୧୯୨୫ ମସିହାର କଥା। ଇଂରେଜ ସରକାର ବିରୋଧରେ ବିଭିନ୍ନ ସ୍ଥାନରେ ସଶସ୍ତ୍ର ବିପ୍ଳବ ଜାରି ରହିଥାଏ। କେତେଜଣ ସଂଗ୍ରାମୀ ଇଂରେଜଙ୍କ ଖଜଣା ଲୁଟ କରି ଅସ୍ତ୍ରଶସ୍ତ୍ର କିଣିବାର ନିଷ୍ପତ୍ତି କଲେ। ଯୋଜନା ମୁତାବକ ଶହଜାହାନପୁରରୁ ଲକ୍ଷ୍ନୌ ଯାଉଥିବା ରେଲଗାଡ଼ିରୁ କାକୋରୀ ଠାରେ ଅଟକାଇ ଲୁଟ କରାଗଲା। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ବହୁତ ତଲାସୀ ଚଳାଇଲା। ଶେଷରେ କିଛି କ୍ରାନ୍ତିକାରୀ ଗିରଫ ହେଲେ। ସେହି ଯୁବକମାନଙ୍କ ମଧ୍ୟରୁ ଠାକୁର ରୋଶନ ସିଂହ ଥିଲେ ଅନ୍ୟତମ। ସେ ରେଳଲୁଟରେ ସାମିଲ ନ ଥିଲେ କିନ୍ତୁ ସଂଗ୍ରାମୀ ରାମ ପ୍ରସାଦ ବିସମିଲଙ୍କ ହିନ୍ଦୁସ୍ଥାନ ରିପବ୍ଲିକ ସଙ୍ଘର ସଦସ୍ୟ ହୋଇଥିବାରୁ ସେ ମଧ୍ୟ ବନ୍ଧା ହେଲେ । ଲୋକମାନେ ଭାବୁଥିଲେ ଯେ ଅପରାଧ କରି ନ ଥିବାରୁ ସେ ଅଳ୍ପ ଦଣ୍ଡ ପାଇବେ ।
ସେହି ମକଦ୍ଦମା ଦେଢ଼ ବର୍ଷ ପର୍ଯ୍ୟନ୍ତ ଚାଲିଲା । ଜେଲରେ ଥାଇ ଠାକୁର ରୋଶନ ସିଂହ ବନ୍ଦୀମାନଙ୍କୁ କୁସ୍ତି ଶିଖାଉଥିଲେ । ସେ ବେଶ ବୁଦ୍ଧିମାନ ଏବଂ ବିଚକ୍ଷଣ ଥିଲେ। ହିନ୍ଦୀ ଓ ଉର୍ଦୁ ଭାଷା ଜାଣିଥିଲେ । ଜେଲରେ ଥାଇ ବଙ୍ଗଳା ଭାଷା ଶିଖିଲେ । ପୁନଶ୍ଚ, ଇଂରାଜୀ ଭାଷା ଶିକ୍ଷା ପ୍ରତି ତାଙ୍କର ପ୍ରବଳ ଆଗ୍ରହ ହେଲା ।
ରାମ ପ୍ରସାଦ ବିସମିଲ ତାଙ୍କୁ ଥଟ୍ଟା କରି କହିଲେ,
"ଠାକୁର ସାହେବ କଣ ଫାଶୀରୁ ରକ୍ଷା ପାଇବା ପାଇଁ ଇଂରାଜୀ ଶିଖୁଛନ୍ତି ?"
ଠାକୁର ରୋଶନ ସିଂହ ଦୃଢ଼ ସ୍ଵରରେ ଉତ୍ତର ଦେଲେ,
" ଫାଶୀରୁ ବଞ୍ଚିବା ପାଇଁ କଦାପି ନୁହେଁ । ବରଂ ଇଂରେଜ ଜଜ କାଳେ ମୋ ଦଣ୍ଡ କୋହଳ କରିଦେବ, ସେଇଥି ଲାଗି ଇଂରାଜୀ ଶିଖୁଛି। ଜଜକୁ ଇଂରାଜୀ ଭାଷାରେ ଗାଳି ଦେଲେ ସେ ମୋତେ ଅବଶ୍ୟ ଫାଶୀ ଦେବ ।"
ପରେ ତାଙ୍କୁ ଫାଶୀ ଦଣ୍ଡ ମିଳିଲା । ସେ ଆନନ୍ଦରେ ଅଦାଲତ ମଧ୍ୟରେ ଜଜ ସାହେବଙ୍କୁ ଥେଙ୍କ ୟୁ, ଥେଙ୍କ ୟୁ କହିଲେ ଓ ପରେ ପରେ ଦୁଇଥର ଓଁ ଉଚ୍ଚାରଣ କଲେ । ଫାଶୀ ମିଳିବା ଦିନ ସେ ପୂର୍ଣ୍ଣ ଶକ୍ତି ସହ ବନ୍ଦେ ମାତରମ୍ ସଙ୍ଗୀତ ଗାଇଲେ ଓ ସେତିକି ଜୋରରେ ଓମ ଉଚ୍ଚାରଣ କରି ୧୯ ଡିସେମ୍ବର ୧୯୨୭ରେ ଶହୀଦ ହୋଇଗଲେ ।
ମାତୃଭୂମିର ମୁକ୍ତି ପାଇଁ ହସି ହସି ପ୍ରାଣବଳି ଦେଇଥିବା ଏହି ବୀର ଯୁବକ କାଳକାଳକୁ ଅମର ହୋଇ ରହିବେ।
୯.୭.୧୭

No comments:
Post a Comment