Saturday, 26 August 2017

*ରାଷ୍ଟ୍ରଭିମାନର ତ୍ୟାଗପତ୍ର*

  ୧୯୨୯ ମସିହାର କଥା । ଅସହଯୋଗ ଆନ୍ଦୋଳନ ଚାଲୁଥିଲା । ସ୍ୱାଧୀନତାରେ ମତ୍ତ-ପ୍ରାୟ ଲୋକେ ଗାନ୍ଧିଜୀଙ୍କ ନେତୃତ୍ୱରେ ପୂର୍ଣ୍ଣ ଅସହଯୋଗ କରୁଥିଲେ । ଇଂରେଜ ସରକାର ଏହି ଆନ୍ଦୋଳନକୁ ଦମନ କରିବାପାଇଁ ଚାହୁଁଥିଲା । ସେହି ସମୟରେ ବିକାନେର ରାଜ୍ୟର ରାଜା ଥିଲେ ଗଙ୍ଗା ସିଂହ । ସେ ଜଣେ କୁଶଳୀ ପ୍ରଶାସକ ଥିଲେ ଏବଂ ଗୁଣୀମାନଙ୍କୁ ଆଦର କରୁଥିଲେ । ଦେଶର ବହୁ ବିଦ୍ୱାନଙ୍କୁ ସେ ବିକାନେର ନେଇ ଆସୁଥିଲେ । ସେମାନଙ୍କ ମଧ୍ୟରେ ଜଣେ ଥିଲେ ବାବୁ ସମ୍ପୂର୍ଣ୍ଣାନନ୍ଦ । ରାଜା ତାଙ୍କୁ ଡୁଙ୍ଗୁର କଲେଜର ଅଧ୍ୟକ୍ଷ ଭାବେ ନିଯୁକ୍ତି କଲେ ।

ସେହି ସମୟର ପ୍ରସଙ୍ଗ । ଦିନେ ରାଜା ଗଙ୍ଗା ସିଂହ ଭ୍ରମଣ ସାରି ପ୍ରାସାଦକୁ ଫେରୁଥିଲେ । ବାଟରେ ଥିବା କଲେଜ ଛାତ୍ରାବାସ କାନ୍ଥରେ ଟଙ୍ଗା ହୋଇଥିବା ଗାନ୍ଧିଜୀଙ୍କ ଫଟୋ ଉପରେ ହଠାତ ତାଙ୍କ ଦୃଷ୍ଟି ପଡ଼ିଗଲା । ସେ ସଙ୍ଗେ ସଙ୍ଗେ ଗାଡ଼ି ଅଟକାଇ ସେଠାରେ ଥିବା ଛାତ୍ରମାନଙ୍କୁ ପଚାରିଲେ -- "ମୋ ରାଜ୍ୟରେ ଗାନ୍ଧୀଙ୍କ ଫଟୋ ଲଗାଇଥିବା ବ୍ୟକ୍ତି କିଏ ?"
ଜଣାପଡ଼ିଲା ଯେ ସେହି କକ୍ଷଟି ଛାତ୍ରାବାସର ୱାର୍ଡ଼ନ ଶ୍ରୀ ଶିବ ମୂର୍ତ୍ତି ସିଂହଙ୍କର ଏବଂ ଏ ଫଟୋ ସେ ହିଁ ଲଗାଇଛନ୍ତି । ସେହି ସମୟରେ ରାଜା ତାଙ୍କୁ କିଛି କହିଲେ ନାହିଁ । ମାତ୍ର ପରଦିନ ରାଜା କଲେଜ ଅଧ୍ୟକ୍ଷଙ୍କୁ ଡକାଇ କହିଲେ, ପ୍ରଫେସର ସାହେବ ! ଏବେ ତ ଛାତ୍ରାବାସ ମଧ୍ୟ ବିଦ୍ରୋହୀମାନଙ୍କ ଦୁର୍ଗ ହେବାରେ ଲାଗିଛି । କାଲି ମୁଁ ଛାତ୍ରାବାସ କାନ୍ଥରେ ଗାନ୍ଧୀଙ୍କ ଫଟୋ ଟଙ୍ଗା ହୋଇଥିବା ଦେଖିଲି । ଆପଣ ସେ ଫଟୋ କାଢ଼ି ନିଅନ୍ତୁ । ଅନ୍ୟଥା ମୋତେ ଏମିତି କଂଗ୍ରେସୀ ପ୍ରଫେସର ଦରକାର ନାହିଁ । ବାବୁ ସମ୍ପୂର୍ଣ୍ଣାନନ୍ଦ ଗମ୍ଭୀରତା ସହ ଏହା ଶୁଣିଲେ । ତା'ପରେ କହିଲେ, କ୍ଷମା କରନ୍ତୁ । ଯଦି ମହାତ୍ମା ଗାନ୍ଧୀଙ୍କର ଫଟୋ  ଲଗାଇବା ଅପରାଧ ତେବେ ଏହି ଅପରାଧ ମୁଁ ବାରମ୍ବାର କରେ । କାରଣ ମୋ କକ୍ଷରେ ମଧ୍ୟ ମୁଁ ତାଙ୍କ ଚିତ୍ର ଲଗାଇଛି । ଭଲ ହେବ ଆପଣ ମୋତେ ମଧ୍ୟ ବାହାର କରିଦିଅନ୍ତୁ । ଏହା କହି ସେ ସଙ୍ଗେ ସଙ୍ଗେ ତ୍ୟାଗପତ୍ର ଲେଖି ରାଜାଙ୍କୁ ଧରାଇଦେଲେ ଏବଂ ସେ ସ୍ଥାନ ପରିତ୍ୟାଗ କଲେ । ତାଙ୍କର ରାଷ୍ଟ୍ରାଭିମାନୀ ମନ ସେ ରାଷ୍ଟ୍ରଦ୍ରୋହୀ ରାଜାଙ୍କ ରାଜ୍ୟରେ କ୍ଷଣେ ମାତ୍ର ରହିବାକୁ ପସନ୍ଦ କଲା ନାହିଁ ।

୧.୭.୧୭

No comments: