ମାର୍ଗାରେଟଙ୍କୁ ବ୍ରହ୍ମଚର୍ଯ୍ୟ ବ୍ରତରେ ଦୀକ୍ଷିତ କରିବା ପାଇଁ ସ୍ୱାମୀଜୀ ଗଭୀର ଭାବରେ ଚିନ୍ତା କରୁଥିଲେ । ଏତେଦିନ ସେ ମାର୍ଗାରେଟଙ୍କ ପ୍ରସ୍ତୁତିର ପ୍ରତୀକ୍ଷାରେ ଥିଲେ । ସ୍ୱାମୀଜୀଙ୍କ ପବିତ୍ର ସାନ୍ନିଧ୍ୟ ଓ ଆଧ୍ୟାତ୍ମିକ ଶିକ୍ଷାର ପ୍ରଭାବରେ ମାର୍ଗାରେଟ ଏହି ଶୁଭ ଅନୁଷ୍ଠାନ ପାଇଁ ଉଦଗ୍ରୀବ ହୋଇଉଠିଲେ । ଏହି ପବିତ୍ର ବ୍ରତ ଗ୍ରହଣ କଲେ ତାଙ୍କର ବିଚ୍ଛିନ୍ନ ଜୀବନଧାରା ରାମକୃଷ୍ଣ ସଙ୍ଘର ସମଷ୍ଟିଗତ ଜୀବନ ସହ ମିଳିତ ହୋଇ ଏକ ସାବଲୀଳ ଛନ୍ଦରେ ପ୍ରବାହିତ ହୋଇପାରିବ ।
୨୫.୩.୧୮୯୮ରେ ସେହି ଶୁଭ ମୁହୂର୍ତ୍ତ ଆସି ପହଞ୍ଚିଲା । ସେଦିନ ବ୍ରାହ୍ମ ମୁହୂର୍ତ୍ତରେ ପ୍ରଭାତର ମଙ୍ଗଳ ଶଙ୍ଖ ବାଜି ଉଠିବା ସଙ୍ଗେ ସଙ୍ଗେ ସ୍ୱାମୀଜୀ ନୀଳାମ୍ବର ମୁଖାର୍ଜୀଙ୍କ ଉଦ୍ୟାନ ଗୃହରେ ତାଙ୍କୁ ବ୍ରହ୍ମଚର୍ଯ୍ୟ ବ୍ରତରେ ଦୀକ୍ଷିତ କରି ତାଙ୍କର ନୂତନ ନାମକରଣ କଲେ 'ନିବେଦିତା' ।
ମାର୍ଗାରେଟଙ୍କ ମାଆ ମେରି ଇସାବେଲ ଦିନେ ତାଙ୍କର ଭାଗ୍ୟବତୀ କନ୍ୟାକୁ ଆୟାର୍ଲେଣ୍ଡର ସୂତିକା ଗୃହରେ ଭଗବାନଙ୍କ ଚରଣରେ ନିବେଦନ କରିଦେଇଥିଲେ । ଆଜି ମଧ୍ୟ ସନ୍ନ୍ୟାସୀ-ଶିରୋମଣି ସ୍ୱାମୀ ବିବେକାନନ୍ଦଙ୍କର ଅପାର କରୁଣାରୁ ଭାରତମାତାଙ୍କ କୋଳରେ 'ନିବେଦିତା' ରୂପରେ ତାଙ୍କର ଏହି ପୁନର୍ଜନ୍ମ ଘଟିଲା ।
୩୦.୭.୧୭

No comments:
Post a Comment