Saturday, 26 August 2017

*ଆଜାଦଙ୍କ ସାଧୁତା*

ଶୁଦ୍ଧ ଚରିତ୍ରବାନ ବ୍ୟକ୍ତିଙ୍କୁ ଭୁଲ ବାଟ କେବେବି ପସନ୍ଦ ହୁଏନି । ଆମ ଦେଶର ପ୍ରସିଦ୍ଧ କ୍ରାନ୍ତିକାରୀ ଚନ୍ଦ୍ରଶେଖର ଆଜାଦଙ୍କ ଜୀବନରେ ଏଭଳି ଏକ ପ୍ରସଙ୍ଗ ଆସିଥିଲା । ବୁନ୍ଦେଲଖଣ୍ଡରେ କାର ଚଳାଇବା ପାଇଁ ପ୍ରଶିକ୍ଷଣ ନେବା ସମୟରେ ତାଙ୍କ ଆର୍ଥିକ ଅବସ୍ଥା ଏତେ ଖରାପ ଥିଲା ଯେ, ତାଙ୍କୁ କେବେ କେବେ ଖାଲି ପେଟରେ ଶୋଇବାକୁ ପଡୁଥିଲା । ଦିନେ ତାଙ୍କ ପାଖରେ ଏକ ଅଣା ମାତ୍ର ଥିଲା । ତାଙ୍କୁ ଖୁବ ଭୋକ ଲାଗୁଥିଲା। ସେ ଭାବିଲେ ଏକ ଅଣାର ବୁଟ କିଣି ଖାଇଲେ ଠିକ୍ ହେବ । ସେ ଏକ ଅଣାର ବୁଟ କିଣିଲେ ଏବଂ ଘରକୁ ଆସି ଖାଇବାକୁ ଲାଗିଲେ । ହଠାତ ବୁଟ ପୁଡ଼ିଆ ଭିତରେ ସେ ଚାରି ଅଣା ଦେଖିବାକୁ ପାଇଲେ ।
ତାଙ୍କର ଗୋଟିଏ ମନ କହିଲା - ରଖି ନେ, କିଛି ଦିନର ଖାଦ୍ୟ ବ୍ୟବସ୍ଥା ହୋଇଯିବ; ମାତ୍ର ଅନ୍ୟ ମନଟି କହିଲା - ନା, ଏହା ଠିକ୍ ହେବ ନାହିଁ । ଯଦି ମୁଁ ରଖିଦେବି ତେବେ ଏହା ଏକ ପ୍ରକାର ଚୋରୀ ହେବ ।
ସେ ବୁଟ ଖାଇ ପାଣି ପିଇଲେ ଏବଂ ଚାରି ଅଣାଟି ନେଇ ବୁଟ ଦୋକାନୀ ପାଖକୁ ଯାଇ କହିଲେ, "କଣ ଭାଇ, ତୁମର ଏଠି ଏକ ଅଣାର ଚଣା କିଣିଲେ ଚାରି ଅଣା ମଧ୍ୟ ମିଳେ କି ? ଏପରି ପଇସା ଖର୍ଚ୍ଚ କଲେ କି ଉପାର୍ଜ୍ଜନ କରିବ ?" ଏହା କହି ସେ ଦୋକାନୀକୁ ଚାରି ଅଣାଟି ଫେରାଇ ଦେଲେ ।
ସେହି ଦୋକାନରୁ ଆଜାଦ ପ୍ରାୟ ଚଣା କିଣୁଥିଲେ । ତେଣୁ ତାଙ୍କର ଅବସ୍ଥା ସେ ଜାଣିଥିଲେ । ଉପବାସରେ ରହି ମଧ୍ୟ ଏପରି ସାଧୁତା ଦେଖାଇଥିବା ଆଜାଦଙ୍କ ପ୍ରତି ସେ ନତ ମସ୍ତକ ହୋଇଗଲେ ।

୧୫.୭.୧୭

No comments: