ଇଂରେଜ ସରକାରଙ୍କୁ ବିରୋଧ କରି କ୍ରାନ୍ତିକାରୀମାନେ କାକୋରି ରେଳ ଷ୍ଟେସନରେ ରେଳ ଅବରୋଧ କରି ସରକାରୀ ଖଜଣା ଲୁଟିବା କାରଣରୁ ପଣ୍ଡିତ ରାମ ପ୍ରସାଦ ବିସମିଲ, ଠାକୁର ରୋଶନ ସିଂହ, ରାଜେନ୍ଦ୍ର ଲାହାଡ଼ି ଏବଂ ଆସଫାକଉଲ୍ଲା ଖାଁଙ୍କୁ ଇଂରେଜମାନେ ଫାଶୀ ଦେଇ ଦେଲେ l
ଠାକୁର ରୋଶନ ସିଂହଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ବିବାହ ଯୋଗ୍ୟ ଝିଅଟିଏ ଥିଲା l ତାଙ୍କ ପତ୍ନୀଙ୍କ ସମ୍ମୁଖରେ ଝିଅର ବାହାଘର ସମସ୍ୟା ଆସି ପହଞ୍ଚିଲା l ପ୍ରଥମତଃ ତାଙ୍କ ପାଖରେ ଧନର ଅଭାବ ଥିଲା ଏବଂ ଦ୍ୱିତୀୟରେ ଯେଉଁ ଯୁବକ ସହିତ ବିବାହ ପାଇଁ ଆଲୋଚନା ହେଉଥିଲା, ଥାନା ଅଧିକାରୀ ତାକୁ ଧମକ ଦେଇ ଆସନ୍ତି ଯେ, ଯଦି ତୁମେ ଦେଶଦ୍ରୋହୀର ଝିଅ ସହିତ ବିବାହ କରିବ ତେବେ ତୁମକୁ କ୍ଷମା ନାହିଁ l
ଏକଦା ବିଧବା ଜଣଙ୍କ ଗୋଟିଏ ପୁଅକୁ ବିବାହ ପାଇଁ ପ୍ରସ୍ତୁତ କଲେ l ସେହି ସ୍ଥାନର ଥାନା ଅଧିକାରୀଙ୍କ ନିକଟକୁ ଖବର ଆସିବା ମାତ୍ରେ ପୁଅର ଘର ଲୋକଙ୍କ ନିକଟକୁ ଧମକ ଆସିଲା l ଗୋଟିଏ ପଡ଼ୋଶୀ ଯୁବକ ଏହି କଥା ଜାଣିଥିଲା ଯେ ଏଇ ସମସ୍ୟାର ସମାଧାନ ଜଣେ କରିପାରିବେ । ସେ ହେଉଛନ୍ତି ତେଜସ୍ୱୀ ରାଷ୍ଟ୍ରଭକ୍ତ ସାମ୍ବାଦିକ ଶ୍ରୀ ଗଣେଶ ଶଙ୍କର ବିଦ୍ୟାର୍ଥୀ ।
ସେତେବେଳେ ସେ କାନପୁରର ଦୈନିକ ସମ୍ବାଦପତ୍ର 'ପ୍ରତାପ' ର ସମ୍ପାଦକ ଥିଲେ । ତେଣୁ ସେ ଯାଇ 'ପ୍ରତାପ' କାର୍ଯ୍ୟାଳୟରେ ପହଞ୍ଚିଲା । ସେ ବିଦ୍ୟାର୍ଥିଜୀଙ୍କୁ ସବୁ ଘଟଣା ସହ ଅବଗତ କଲା - ଶହୀଦ ରୋଶନ ସିଂହଙ୍କ ବିଧବା ପତ୍ନୀ ଧନ ଅଭାବରୁ କିଭଳି ଝିଅ ବାହାଘର କରିପାରୁ ନାହାନ୍ତି। ଜଣେ ଯୁବକ ଯଦିଓ ପ୍ରସ୍ତୁତ ଅଛି ବାହା ହେବାପାଇଁ ତଥାପି ଥାନାର ଦାରୋଗା ତାକୁ ଧମକାଉଛି ।
ବିଦ୍ୟାର୍ଥିଜୀ ଏହା ଶୁଣିବା ମାତ୍ରେ କାନ୍ଦି ପକାଇଲେ । ସେ ସେହି ଯୁବକକୁ କହିଲେ କାଲି ସକାଳେ ମୋ ପାଖକୁ ଆସ । ମୁଁ ତୁମକୁ ନେଇ ସେ ଦାରୋଗା ପାଖକୁ ଯିବି ।
ପରଦିନ ସେମାନେ ଦାରୋଗା ପାଖରେ ପହଞ୍ଚି ନିଜ ପରିଚୟ ଦେଇ କହିଲେ, "ତୁମେ ନିଜେ ଜଣେ ହିନ୍ଦୁସ୍ତାନୀ । ଜଣେ ରାଷ୍ଟ୍ରଭକ୍ତ ଶହୀଦଙ୍କ ଝିଅର ବାହାଘରକୁ ଭାଙ୍ଗିବାରେ ତୁମକୁ ଟିକେ ଲଜ୍ଜା ଲାଗୁ ନାହିଁ ? ତାପରେ ଦେଖ, ଝିଅ ଯାହାର ବି ହେଉ ନା କାହିଁକି, ତା ବାହାଘରରେ ବାଧା ପହଞ୍ଚାଇବା ପାପ ଅଟେ ।"
ଏତିକି କଥା ଶୁଣିବା ପରେ ଦାରୋଗାର ମୁଣ୍ଡ ଲଜ୍ଜାରେ ତଳକୁ ହୋଇଗଲା । ସେ ବିଦ୍ୟାର୍ଥିଜୀଙ୍କ ଗୋଡ଼ ତଳେ ପଡ଼ି କହିଲା, " ସେ ଝିଅର ବାହାଘର ଖର୍ଚ୍ଚ ମୁଁ ବହନ କରିବି ।"
ଯେତେବେଳେ ଶହୀଦ ରୋଶନ ସିଂହଙ୍କ ଝିଅର ବାହାଘର ହେଲା ସେତେବେଳେ ସ୍ୱୟଂ ବିଦ୍ୟାର୍ଥିଜୀ ଉପସ୍ଥିତ ଥିଲେ । ପିତା ରୋଶନ ସିଂହଙ୍କ ସ୍ଥାନରେ ପରମ୍ପରା ଅନୁସାରେ ସେ ହିଁ କନ୍ୟାଦାନର ଦାୟୀତ୍ୱ ନିର୍ବାହ କରିଥିଲେ ।
୨୫.୮.୧୭

No comments:
Post a Comment