୧୯୩୨ ମସିହାର କଥା । ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର କୋଠା ନିର୍ମାଣ ଚାଲିଥାଏ । ଡ. ବୀରବଲ ସାହାଣୀ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ରୂପେ କାର୍ଯ୍ୟରତ ଥାଆନ୍ତି । ଉକ୍ତ ବିଭାଗର ମାତ୍ର ତିନୋଟି କକ୍ଷ ନିର୍ମାଣ ଶେଷ ହୋଇଥାଏ । ଜଣେ ବିଦେଶୀ ବୈଜ୍ଞାନିକ ଡ. ସାହାଣୀଙ୍କୁ ଭେଟିବା ପାଇଁ ଆସିଥାନ୍ତି ।
ଡ. ସାହାଣୀ ବାରଣ୍ଡାର ଗୋଟିଏ ମୁଣ୍ଡରେ ଟେବୁଲ ସାମନା ଚୌକିରେ ବସିଥାନ୍ତି। ଟେବୁଲ ଉପରେ ଅନେକ ପୁସ୍ତକ ଥାକମାରି ରଖା ଯାଇଥାଏ ।
ଡ. ସାହାଣୀ ଯବକାଚଟିଏ ଦ୍ୱାରା ଏକାଗ୍ର ଚିତ୍ତରେ ଗବେଷଣାରତ ଥାଆନ୍ତି । ଏହା ଦେଖି ବିଦେଶୀ ବୈଜ୍ଞାନିକ ଜଣକ ବିସ୍ମିତ ହୋଇ ତାଙ୍କୁ ପଚାରିଲେ -
"ପ୍ରଫେସର ସାହାଣୀ ! ଆପଣଙ୍କ ପାଇଁ ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା ନାହିଁ ! ଆପଣ ଏମିତି ଖୋଲା ବାରଣ୍ଡାରେ କି ଗବେଷଣା କରିବେ ? ଏପରି ଅବ୍ୟବସ୍ଥା ମଧ୍ୟରେ କେଉଁ ସଫଳତା ଆଶା କରା ଯାଇ ପାରିବ ? ଆମ ରାଷ୍ଟ୍ରକୁ ଚାଲନ୍ତୁ, ଆପଣଙ୍କୁ ଉନ୍ନତ ଗବେଷଣାଗାର ସମେତ ଆକର୍ଷଣୀୟ ସ୍କଲାରସିପର ସୁବିଧା ଯୋଗାଇ ଦିଆଯିବ।"
ଡ. ସାହାଣୀ ସ୍ମିତ ହସି ନମ୍ରତାର ସହ କହିଲେ -
"ସଫଳତା ପାଇଁ କାର୍ଯ୍ୟରେ ନିଷ୍ଠା ଆଉ ନିଜ ଉପରେ ଆସ୍ଥା ଆବଶ୍ୟକ। ବିଶାଳ ବିଜ୍ଞାନାଗାର ନିତାନ୍ତ ଜରୁରୀ ନୁହେଁ । ଆପଣଙ୍କ ପ୍ରସ୍ତାବ ଲାଗି ଧନ୍ୟବାଦ । କିନ୍ତୁ ମୁଁ ମୋ ଦେଶ ଛାଡ଼ି ବିଦେଶକୁ ଯିବାକୁ ଚାହୁଁ ନାହିଁ। ବିଦେଶରେ ଅଧିକ ସୁବିଧା ଆଉ ବେଶୀ ଦରମା ମିଳିପାରେ, ହେଲେ ମୋ ଦେଶରେ କାମ କରି ମୋତେ ଯେଉଁ ଆତ୍ମସନ୍ତୋଷ ମିଳୁଛି, ତାହା ବିଦେଶରେ କଦାପି ମିଳି ପାରିବନି।"
ବିଦେଶୀ ବନ୍ଧୁଜଣକ ଅବାକ୍ ହୋଇ ଦେଶପ୍ରେମୀ ଭାରତୀୟ ବୈଜ୍ଞାନିକଙ୍କୁ ଚାହିଁ ରହିଥାନ୍ତି।
୧୭.୭.୧୭

No comments:
Post a Comment