ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସିଙ୍ଗାପୁରରେ ଜାପାନୀମାନଙ୍କ ଦ୍ୱାରା ବନ୍ଦୀ ଥିବା ଭାରତୀୟ ସୈନ୍ୟମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଆହ୍ବାନ କରି କହିଲେ,
"ଆପଣମାନେ ସମସ୍ତେ ଭାରତ ମାତାର ବୀର ସନ୍ତାନ। ଦେଶ ମାତୃକାର ସ୍ୱାଧୀନତା ନିମନ୍ତେ ଆଜାଦ ହିନ୍ଦ ଫୌଜରେ ଯୋଗଦାନ ଦେବାକୁ ଆପଣଙ୍କୁ ସ୍ୱାଗତ ଜଣାଉଛି ।"
ଜଣେ ସେନା ଅଧିକାରୀ ଉତ୍ତର ଦେଲେ,
"ନେତାଜୀ, ଆମେମାନେ ସୈନ୍ୟ ବିଭାଗରେ ନିଯୁକ୍ତି ପାଇଥିବା ସମୟରେ ଇଂଲଣ୍ଡର ରାଣୀଙ୍କ ପ୍ରତି ଅନୁ୍ରକ୍ତ ରହିବା ପାଇଁ ଶପଥ ନେଇଥିଲୁ । ଏହାଛଡ଼ା ଆମେ ଭାରତୀୟ ସୈନିକମାନେ ଇଂରେଜମାନଙ୍କ ଅନ୍ନ ଖାଇଛୁ । ତେଣୁ ସେମାନଙ୍କ ସହ କିପରି ବିଶ୍ୱାସଘାତକତା କରିବୁ ?"
ନେତାଜୀ ସୈନିକମାନଙ୍କୁ କହିଲେ,
"ଆପଣମାନେ କହୁଛନ୍ତି, ଯେ ଆପଣମାନେ ଇଂରେଜମାନଙ୍କର ଅନ୍ନ ଖାଇଛନ୍ତି? କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ । ପ୍ରକୃତରେ ସେହି ଅନ୍ନ ଭାରତ ମାଆର ପବିତ୍ର ଭୂମିରେ ଉତ୍ପନ୍ନ ହୋଇଅଛି। ଭାରତୀୟମାନଙ୍କର ରକ୍ତ ଓ ଝାଳରେ ଉପାର୍ଜିତ ହେଉଥିବା ଧନରେ ଆପଣମାନେ ବେତନ ପାଉଛନ୍ତି । ଇଂରେଜ ତ ଲୁଟୁଛି । ଛଳେ, ବଳେ, କୌଶଳେ ଆମ ଦେଶକୁ ପରାଧୀନ କରିଛି । ଏବେ ସମୟ ଆସିଛି, ଆମେ ସ୍ୱାଧୀନ ହେବା ଏବଂ ବିଶ୍ୱାସଘାତ ଇଂରେଜକୁ ଉଚିତ ଜବାବ ଦେବା । ଏହି ସୁଯୋଗକୁ ଆମେ ହାତଛଡ଼ା କରିବା ନାହିଁ ।"
ସୁଭାଷ ବୋଷଙ୍କ ଏହି କେତୋଟି ବାକ୍ୟ ଭାରତୀୟ ସୈନ୍ୟମାନଙ୍କ ମନରେ ଉତ୍ତାଳ ତରଙ୍ଗ ସୃଷ୍ଟି କଲା । ଭାରତ ମାତା କୀ ଜୟ କହି ସମସ୍ତେ ଆଜାଦ ହିନ୍ଦ ଫୌଜରେ ଯୋଗ ଦେଲେ ।
୨୨.୮.୧୭

No comments:
Post a Comment