Saturday, 26 August 2017

*ପ୍ରିୟଜନ ଓ ପ୍ରୟୋଜନ*

     ସେ ବର୍ଷ ବହୁତ ଥଣ୍ଡା ପଡ଼ିିଥିଲା । ଜରୁରୀ ଆବଶ୍ୟକ ନ ଥିଲେ ଲୋକମାନେ ଘରୁ ବାହାରୁ ନଥିଲେ । ସକାଳୁ ସକାଳୁ ଦେହକୁ ଉଷୁମ କରିବାକୁ ନିଆଁ ପାଖରେ ବସି ଯାଉଥିଲେ । ଏଭଳି ଏକ ସକାଳେ କବି ନିରାଲାଜୀ ଏକ ପୁରୁଣା ଓ ଫଟା କୋଟ ପିନ୍ଧି କବୟିତ୍ରୀ ମହାଦେବୀ ବର୍ମାଙ୍କ ଘରେ ପହଞ୍ଚିଲେ । ଶ୍ରୀମତୀ ବର୍ମା ନିରାଲାଜୀଙ୍କୁ ବହୁତ ଶ୍ରଦ୍ଧା କରନ୍ତି । ତାଙ୍କର ପୁରୁଣା ଫଟା ପୋଷାକ ଦେଖି ମହାଦେବୀଜୀଙ୍କ  ମନରେ କଷ୍ଟ ହେଲା ।

ସେ ବଡ଼ ଦୁଃଖୀତା ହୋଇ କହିଲେ - "ଏପରି ଥଣ୍ଡା ଦିନରେ ଆପଣଙ୍କ ପାଖରେ ଭଲ ଗରମ ପୋଷାକଟିଏ ନାହିଁ ? ଆପଣଙ୍କୁ ଭଲ କୋଟଟିଏ ତିଆରି କରିବାକୁ ପଡ଼ିବ ।"

ବାରମ୍ବାର ଅନୁରୋଧ କଲା ପରେ ନିରାଲାଜୀ କୋଟ ତିଆରି ପାଇଁ ରାଜି ହେଲେ । ମହାଦେବୀ ବର୍ମା ନିଜେ ସାଥିରେ ଯାଇ ତାଙ୍କ ପାଇଁ କପଡ଼ା କିଣି, କୋଟଟିଏ ବି ସିଲେଇ କରାଇଦେଲେ । ନିରାଲାଜୀ ତାଙ୍କ ନୂଆ କୋଟ ପିନ୍ଧି ପ୍ରସନ୍ନ ଦେଖାଯାଉଥାନ୍ତି । ଏହା ଦେଖି ମହାଦେବୀ ବର୍ମା ଆନନ୍ଦିତା ହେଲେ । ଯାହାହେଉ ଥଣ୍ଡା ଦିନରେ ସେ ନିରାଲାଜୀଙ୍କୁ ଆବଶ୍ୟକ ଉପହାରଟିଏ  ଦେଇ ପାରିଲେ ।

     ତିନିଦିନ ପରେ ନିରାଲାଜୀ ଯେତେବେଳେ ମହାଦେବୀଜୀଙ୍କ ପାଖକୁ ଆସିଲେ ସେତେବେଳେ ପୂର୍ବର ସେହି ପୁରୁଣା ଫଟା କୋଟଟିକୁ ପିନ୍ଧିଥାନ୍ତି । ମହାଦେବୀଜୀ ବିସ୍ମିତ ହୋଇ ପଚାରିଲେ - "ନୂଆ କୋଟ କୁଆଡ଼େ ଗଲା ? କୋଟଟିକୁ ସାଇତି ରଖିବା ପାଇଁ ତିଆରି କରିଥିଲେ କି ?"

      ନିରାଲାଜୀ ସଙ୍ଗେ ସଙ୍ଗେ ଉତ୍ତର ନ ଦେଇ, ବଡ଼ ସଙ୍କୋଚରେ କହିଲେ, "ସତ କହିବି ଭଉଣୀ, ମୁଁ ସେ କୋଟଟିକୁ ଆଉ ଜଣକୁ ଦେଇଦେଲି । ସେ ଏକ ଫଟା ଗେଞ୍ଜି ପିନ୍ଧିଥିଲା ଓ ଅତ୍ୟଧିକ ଥଣ୍ଡାରେ ତାହାର ଅବସ୍ଥା ଖୁବ ଖରାପ ଥିଲା ।"
ଶ୍ରୀମତୀ ବର୍ମା ପଚାରିଲେ -
"ସେ କଣ ଆପଣଙ୍କ ଏତେ ଘନିଷ୍ଠ ପ୍ରିୟଜନ ଥିଲେ କି,  ଆପଣ ନିଜ ଆବଶ୍ୟକତାକୁ  ତୁଚ୍ଛ କରିଦେଲେ ?"

ନିରାଲାଜୀ ଉତ୍ତର ଦେଲେ -
"ସେ ଏକ ଗରିବ ରିକସା ଚାଳକ ଥିଲା । ସେ ମୋର ପ୍ରିୟଜନ ଥିଲା କି ନାହିଁ କହି ପାରିବିନି, ହେଲେ ତା ପାଇଁ ଶୀତଲୁଗା ଅତ୍ୟନ୍ତ ପ୍ରୟୋଜନ ଥିଲା । "

      ମହାଦେବୀ ବର୍ମା ଉତ୍ତର ଶୁଣି ଚମତ୍କୃତା ହେଲେ । ସତରେ ଏମିତି ମଣିଷ ଥାଆନ୍ତି !

୬.୭.୧୭

No comments: