Saturday, 26 August 2017

*ସେବାଭାବ*

*ସେବାଭାବ*

୧୮୯୮ ଏପ୍ରିଲ ଶେଷ ଭାଗରେ କଲିକତାରେ ମାରାତ୍ମକ ପ୍ଲେଗ ରୋଗ ବ୍ୟାପିଲା । ମଠର ସନ୍ନ୍ୟାସୀଗଣ ସେବା କାର୍ଯ୍ୟରେ ଲାଗିପଡ଼ିଲେ । ଖ୍ୟାତନାମା ଐତିହାସିକ ଯଦୁନାଥ ସରକାର ଲେଖିଛନ୍ତି - "ପ୍ଲେଗ ବ୍ୟାପିବା ବେଳେ କଲିକତାର ରାସ୍ତାଘାଟରେ ଅଳିଆ ଆବର୍ଜନା ସଫା କରିବା ପାଇଁ ଝାଡ଼ୁଦାର ମିଳିଲେ ନାହିଁ । ଦିନେ ବାଗ ବଜାର ରାସ୍ତାରେ ଦେଖିଲି ଝାଡ଼ୁ ହାତରେ ନେଇ ଜଣେ ଶ୍ବେତାଙ୍ଗିନୀ ମହିଳା ରାସ୍ତାରେ ଆବର୍ଜନା ସଫା କରୁଛନ୍ତି। ତାଙ୍କୁ ଦେଖି ଲଜ୍ଜାବୋଧ କରି ବାଗବଜାରର ଯୁବକମାନେ ବି ହାତରେ ଝାଡ଼ୁ ଧରି ରାସ୍ତା ସଫା କରିବାକୁ ଆସିଗଲେ । ଏହାପରେ ଜାଣିଲି ଏହି ବିଦେଶିନୀ ହେଉଛନ୍ତି ଭଗିନୀ ନିବେଦିତା । ତାଙ୍କ ସହିତ ମୋର ସେଇଠି ପରିଚୟ ହୋଇଥିଲା ।

*ତୀର୍ଥଯାତ୍ରା*

ମେ ୧୧ ତାରିଖ ସ୍ୱାମୀଜୀଙ୍କ ସହ  କେତେଜଣ ସନ୍ନ୍ୟାସୀ ଓ ବିଦେଶୀ ସନ୍ୟାସିନୀ ଉତ୍ତର ଭାରତ ତୀର୍ଥ ଦର୍ଶନ କରିବାକୁ ଯାଇ ନଭେମ୍ବର ମାସରେ ପୁଣି କଲିକତା ଫେରିଆସିଲେ। ସେହି ଦଳରେ ନିବେଦିତା ବି ଯାଇଥିଲେ ।

*ସଂଯତ ଜୀବନ*

ତୀର୍ଥ ଯାତ୍ରାରୁ ଫେରିବା ପରେ ନିବେଦିତାଙ୍କୁ କଠୋର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଛି । ସ୍ୱାମୀଜୀ ନିର୍ଦ୍ଦେଶ ଦେଇଛନ୍ତି - "ହିନ୍ଦୁ ସ୍ତ୍ରୀଲୋକଙ୍କର ଶୁଦ୍ଧ ଅନ୍ତଃପୁରର ନିୟମାନୁବର୍ତ୍ତିନୀ ହୋଇ ତୁମକୁ ନୈଷ୍ଠିକ ବ୍ରହ୍ମଚାରିଣୀ ପରି ସଂଯତ ଜୀବନ ଯାପନ କରିବାକୁ ପଡ଼ିବ ।" ତଳ ଘର ଗୁଡ଼ିକ ବିଦ୍ୟାଳୟ ହେବା ପାଇଁ ସ୍ଥିର ହେଲା । ସେଠାକୁ ଜନସାଧାରଣ ବିଶେଷକରି ପୁରୁଷ ବ୍ୟକ୍ତିଙ୍କୁ ଯିବା ପାଇଁ କଟକଣା ରହିଲା । ସ୍ୱାମୀଜୀଙ୍କ ଅନୁଶାସନରେ ଅଭ୍ୟସ୍ତ ହେବା ପାଇଁ ତାଙ୍କୁ ଦୀର୍ଘ ସମୟ ଧରି ନିର୍ଜନ କୋଠରୀରେ ଉପାସନା ଧ୍ୟାନ ଧାରଣା କରିବାକୁ ପଡୁଥିଲା । ଶାନ୍ତି ଭଙ୍ଗ କରିବାକୁ କେହି ନ ଥିଲେ । ଏହି କଠୋର ସଂଯମ ଶିକ୍ଷା ଫଳରେ ସେ ଅଳ୍ପ ସମୟ ମଧ୍ୟରେ ଶାନ୍ତି ଓ ଆନନ୍ଦର ଅଧିକାରିଣୀ ହେଲେ । ପାଶ୍ଚାତ୍ୟର ଭୋଗ ଓ ଐଶ୍ୱର୍ଯ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ଲାଳିତ ପାଳିତ ଓ ବର୍ଦ୍ଧିତ ହୋଇ ମଧ୍ୟ ସେ ଅନାଡ଼ମ୍ବର ଓ ନିର୍ଜନ ଗୃହରେ ସ୍ୱଚ୍ଛନ୍ଦରେ ଜୀବନ କଟାଇ ପାରିଲେ ।
ରବୀନ୍ଦ୍ରନାଥ ଠାକୁର ଲେଖିଛନ୍ତି - "ଶିବଙ୍କ ପ୍ରତି ସତୀଙ୍କର ଶୁଦ୍ଧ ପ୍ରେମ ଥିଲା ବୋଲି ସେ ଅର୍ଦ୍ଧାସନରେ ଅଗ୍ନିତାପ ସହି ଅତ୍ୟନ୍ତ ସୁକୁମାର ଦେହ ଓ ଚିତ୍ତକୁ କଠିନ ତପସ୍ୟାପାଇଁ ସମର୍ପଣ କରିଦେଇଥିଲେ । ସେହିପରି ନିବେଦିତା ମଧ୍ୟ କଠିନ ତପସ୍ୟା କରିଥିଲେ । ଆଶୈଶବ ତାଙ୍କର ସବୁ ସଂସ୍କାର ଓ ଅଭ୍ୟାସକୁ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ କରି ସେ ପ୍ରଫୁଲ୍ଲ ଚିତ୍ତରେ ସମୟ ବିତାଇଛନ୍ତି । ଏ ସବୁର କାରଣ ହେଲା ସେ ଭାରତକୁ ପ୍ରାଣାଧିକ ଭଲ ପାଉଥିଲେ ।"

*ବାଳିକା ବିଦ୍ୟାଳୟର ପରିଚାଳିକା*

ତା'ପରେ ୧୬ ନଂ ବୋଷପଡ଼ା ଲେନରେ ଶ୍ରୀରାମକୃଷ୍ଣ ବାଳିକା ବିଦ୍ୟାଳୟର ସ୍ଥାପନା ହେଲା ଏବଂ ଏହାର ସାରା ଦାୟୀତ୍ୱ ତାଙ୍କ ଉପରେ ପଡ଼ିଲା ।
ଏଥି ନିମନ୍ତେ ସେ କଲିକତାର ଘର ଘର ବୁଲି ମାଡ଼ ଗାଳି ଖାଇ ଅର୍ଥ ସଂଗ୍ରହ କରିଛନ୍ତି । ବିଦେଶ ଯାଇ ମଧ୍ୟ ଅର୍ଥ ସଂଗ୍ରହ କରିଛନ୍ତି । ଆମେରିକାରେ କେତେବେଳେ ତାଙ୍କ ଭାଷଣର ବିଷୟ ରହୁଥିଲା 'ଆଦର୍ଶ ହିନ୍ଦୁନାରୀ' ତ କେତେବେଳେ ରହୁଥିଲା ' ପ୍ରାଚୀନ ଭାରତର ଶିଳ୍ପ କଳା ' । ସେ ଭାଷଣ ଶୁଣି ସ୍ୱାମୀଜୀ ଅନୁଭବ କଲେ ଯେ ଭାରତବର୍ଷର ନାରୀମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟତା ନିବେଦିତା ଅର୍ଜନ କରିଛନ୍ତି । ଦିନେ ବକ୍ତୃତା ଶେଷରେ ନିବେଦିତା ଆବେଗପୂର୍ଣ୍ଣ କଣ୍ଠରେ ଭାରତୀୟ ନାରୀମାନଙ୍କ ଶିକ୍ଷା ପାଇଁ ଭିକ୍ଷା ଚାହିଁଲେ, "ବର୍ଷକରେ ଗୋଟିଏ ଲେଖାଁ ଡଲାର ଦିଅନ୍ତୁ। ଖୁବ କମରେ ଦଶ ବର୍ଷ ପାଇଁ ଦେବାକୁ ପଡ଼ିବ ।"  ଏହି ସାମାନ୍ୟ ଭିକ୍ଷା ପାଇଁ କାତର ପ୍ରାର୍ଥନା ଶୁଣି ସମସ୍ତେ ହସି ଉଠିଲେ ଏବଂ କହିଲେ, 'ଏହି ସାମାନ୍ୟ ଅର୍ଥରେ କଣ ହେବ ?' ନିବେଦିତା ସହଜ ଓ ସରଳ ଭାବରେ ଉତ୍ତର ଦେଲେ, "ଭବିଷ୍ୟତର ମୂଳଦୁଆ ପଡ଼ିବ । ମୁଁ ଆପଣମାନଙ୍କର ସହଯୋଗିତା କାମନା କରେ । ଭାରତର ନାରୀ ଓ ଶିଶୁ ମାନଙ୍କ ପାଇଁ ସ୍ଥାୟୀ ସାହାଯ୍ୟଭଣ୍ଡାର ଖୋଲା ହେଉ ଏହା ମୁଁ ଆଶା କରେ । ଏହା ହିଁ ଅସଲ କଥା ଓ ଏହା ହିଁ ପ୍ରକୃତ କାର୍ଯ୍ୟ ।" ଏହାପରେ ' ପାରସ୍ପରିକ ସାହାଯ୍ୟ ସମିତି' ଗଢ଼ା ହେଲା । ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ଦଳ ଦଳ ହୋଇ ସମସ୍ତେ ଚାନ୍ଦା ଦେବା ପାଇଁ ପ୍ରତିଶ୍ରୁତି ଦେବାକୁ ଲାଗିଲେ । ତାପରେ ଅର୍ଥ ସଂଗ୍ରହ ହେଲା । ସେହି ଅର୍ଥରେ ବିଦ୍ୟାଳୟଟିର ସୁପରିଚାଳନା ସମ୍ଭବ ହେଉଥିଲା ।

ସେ କହୁଥିଲେ କେବଳ ଶୁଷ୍କ ପୋଥିବିଦ୍ୟା ଓ ଘଟଣାବଳି ଦ୍ୱାରା ବୁଦ୍ଧିକୁ ଭାରଗ୍ରସ୍ତ କରିବାର ନାମ ଶିକ୍ଷା ନୁହେଁ । ଶିକ୍ଷା କହିଲେ ପ୍ରାଣବନ୍ତ ଭାବ ରାଶିକୁ ବୁଝାଏ ଯାହା ବାଳକ ବାଳିକା ମାନଙ୍କର ମନ, ବୁଦ୍ଧି, ହୃଦୟ ଓ ଇଚ୍ଛା ଶକ୍ତିକୁ ବିକଶିତ ଓ ପରିମାର୍ଜିତ କରେ ।
ଶିକ୍ଷାର ପ୍ରଥମ ପର୍ଯ୍ୟାୟରେ ସେ ଆନ୍ତର୍ଜାତିକତାକୁ ଗୁରୁତ୍ୱ ଦେଇ ନାହାନ୍ତି ।  କାରଣ ସେ ବୁଝିଥିଲେ ଯେ ସ୍ୱଦେଶ ପ୍ରୀତିର ଭିତ୍ତିଭୂମି ଦୃଢ଼ ହୋଇ ନ ପାରିଲେ, ଦେଶର ସଂସ୍କୃତି ଓ ଆଦର୍ଶକୁ ଶ୍ରଦ୍ଧା କରିବାକୁ ନ ଶିଖିଲେ ଏବଂ ପ୍ରଥମରୁ ଆନ୍ତର୍ଜାତିକତାର ଦୃଷ୍ଟିଭଙ୍ଗିରେ ସବୁ ଦେଖିବା ଆରମ୍ଭ କଲେ ସ୍ବଦେଶ ପ୍ରୀତି ଜାଗ୍ରତ ହେବ ନାହିଁ । ଦେଶବାସୀଙ୍କର କୌଣସି କଲ୍ୟାଣ ସାଧିତ ହେବ ନାହିଁ  ବରଂ ଜାତୀୟତାବୋଧର ମୂଳଦୁଆ ଶିଥିଳ ହୋଇଯିବ । ଜ୍ଞାନ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଯେତେବେଳେ ସ୍ୱାଭାବିକ ଭାବରେ ଅଭିଜ୍ଞତାର ପରିଧି ବିସ୍ତାରଲାଭ କରିବ ସେତେବେଳେ ବିଶ୍ୱପ୍ରତି ହୃଦୟ ସ୍ଵତଃ ହିଁ ଉନ୍ମୁକ୍ତ ହୋଇଉଠିବ । ପୋଥି-ପୁସ୍ତକ ସାହାଯ୍ୟରେ ଆନ୍ତର୍ଜାତିକତା ଶିଖାଇବାର ଆଉ ପ୍ରୟୋଜନ ରହିବ ନାହିଁ ।
ବୃକ୍ଷ ଯେପରି ମୂଳରୁ ଜୀବନୀ ଶକ୍ତି ପାଉଥାଏ ସେହିପରି ବ୍ୟକ୍ତି ଜୀବନର ମୂଳ ହେଉଛି ସ୍ବଦେଶୀ ଭାବଧାରା । ତାହାପ୍ରତି ଶ୍ରଦ୍ଧାହୀନ ହେବା ଫଳରେ ହିଁ ଆମମାନଙ୍କର ନୈତିକ ଓ ସାମାଜିକ ଜୀବନ ଏତେ ନିମ୍ନ ସ୍ତରକୁ ଆସିଯାଇଛି ।

ସେ ଅନୁଭବ କରିଥିଲେ ଯେ ଗୋଟିଏ ଜାତିକୁ ଯଦି ବଞ୍ଚିବାକୁ ହୁଏ, ତେବେ ସ୍ତ୍ରୀ ଓ ପୁରୁଷ ଉଭୟଙ୍କର ସମବେତ ଶିକ୍ଷା ଓ ଶକ୍ତି ସାହାଯ୍ୟରେ ହିଁ ତାହା ସମ୍ଭବ । ଅଜ୍ଞତା ଓ କୁସଂସ୍କାରରେ ଆଚ୍ଛନ୍ନ, ବିଧି ନିଷେଧର ନିର୍ମମ କଶାଘାତରେ ଜର୍ଜରିତ ଯେଉଁ ମାତୃଜାତି ଯୁଗଯୁଗାନ୍ତର ଧରି ମୃତକଳ୍ପ ହୋଇ ପଡ଼ିରହିଛନ୍ତି, ଯେଉଁଠି ପ୍ରାଣର ସ୍ପନ୍ଦନ କ୍ଷୀଣ ଓ ସ୍ତବ୍ଧ ପ୍ରାୟ ହୋଇଛି, ସେହି ମାତୃଜାତିର ପ୍ରକୃତ ଶିକ୍ଷାର ବ୍ୟବସ୍ଥା ନ ହେଲେ ଭରତମାତାଙ୍କର ରୁଦ୍ଧ ଦ୍ୱାର ଉନ୍ମୁକ୍ତ ହେବ ନାହିଁ । ଅବହେଳିତା ନାରୀ ଜାତିକୁ ପ୍ରକୃତ ଶିକ୍ଷାରେ ଶିକ୍ଷିତ କରି ଆମେ ଯେଉଁଦିନ ତାଙ୍କୁ ଗୌରବର ଆସନରେ ପୁନଃ ପ୍ରତିଷ୍ଠିତ କରିପାରିବୁ, ସେହିଦିନ ଭରତମାତାଙ୍କର ଶତ ଶତାବ୍ଦୀର ଅଜ୍ଞାନ ରୂପକ ଅବଗୁଣ୍ଠନ ଉନ୍ମୋଚିତ ହେବ । ସେତେବେଳେ ପ୍ରଭାତ ସୂର୍ଯ୍ୟଙ୍କର ବିମଳ କିରଣରେ ମାତୃମନ୍ଦିର ଝଲସି ଉଠିବ, ମାତାଙ୍କର ଜାଗରଣରେ ଉଷାଦୀପ୍ତି ଉଜ୍ଜ୍ଵଳ ହୋଇ ଉଠିବ । ସେତେବେଳେ ସୁଜଳା ସୁଫଳା ଏହି ଭାରତମାତାଙ୍କର ବିଶାଳ ପ୍ରାଙ୍ଗଣରେ ପୁନର୍ବାର ସହସ୍ର ନାରୀ କଣ୍ଠରେ ସେହି ଗମ୍ଭୀର ଋକ୍ ବେଦୀୟ ମନ୍ତ୍ର ଓ ତାହାର ଶୌର୍ଯ୍ୟ-ବୀର୍ଯ୍ୟମୟ ସଙ୍ଗୀତ ଧ୍ୱନିତ ହେବ । ରତ୍ନ ପ୍ରସବିନୀ ଭାରତମାତାଙ୍କ ଗର୍ଭରେ ପୁଣି ଥରେ ଘୋଷା, ବାକ୍, ଅଶ୍ଵଳା, ଇନ୍ଦ୍ରାଣୀ, ମୈତ୍ରେୟୀ, ସୀତା, ସାବିତ୍ରୀ, ଦୁର୍ଗାବତୀ, ପଦ୍ମିନୀ ଓ ରାଣୀ ଭବାନୀଙ୍କର ଆବିର୍ଭାବ ହେବ ।
୩୧.୭.୧୭

No comments: