ଦାନବୀର ବଳି ଆଶାତୀତ ଦକ୍ଷିଣା ପ୍ରଦାନ ପୂର୍ବକ ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ଯଜ୍ଞ କାର୍ଯ୍ୟରେ ବ୍ରାହ୍ମଣ ମାନଙ୍କୁ ନିୟୋଜିତ କରିଥିଲେ । ଏଣୁ ବ୍ରାହ୍ମଣମାନେ ଯାହାଙ୍କ କର୍ମ, ଧର୍ମ, ଯାଜନ, ଯଜନ, ଅଧ୍ୟୟନ ତଥା ଅଧ୍ୟାପନରେ ବିତିବା କଥା, ତାକୁ ପରିତ୍ୟାଗ କରି କେବଳ ଦକ୍ଷିଣା ସଂଗ୍ରହରେ ବ୍ୟସ୍ତ ରହିଲେ । ଏଭଳି ସୃଷ୍ଟି ବିରୋଧୀ କାର୍ଯ୍ୟରୁ ତାଙ୍କୁ ନିବୃତ୍ତ କରିବା ପାଇଁ ଭଗବାନ ବିଷ୍ଣୁ୍ଙ୍କୁ ବାମନ ରୂପ ଧାରଣ କରିବାକୁ ହେଲା । ଭଗବାନ ବାମନ ତ୍ରିବିକ୍ରମ ରୂପରେ ବଳି ରାଜାଙ୍କୁ ପାତାଳପୁରରେ ସ୍ଥାନ ଦେଲେ । କିନ୍ତୁ ବଳିରାଜାର ଭକ୍ତିରେ ସେ ଏତେ ପ୍ରଭାବିତ ହେଲେ ଯେ ନିଜେ ପାତାଳପୁରରେ ପ୍ରହରୀ ଭାବେ ନିଯୁକ୍ତ ହେଲେ । ଭଗବତୀ ଲକ୍ଷ୍ମୀ ବୈକୁଣ୍ଠରେ ବିଷ୍ଣୁଙ୍କର ଅବର୍ତ୍ତମାନରେ ବ୍ୟଥିତ ହୋଇ ଏକ ବ୍ରାହ୍ମଣୀର ଛଦ୍ମବେଶ ଧାରଣ କରି ଶ୍ରାବଣ ପୂର୍ଣ୍ଣିମା ଦିନ ବଳି ରାଜାଙ୍କୁ ରାକ୍ଷୀ ବାନ୍ଧି ଭଗବାନ ବିଷ୍ଣୁଙ୍କୁ ମୁକ୍ତି ଦେବାକୁ ଅନୁରୋଧ କଲେ ।
ରାଜା ବଳି ପଚାରିଲେ, "ଆପଣଙ୍କ ପରିଚୟ କ'ଣ ? ଭଗବତୀ ଲକ୍ଷ୍ମୀ ନିଜର ପରିଚୟ ପ୍ରଦାନ କରି ତାଙ୍କର ଆସିବାର ଉଦ୍ଦେଶ୍ୟ ଜ୍ଞାପନ କଲେ । ରକ୍ଷା ସୂତ୍ର ଦ୍ୱାରା ଆବଦ୍ଧ ହୋଇଥିବା ବଳି ରାଜା ଲକ୍ଷ୍ମୀଙ୍କର ପ୍ରତିରକ୍ଷାର ଆବଶ୍ୟକତା ଅନୁଭବ କରି ଭଗବାନ ବିଷ୍ଣୁଙ୍କୁ ବୈକୁଣ୍ଠ ପ୍ରତ୍ୟାବର୍ତ୍ତନ ପାଇଁ ଅନୁମତି ଦେଲେ ।
ସେହିପରି ଦ୍ଵାପର ଯୁଗରେ ଇନ୍ଦ୍ରପ୍ରସ୍ତର ରାଜା ଧର୍ମରାଜ ଯୁଧିଷ୍ଠିର ଦ୍ୱାରକାଧିପତି ଶ୍ରୀକୃଷ୍ଣଙ୍କୁ ପଚାରିଲେ, "ହେ କୃଷ୍ଣ ! ବିପଦସଙ୍କୁଳ ଜୀବନର ଚଲା ପଥରେ ସୁରକ୍ଷିତ ହୋଇ ଆଗେଇଯିବା ପାଇଁ କିଛି ଉପାୟ ଅଛି କି ?"
ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କ ପ୍ରଶ୍ନର ସିଧାସଳଖ ଉତ୍ତର ନଦେଇ ଗୋଟିଏ ପ୍ରାଚୀନ କଥା ଶୁଣାଇଲେ -
ଭବିଷ୍ୟ ପୁରାଣରେ ବର୍ଣ୍ଣିତ ହୋଇଛି ଯେ, ପ୍ରାଚୀନ କାଳରେ ଦେବତା ଓ ଦାନବ ମଧ୍ୟରେ ବାର ବର୍ଷ ପର୍ୟ୍ଯନ୍ତ ଯୁଦ୍ଧ ଚାଲିଲା । ଯୁଦ୍ଧରେ ଦେବରାଜ ଇନ୍ଦ୍ର ପରାସ୍ତ ହେଲେ । ପରାଜିତ ଇନ୍ଦ୍ର ଏଇ ଘଟଣାରେ ଏତେ କ୍ଷୁବ୍ଧ ହେଲେ ଯେ କାହା ସହିତ କଥାବାର୍ତ୍ତା ନକରି ମନ ଦୁଃଖରେ ବସି ରହିଲେ । ଇନ୍ଦ୍ରଙ୍କର ବିମର୍ଷ ବଦନ ଦେଖି ଦେବଗୁରୁ ବୃହସ୍ପତି ଇନ୍ଦ୍ରପତ୍ନୀ ଶଚୀଙ୍କୁ ଏକ ପାଟସୂତା ଦେଲେ ଓ ରକ୍ଷା ବ୍ରତର ଆୟୋଜନ କରିବା ପାଇଁ କହିଲେ । ଦେବୀ ଶଚୀ ଦେବଗୁରୁ ବୃହସ୍ପତିଙ୍କ ଆଦେଶରେ ରକ୍ଷା ବ୍ରତର ଆୟୋଜନ କରି ନିଜର ସତୀତ୍ଵ ବଳରେ ଦେବରାଜ ଇନ୍ଦ୍ରଙ୍କର ଡାହାଣ ହାତରେ ଶକ୍ତିଶାଳୀ ରକ୍ଷା ସୂତ୍ର ବାନ୍ଧି କହିଲେ,
"ଯେନ ବଦ୍ଧୋ ବଳିଃ ରାଜା ଦାନବେନ୍ଦ୍ର ମହାବଳଃ
ତେନ ତ୍ବାମ ଅନୁବନ୍ଧାମୀ ରକ୍ଷେ ମା ଚଳ ମା ଚଳ ।"
ଶକ୍ତିଶାଳୀ ଦାନବ ରାଜା ବଳିକୁ ଯେଉଁ ରକ୍ଷା ବନ୍ଧନ କରି ମହାଲକ୍ଷ୍ମୀ ପାତାଳରୁ ଦ୍ୱାର ପାଳ ରୂପେ ଥିବା ବାମନ ରୂପୀ ବିଷ୍ଣୁଙ୍କୁ ରକ୍ଷା କରିଥିଲେ, ସେଇ ରାକ୍ଷୀ ମୁଁ ତୁମକୁ ବାନ୍ଧୁଛି ଏବଂ ସେହି ମହାଲକ୍ଷ୍ମୀ ଓ ବିଷ୍ଣୁ ତୁମକୁ ରକ୍ଷା କରନ୍ତୁ ।
ଏହି ରକ୍ଷା ସୂତ୍ର ଇନ୍ଦ୍ରଙ୍କର ଅପହୃତ ଶୌର୍ଯ୍ୟ ଫେରାଇ ଆଣିଲା ଏବଂ ସେ ଦ୍ବିଗୁଣିତ ଉତ୍ସାହରେ ଯୁଦ୍ଧ କରି ଦାନବ ମାନଙ୍କ ଉପରେ ବିଜୟ ପ୍ରାପ୍ତ କରିଥିଲେ ।
୫.୮.୧୭

No comments:
Post a Comment