ଇଂଲଣ୍ଡରେ ଭାରତୀୟ ବସ୍ତ୍ରର ବିକ୍ରୀ ଉପରେ ନିଷେଧାଦେଶ ଜାରୀ ହେଲା ପରେ ପରେ ମାଞ୍ଚେଷ୍ଟରରୁ ଶସ୍ତା ବିଦେଶୀ କପଡ଼ା ଭାରତକୁ ଆସିବାକୁ ଲାଗିଲା । ତା'ର ପ୍ରଭାବ ଭାରତର ବସ୍ତ୍ରଶିଳ୍ପ ଉପରେ ପଡ଼ିଲା । ଅନେକ କପଡ଼ା କାରଖାନା ଦେବାଳିଆ ହୋଇ ବନ୍ଦ ହୋଇଗଲା। ବେକାରୀ ସମସ୍ୟା ବଢ଼ିବାକୁ ଲାଗିଲା । ଦେଶର ଅର୍ଥ ଇଂଲଣ୍ଡକୁ ଯିବା ଆରମ୍ଭ ହୋଇଗଲା ।
ଲୋକମାନ୍ୟ ତିଳକ ବିଦେଶୀ ବହିଷ୍କାର ଓ ସ୍ୱଦେଶୀ ବ୍ୟବହାର ପାଇଁ ଆହ୍ବାନ ଦେଲେ। ମହାତ୍ମା ଗାନ୍ଧୀ ସମଗ୍ର ଦେଶରେ ଏହି ବାର୍ତ୍ତାର ପ୍ରଚାର ପ୍ରସାର ଚଳାଇଲେ । ଏହି ବାର୍ତ୍ତା ଯେତେବେଳେ ପୁଣେ ଜିଲ୍ଲା ଆମ୍ବେଗାଁ ତହସିଲ ଅନ୍ତର୍ଗତ ମହାଲୁଙ୍ଗେ ପଡ଼ବଲ ଗ୍ରାମରେ ପହଞ୍ଚିଲା, ସେତେବେଳେ ସେହି ଗ୍ରାମର ଯୁବକ ବାବୁ ଗେନୁ ମୁମ୍ବାଇରେ ଗୋଟିଏ ଅଟା କଳରେ କାମ କରୁଥିଲା । ସେ ସ୍ୱଦେଶୀ ମନ୍ତ୍ରରେ ଏତେ ପ୍ରଭାବିତ ହୋଇଥିଲା ଯେ, ନିଜର ସାଙ୍ଗମାନଙ୍କୁ ନେଇ ବିଭିନ୍ନ ସାହି ବସ୍ତିରେ ଘୁରି ବୁଲି ସ୍ୱଦେଶୀ ବ୍ୟବହାର ଲାଗି ପ୍ରଚାର କରୁଥିଲା । ଦିନେ ଖବର ମିଳିଲା ଯେ, ମାଞ୍ଚେଷ୍ଟରର ବସ୍ତ୍ର ବମ୍ବେରେ ପହଞ୍ଚି ଗଲାଣି । ତାହା ଡିସେମ୍ବର ୧୨ ତାରିଖରେ ଟ୍ରକରେ ଲଦା ହୋଇ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ । ଏହା କରାଇ ନ ଦେବା ପାଇଁ ସେମାନେ ନିଷ୍ପତ୍ତି ଗ୍ରହଣ କଲେ । ଘରେ ଘରେ, ଗାଁ ଗଣ୍ଡାରେ ପ୍ରଚାର ଆରମ୍ଭ ହେଲା । ଲୋକେ ରାସ୍ତା ଅବରୁଦ୍ଧ କରିବା ପାଇଁ ନିଷ୍ପତ୍ତି ନେଲେ ।
୧୨ ଡିସେମ୍ବର ୧୯୩୦ ସକାଳେ ବମ୍ବେର କାଲଦା ଦେବୀ ଅଞ୍ଚଳରେ ଏକ ବିଶାଳ ଜନ ସମୁଦ୍ର ସୃଷ୍ଟି ହୋଇଗଲା । "ଜୟ ସ୍ୱଦେଶୀ", "ଭାରତ ମାତା କୀ ଜୟ" ଆଦି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଲା। ବିରୋଧକୁ ଦମନ କରିବା ପାଇଁ ଇଂରେଜ ସରକାର ସମସ୍ତ ପ୍ରକାର ବନ୍ଦୋବସ୍ତ କରିଥିଲା । ବସ୍ତ୍ର ଲଦା ହୋଇଥିବା ପ୍ରଥମ ଗାଡ଼ି କାଲଦା ଦେବୀ ଛକରେ ପହଞ୍ଚିବା ମାତ୍ରେ ଚାଳକ ବଲବୀର ସିଂହଙ୍କୁ ଅଚାନକ ଗାଡ଼ିର ବ୍ରେକ କଷିବାକୁ ପଡ଼ିଲା । କାରଣ ଲୋକେ ରାସ୍ତା ଅବରୋଧ କରି ଠିଆ ହୋଇଯାଇଥିଲେ । ଗାଡ଼ିରେ ବସିଥିବା ଇଂରେଜ ଅଫିସର ଭୟ ଦେଖାଇ ଚାଳକକୁ ଗାଡ଼ି ଆଗକୁ ନେବାପାଇଁ ଆଦେଶ ଦେଲା। ଚାଳକ ବାଧ୍ୟ ହୋଇ ଧୀରେ ଧୀରେ ଗାଡ଼ି ଆଗକୁ ବଢ଼ାଇଲା ।
ଯୁବକ ଜଣକ କାହାରିକୁ ଭ୍ରୁକ୍ଷେପ ନ କରି ସିଧା ଗାଡ଼ି ଆଗରେ ଶୋଇଗଲା । ଚାଳକ ବାଧ୍ୟ ହୋଇ ଗାଡ଼ି ଅଟକାଇଲା । ମାତ୍ର ନିଷ୍ଠୁର ଇଂରେଜ ଅଫିସର ହାର ମାନିବା ଲୋକ ନ ଥିଲା । ସେ ଚାଳକକୁ ଧକ୍କା ମାରି ନିଜେ ଗାଡ଼ି ଚଳାଇବା ଆରମ୍ଭ କଲା । ବର୍ଵରତାର ସମସ୍ତ ସୀମା ଅତିକ୍ରମ କରି ସେହି ବୀର ଯୁବକର ବକ୍ଷ ବିଦୀର୍ଣ୍ଣ କରି ଗାଡ଼ି ଆଗକୁ ମାଡ଼ି ଚାଲିଲା । କ୍ଷଣକ ମଧ୍ୟରେ ଦେଶପ୍ରେମୀର ରକ୍ତରେ ଧରିତ୍ରୀ ଲାଲ ହୋଇଗଲା । ୨୨ ବର୍ଷର ଜଣେ ସାଧାରଣ ଯୁବକର ଏ ଅସାଧାରଣ ତ୍ୟାଗ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ସ୍ରୋତ ସାଜିଲା। କ୍ରୁଦ୍ଧ ଜନ ସମୁଦ୍ର ନିୟନ୍ତ୍ରଣ ବାହାରକୁ ଚାଲିଯାଇ ସବୁ ଗାଡ଼ିରେ ନିଆଁ ଲଗାଇ ଦେଲେ । ସମସ୍ତ ବିଦେଶୀ ଲୁଗା ଜାଳି ଭସ୍ମୀଭୂତ ହୋଇଗଲା।
ସ୍ୱାଧୀନତା ପୂର୍ବବର୍ତ୍ତୀ ସ୍ୱଦେଶୀ ଆନ୍ଦୋଳନର ପ୍ରଥମ ଶହୀଦ ହୋଇଗଲେ 'ବାବୁ ଗେନୁ' ।
୧୧.୮.୧୭

No comments:
Post a Comment