Saturday, 26 August 2017

* ପରିବେଶ ରକ୍ଷାକାରୀ ଶହୀଦ*

   ୧୭୩୦ ମସିହାର କଥା । ଯୋଧପୁର ମହାରାଜାଙ୍କ ଚୁନଭାଟି ଓ ଅନ୍ୟାନ୍ୟ କାମ ପାଇଁ ଗଛ କଟାଳୀମାନେ ନିକଟସ୍ଥ ଖେଜଡିଲ  ଗାଁକୁ ଯାଇ ଖେଜଡ଼ି ଗଛ କାଟିବାକୁ ଲାଗିଲେ । ସେଠାରେ ବାସକରୁଥିବା ବିଶନୋଇ ସମାଜ ବଡ଼ ପରିବେଶ ପ୍ରେମୀ ଥିଲେ । ସେମାନେ ଗଛ କଟାଳୀଙ୍କୁ ଗଛ ନ କାଟିବାକୁ ପ୍ରାର୍ଥନା କଲେ । କିନ୍ତୁ ସେମାନେ ଗାଁ ଲୋକଙ୍କର କଥାକୁ ଭ୍ରୁକ୍ଷେପ ନ କରି ନିର୍ବିକାରରେ ଗଛ କାଟିବାକୁ ଲାଗିଲେ । ଏହା ଦେଖି ବିଶ୍ନୋଇ ସମାଜର ଶହ ଶହ ସ୍ତ୍ରୀ ପୁରୁଷ ଗଛ ବଞ୍ଚାଇବା ପାଇଁ ବହାରିପଡ଼ିଲେ । ସେମାନେ ଗଛକୁ କୁଣ୍ଡେଇ ଧରିଲେ ଓ ଗଛ ନ କାଟିବାକୁ ପ୍ରାର୍ଥନା କଲେ ।
ଅନ୍ଧ ରାଜଭକ୍ତ ଗଛ କଟାଳୀମାନଙ୍କ କର୍ଣ୍ଣରେ ଏମାନଙ୍କ ପ୍ରାର୍ଥନା ପ୍ରବେଶ କଲା ନାହିଁ । ଗଛ କଟାଳୀମାନେ ଅତି ନିର୍ମମ ଭାବେ ୩୬୩ ଜଣ ସ୍ତ୍ରୀ ପୁରୁଷଙ୍କୁ ଗଛ ସହିତ କାଟି ଦେଲେ ।
ମହାରାଜା ଏହି ଜଘନ୍ୟ ହତ୍ୟାକାଣ୍ଡ ଓ ପରିବେଶ ରକ୍ଷାକାରୀ ମାନଙ୍କର ବଳିଦାନର କାହାଣୀ ଶୁଣି ବଡ଼ ଅନୁତାପ କଲେ । ଆଉ କୌଣସି ଗଛ ନ କାଟିବାକୁ ସେ ନିର୍ଦ୍ଦେଶ ଦେଲେ ।
ଆଜି ମଧ୍ୟ ବିଶନୋଇ ସମାଜ ଗଛ ନ କାଟିବା ଓ ବନ୍ୟ ଜନ୍ତୁ ସୁରକ୍ଷା ନିମିତ୍ତ ପ୍ରାଣ ଉତ୍ସର୍ଗ କରିବାକୁ ତତ୍ପର ହୋଇଉଠନ୍ତି । ନିକଟ ଅତୀତରେ ସେମାନେ କୃଷ୍ଣସାର ମୃଗ ଓ ଚିତା ବାଘଙ୍କ ରକ୍ଷା ପାଇଁ ମୁମ୍ବାଇର ଚିତ୍ର ତାରକାଙ୍କ ଷଡ଼ଯନ୍ତ୍ରକୁ ପଦାରେ ପକାଇ ନ୍ୟାୟାଳୟରେ ପହଞ୍ଚାଇ ଦେଇଥିଲେ ।

୧୯.୭.୨୦୧୭

No comments: