୨୦୦୬ ମସିହା ଶ୍ରୀରାମ ନବମୀ। ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଶ୍ରୀରାମପୁରମ ଗ୍ରାମର ଘଟଣା।
ସେଦିନ ବନବାସୀ ସମାଜର କଲ୍ୟାଣ ପାଇଁ ସାରା ଦିନ ଅର୍ଥ ସଂଗ୍ରହ କରି ଚଉଦ ଶହ ଟଙ୍କା ଏକତ୍ରିତ କରିଥିଲା ସେହି ଗ୍ରାମର ନବମ ଶ୍ରେଣୀର ଛାତ୍ର ଦୁଷ୍ମନ୍ତ କୁମାର ବର୍ମା । ସଂଗୃହିତ ଅର୍ଥକୁ ସେ ଏକ କନା ମୁଣିରେ ରଖି ତାକୁ ନିଜ ବଖରାରେ ଝୁଲାଇ ଦେଇ ତାଳ ସଜ କାଟିବାକୁ ଗଲା ।
ତାଳ ସଜ କାଟୁ କାଟୁ ଅସାବଧାନତା ବଶତଃ ତା ଆଙ୍ଗୁଳି କଟିଗଲା । ପିଚପିଚ ରକ୍ତ ବହିବାକୁ ଲାଗିଲା । କଣ କରିବ ସେ କିଛି ବୁଝି ପାରିଲାନି। ସେ ଦୌଡ଼ି ଦୌଡ଼ି ତା ମାଆ ପାଖକୁ ଗଲା । ମାଆ ରକ୍ତ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଲେ। ସମ୍ପର୍କୀୟ କାହାକୁ ଫୋନ ଲଗାଇଲେ।ହେଲେ କଥା ହେବାଲାଗି ମୋବାଇଲରେ ଅର୍ଥ ନ ଥିଲା । ତେଣୁ ସେ ଦୁଷ୍ମନ୍ତକୁ କହିଲେ, "ପୁଅ, ତୋ ମୁଣିରୁ ୧୦ ଟଙ୍କା ବାହାର କର । ମୋବାଇଲ ଖାତାରେ ଭରିବା।"
ଦୁଷ୍ମନ୍ତ କହିଲା, "ନା ମା' ଏହା ଭଗବାନଙ୍କ ପଇସା । ଏହାକୁ ଛୁଅଁ ନାହିଁ।"
ମାଆ କହିଲେ, "ପୁଅ, ଦଶ ଟଙ୍କା ବଦଳରେ ମୁଁ ତୋତେ କାଲି କୋଡ଼ିଏ ଟଙ୍କା ଦେବି। ଏବେ ଦେଇଥା।"
ମାତ୍ର ଦୁଷ୍ମନ୍ତ ରାଜି ହେଲା ନାହିଁ ।
ଶେଷକୁ ଚିକିତ୍ସା ଲାଗି ମାଆ, ତାକୁ ପାଖ ଡାକ୍ତରଙ୍କ ପାଖକୁ ନେଇ ଗଲେ ।
ଡାକ୍ତର ଦେଖିଲେ ବହୁତ ରକ୍ତ ବହିଯାଇଛି। ପିଲାଟା ବି ଦୁର୍ବଳ ଦେଖା ଗଲାଣି। ସେ ବିରକ୍ତ ହୋଇ କହିଲେ, "ବାଜେ ପିଲାମାନେ ଏପରି ସବୁ ଗଣ୍ଡଗୋଳ କରନ୍ତି | ପାଠଶାଠ ନାହିଁ। ଟିକିଏ କାଣ୍ଡଜ୍ଞାନ ବି ନାହିଁ।"
ଏହା ଶୁଣିବା ମାତ୍ରେ ଦୁଷ୍ମନ୍ତ ପ୍ରତିବାଦ କରି କହିଲା, "ନା ଡାକ୍ତର ବାବୁ, ମୁଁ ସେପରି ପିଲା ନୁହେଁ। ସାରା ଦିନ ମୁଁ ବନବାସୀ ଭାଇମାନଙ୍କ ପାଇଁ ଅର୍ଥ ସଂଗ୍ରହ କରି ଚଉଦଶହ ଟଙ୍କା ଏକାଠି କରିଛି ।"
ଡାକ୍ତର ଏକଥା ବିଶ୍ୱାସ କଲେ କି ନାହିଁ ଜଣା ନାହିଁ। ତେବେ ଆଉ ବିଳମ୍ବ ନକରି ତୁରନ୍ତ ଚିକିତ୍ସାରେ ଲାଗିଗଲେ।
ଆଙ୍ଗୁଳି ସିଲାଇ ହେଉଥିବା ସମୟରେ ଦୁଷ୍ମନ୍ତ "ପରୋପକାରାୟ ଫଳନ୍ତି ବୃକ୍ଷାଃ, ପରୋପକାରାୟ ଦୋହନ୍ତି ଗାଵଃ" ଆଦି ଅନେକ ସୁଭାଷିତ ଗାଉଥିଲା । ଡାକ୍ତର ଏଥିରେ ଅତ୍ୟନ୍ତ ପ୍ରଭାବିତ ହେଲେ । ବାଳକର ସଂସ୍କାର ଓ ପ୍ରତିଭା ଦେଖି ସେ ଆନନ୍ଦ ପ୍ରକାଶ କଲେ। ଚିକିତ୍ସା ଖର୍ଚ୍ଚ ବାବଦକୁ ପନ୍ଦର ଶହ ଟଙ୍କା ଛାଡ଼ କରିବା ସହ ତାର ଆବଶ୍ୟକ ଔଷଧ ଖର୍ଚ୍ଚ ମଧ୍ୟ ଦେଇଦେଲେ ।
କହିବା ବାହୁଲ୍ୟ, ପିଲାଟିକୁ ଏସବୁ ସଂସ୍କାର ସଙ୍ଘ ଶାଖାରୁ ହିଁ ମିଳିଥିଲା ।
୨୭.୮.୧୭

No comments:
Post a Comment