧୭

No comments: