Friday, 25 August 2017

*ଏକାଗ୍ରତା*

*ଏକାଗ୍ରତା*

୧୮୯୦ ମସିହାର ଘଟଣା ।
ସ୍ୱାମୀ ବିବେକାନନ୍ଦ ମିରଟ ଆସିଥିଲେ ।  ବହି ପଢ଼ାରେ ତାଙ୍କର ପ୍ରଚଣ୍ଡ ଆଗ୍ରହ। ତେଣୁ ସେ ଜଣେ ଶିଷ୍ୟ ଦ୍ୱାରା ପୁସ୍ତକାଳୟରୁ ପୁସ୍ତକ ମଗାଉଥିଲେ । ପ୍ରତିଦିନ ନେଉଥିବା ପୁସ୍ତକ ତା ପର ଦିନ ଫେରେଇ ଦେଉଥିବା କାରଣରୁ ଗ୍ରନ୍ଥପାଳ କ୍ରୋଧିତ ହୋଇ ଶିଷ୍ୟଙ୍କୁ କହିଲେ
"ପ୍ରତ୍ୟହ ପୁସ୍ତକ ବଦଳାଇବା ପାଇଁ ମୋତେ ଅସ୍ୱସ୍ତି ବୋଧ ହେଉଛି ।  ଆପଣ ଏଇ ପୁସ୍ତକ ପଢ଼ିବା ଲାଗି ନେଉଛନ୍ତି ନା ଖାଲି ପୃଷ୍ଠା ଓଲଟାଇ ଚିତ୍ର ଦେଖୁଛନ୍ତି ?"

ଶିଷ୍ୟ ଏ କଥା ଯାଇ ବିବେକାନନ୍ଦଙ୍କୁ ଜଣାଇବାରୁ ସେ ନିଜେ ଯାଇ ଗ୍ରନ୍ଥପାଳ ପାଖରେ ପହଞ୍ଚିଲେ ଏବଂ କହିଲେ,
"ଏ ସମସ୍ତ ବହି ମୁଁ ମଗାଇଥିଲି ଏବଂ ସବୁ ପଢ଼ିଛି । ଆପଣଙ୍କର ଯଦି ସନ୍ଦେହ ଅଛି, ତେବେ ଆପଣ ଏହି ବହିରୁ ଯେ କୌଣସି ପ୍ରଶ୍ନ ପଚାରି ପାରନ୍ତି ।"

ଅବିଶ୍ବାସରେ ବିବେକାନନ୍ଦଙ୍କ ମୁହଁଙ୍କୁ  ଚାହିଁଲେ ଗ୍ରନ୍ଥପାଳ। ବହିଟିଏ ଧରି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରି ଚାଲିଲେ ସେ। ବିବେକାନନ୍ଦ ପ୍ରତ୍ୟେକ ପ୍ରଶ୍ନର ସଠିକ ଉତ୍ତର ଦେବା ସହିତ ସେ ପାଠ କେଉଁ ପୃଷ୍ଠାରେ ଅଛି ନିର୍ଦ୍ଦିଷ୍ଟ ଭାବରେ ତାହା ମଧ୍ୟ କହିଦେଲେ ।

  ବିବେକାନନ୍ଦଙ୍କ ଅଦ୍ଭୁତ ସ୍ମରଣ ଶକ୍ତି ଦେଖି ଗ୍ରନ୍ଥପାଳ ଆଶ୍ଚର୍ଯ୍ୟ ହୋଇ ଏହାର ରହସ୍ୟ ଜାଣିବାକୁ ଚାହିଁଲେ ।

ସ୍ୱାମୀଜୀ ଉତ୍ତର ଦେଲେ,
"ପଢ଼ିବା ନିମନ୍ତେ ଆବଶ୍ୟକ ଧ୍ୟାନ, ଏକାଗ୍ରତା ଓ ଇନ୍ଦ୍ରିୟ ସଂଯମ । ଯେପରି ଛୋଟ ପିଲାଟିଏ ପ୍ରଥମେ ଅକ୍ଷର ଶିଖିବା ସମୟରେ ତାର ସମ୍ପୂର୍ଣ୍ଣ ଧ୍ୟାନ ସେଇ ଅକ୍ଷର ଉପରେ ଥାଏ । ଧୀରେ ଧୀରେ ଅଭ୍ୟାସବଶତଃ ସେ ଗୋଟିଏ ଶବ୍ଦ ସହିତ ଦୁଇ ତିନୋଟି ଶବ୍ଦ ସହଜରେ ପଢ଼ିପାରେ । ସେହିପରି ଜଣେ ଏକାଗ୍ରତାର ଅଭ୍ୟାସ କଲେ ଏକାଥରେ ଗୋଟିଏ ପୃଷ୍ଠାକୁ ମଧ୍ୟ ମନେ ରଖିଦେଇ ପାରେ । "

ତେଣୁ ଏକାଗ୍ରତା ହେଉଛି ସମସ୍ତ ଜ୍ଞାନ ଭଣ୍ଡାରର ଚାବି କାଠି ।
୯.୮.୧୭

No comments: