Saturday, 26 August 2017

*ସ୍ନେହର ପାତ୍ରୀ*

୨୮.୧.୧୮୯୮ରେ ମାର୍ଗାରେଟଙ୍କ ଜାହାଜ କଲିକତା ବନ୍ଦରରେ ଲାଗିଲା । ସ୍ୱାମୀଜୀ ସ୍ବୟଂ ଉପସ୍ଥିତ ରହି ନିଜର ମାନସ-କନ୍ୟାକୁ ସସ୍ନେହରେ ସ୍ୱାଗତ ଜଣାଇଲେ । କିଛି ସମୟ ପରେ ଆଉ କିଛି ବିଦେଶୀ ଶିଷ୍ୟା ମଧ୍ୟ ଆସି ପହଞ୍ଚିଲେ । ବେଲୁଡ଼ର ନୀଳାମ୍ବର ମୁଖାର୍ଜୀଙ୍କ ଘରେ ସେମାନଙ୍କ ରହିବାର ବ୍ୟବସ୍ଥା କରାଗଲା ।

ସ୍ୱାମୀଜୀ ସେମାନଙ୍କୁ ଭାରତର ଧର୍ମ, ସାଂସ୍କୃତିକ ଐତିହ୍ୟ, ଇତିହାସ ସାହିତ୍ୟି, ବିଜ୍ଞାନ ଓ ପୁରାଣ, ସାମାଜିକ ରୀତିନୀତି, ଆଚାର ବ୍ୟବହାର ସମ୍ବନ୍ଧରେ ନାନା ଭାବରେ ଶିକ୍ଷା ଦେଲେ । ଏହା ଦ୍ୱାରା ସେମାନଙ୍କ ମାନସ ପଟରେ ଭରତମାତାଙ୍କର ଏକ  ଉଜ୍ଜ୍ଵଳ ଚିତ୍ର ନିପୁଣ ଶିଳ୍ପୀର ବର୍ଣ୍ଣାଢ୍ୟ ରୂପରେଖାରେ ଚିତ୍ରିତ ହୋଇ ଉଠିଲା । ଭାରତୀୟ ନାରୀ ଯୁଗ ଯୁଗ ଧରି ଯେଉଁ ବ୍ରତରେ ଦୀକ୍ଷିତ ହୋଇ ଜୀବନ ଧନ୍ୟ କରିଯାଇଛନ୍ତି, ତାହା ସେ ସେମାନଙ୍କ ମନରେ ଦୃଢ଼ ଭାବେ ଆଙ୍କିଦେଉଥିଲେ ।

୧୧.୩.୧୮୯୮ ଦିନ କଲିକତାର ଷ୍ଟାର୍ ଥିଏଟର ହଲରେ ମାର୍ଗାରେଟଙ୍କର ପ୍ରଥମ ବକ୍ତୃତା ରଖାଗଲା । ବିଷୟ ଥିଲା - "ଇଂଲଣ୍ଡରେ ଭାରତୀୟ ଆଧ୍ୟାତ୍ମିକ ଚିନ୍ତାର ପ୍ରଭାବ ।" ସ୍ୱାମୀଜୀ ଏହି ସଭାରେ ପୌରହିତ୍ୟି କରିଥିଲେ ।

ମାର୍ଗାରେଟ ଉଦବୋଧନ ଦେଇ କହିଥିଲେ,
  ବିଶ୍ୱର ସର୍ବୋତ୍ତମ ଅଧ୍ୟାତ୍ମ ସମ୍ପଦକୁ ଏତେ କାଳ ଧରି ଅବିକୃତ ଭାବରେ ସାଇତି ରଖିଥିବା ଭାରତବର୍ଷର ସେବା କରିବା ପାଇଁ ମୁଁ ଗଭୀର ଆଗ୍ରହର ସହ ଆସିଛି । ମୁଁ ଭାରତର ଆତ୍ମାକୁ ଆବିଷ୍କାର କରିପାରିଛି ।  ମୁଁ ନିଃସନ୍ଦେହ ଯେ ବେଦାନ୍ତର ଉଦାର ଆଧ୍ୟାତ୍ମିକ ଚିନ୍ତାଧାରା ଇଂଲଣ୍ଡକୁ ସହଜରେ ପ୍ରଭାବିତ କରିପାରିବ । ଦିନ ଆସିବ ଯେତେବେଳେ ଐଶ୍ୱର୍ଯ୍ୟର ଭାରରେ କ୍ଲାନ୍ତ ପାଶ୍ଚାତ୍ୟ, ଶାନ୍ତିର ପ୍ରତ୍ୟାଶାରେ ଭାରତ ଆଡ଼କୁ ଅନାଇ ରହିବ ।

ସେଦିନ ସଭାରେ ଏହି ପ୍ରତିଭାଶାଳିନୀ ନାରୀଙ୍କ କଣ୍ଠରେ ଭାରତର ଗୌରବମୟ ଐତିହ୍ୟ ଓ ଭବିଷ୍ୟତର କଥା ଶୁଣି ସମବେତ ଶ୍ରୋତାଗଣ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ବିଶେଷକରି ସ୍ଵାମୀଜୀଙ୍କର ଆନନ୍ଦର ସୀମା ରହିଲା ନାହିଁ । ତାଙ୍କ ସଙ୍କଳ୍ପ ସିଦ୍ଧ ହେଲା । କାରଣ ମାର୍ଗାରେଟ ଜନସାଧରଣଙ୍କ ସ୍ନେହର ପାତ୍ରୀ ହୋଇ ଉଠିଲେ ।

୨୯.୭.୧୭

No comments: